ଡିସେମ୍ବର ୧୭ରୁ ପ୍ରତିଭା ବିକାଶ ଟ୍ରଷ୍ଟର ବାର୍ଷିକ ଉତ୍ସବ ଓ ଚ୍ୟାରିଟି ସୋ
ବାଲେଶ୍ୱର, (ସରୋଜ ପଣ୍ଡା):ସମାଜର ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କ ପ୍ରତିଭାକୁ ଲୋକ ଲୋଚନକୁ ଆଣିବା, ଉଚିତ ମୂଲ୍ୟାୟନ କରିବା ସହ ସେମାନଙ୍କୁ ସମ୍ମାନ ତଥା ସମ୍ବର୍ଦ୍ଧନା ପ୍ରଦାନ ଉଦ୍ଦେଶ୍ୟରେ ଗଠିତ ‘ବାଲେଶ୍ୱର ପ୍ରତିଭା ବିକାଶ ଟ୍ରଷ୍ଟ’ର ଚତୁର୍ଥ ବାର୍ଷିକ ଉତ୍ସବ ପାଇଁ ପ୍ରସ୍ତୁତି ଏବେ ଜୋରଦାର ହୋଇଛି । ଆସନ୍ତା ଡିସେମ୍ବର ୧୭ ଓ ୧୮ ତାରିଖରେ ହେବାକୁ ଥିବା ଟ୍ରଷ୍ଟର ବାର୍ଷିକ ଉତ୍ସବ ଓ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମର ରୂପରେଖ ସମ୍ପର୍କରେ ଆୟୋଜିତ ସାମ୍ବାଦିକ ସମ୍ମଳନୀରେ କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି । ପ୍ରଥମ ଦିନର ଉତ୍ସବକୁ ରାଜ୍ୟପାଳ ଉଦଘାଟନ କରିବା ନେଇ ନିଷ୍ପତ୍ତି ହୋଇଥିବା ବେଳେ ତାଙ୍କର ସମ୍ମତ୍ତି ପାଇଁ ଟ୍ରଷ୍ଟ ପକ୍ଷରୁ ଉଦ୍ୟମ ଜାରି ରହିଥିବା ସେମାନେ କହିଛନ୍ତି । ଏଥି ସହିତ ରାଜ୍ୟ ପର୍ଯ୍ୟଟନ, ଅବକାରୀ ତଥା ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ମନ୍ତ୍ରୀ ଅଶ୍ୱିନୀ ପାତ୍ର ମଧ୍ୟ ଅତିଥି ଭାବେ ଯୋଗଦାନ କରିବେ ବୋଲି ସ୍ୱୀକୃତି ଦେଇଛନ୍ତି । ପ୍ରଥମ ସଂଧ୍ୟାରେ ଶିଶୁ ପ୍ରତିଭା ପୁରସ୍କାର କାର୍ଯ୍ୟକ୍ରମ ସହିତ କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢ଼ୀ ଓ ବିଭୂପଦ ମହାନ୍ତିଙ୍କ ସଙ୍ଗୀତ ଆସର ଏବଂ ମିନି ପ୍ରିନ୍ସ ଗ୍ରୁପ ଡ୍ୟାନ୍ସ କରିବାର କାର୍ଯ୍ୟକ୍ରମ ରହିଛି । ଦ୍ୱିତୀୟ ସଂଧ୍ୟାରେ ଇଣ୍ଡିଆନ ଆଇଡଲ ବିଜେତା ଅରୋନିତା କାଞ୍ଜିଲାଲଙ୍କ ମୁମ୍ବାଇ ଟିମ ସଙ୍ଗୀତ ପରିବେଷଣ କରିବ । ବାର୍ଷିକ ଉତ୍ସବରେ ଟ୍ରଷ୍ଟ ପକ୍ଷରୁ ପ୍ରକାଶିତ ସ୍ମରଣିକା ‘ସ୍ୱୀକୃତି’କୁ ଅତିଥିମାନେ ଉନ୍ମୋଚନ କରିବାର କାର୍ଯ୍ୟକ୍ରମ ରହିଛି । ସବୁକିଛି ଚ୍ୟାରିଟି ସୋ’ ମାଧ୍ୟମରେ ଅନୁଷ୍ଠିତ ହେବ ବୋଲି କର୍ମକର୍ତ୍ତାମାନେ ଏହି ସମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଆଗାମୀ ଦିନରେ ଟ୍ରଷ୍ଟ ପକ୍ଷରୁ ନିର୍ମାଣ ହେବାକୁ ଯାଉଥିବା ଏକ ଜରାଶ୍ରମ ପାଇଁ ଏହି ଚ୍ୟାରିଟି ସୋ’ କରାଯାଉଥିବା ସେମାନେ ସୂଚନା ଦେଇଛନ୍ତି । ତେବେ ବାର୍ଷିକ ଉତ୍ସବର ସପ୍ତାହେ ପୂର୍ବରୁ ଅର୍ଥାତ ଡିସେମ୍ବର ୧୦ ତାରିଖ ଓ ୧୧ ତାରିଖ ଦିନ ସ୍ଥାନୀୟ ଗାନ୍ଧୀସ୍ମୃତି ଭବନରେ ଶିଶୁ କିଶୋର ପ୍ରତିଭା ପ୍ରତିଯୋଗିତା ଅନୁଷ୍ଠିତ ହେବ ।ଏଥିରେ ଅଂଶଗ୍ରହଣ କରିବା ଓ ଚ୍ୟରିଟି ସୋ ପାଇଁ ଟିକେଟ ସଂଗ୍ରହ ବାବଦରେ ଟ୍ରଷ୍ଟର କର୍ମକର୍ତ୍ତା ଏବଂ ସଦସ୍ୟଙ୍କ ସହ ଯୋଗାଯୋଗ ପାଇଁ ଏହି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଟ୍ରଷ୍ଟର ସଭାପତି ଆଇନଜୀବୀ ହରେକୃଷ୍ଣ ଦାଶ, ଉପ-ସଭାପତି ଆଇନଜୀବୀ ରଘୁନାଥ ପ୍ରଧାନ, ସାଧାରଣ ସମ୍ପାଦକ ସମାଜସେବୀ ଉପେନ୍ଦ୍ର ନାଥ ପାତ୍ର, ସମ୍ପାଦକ ଶିକ୍ଷାବିତ ଡ. ପଙ୍କଜ କୁମାର ଜେନା, ସିଏ ସଞ୍ଜୀବ ନାୟକ ଓ ସମାଜସେବୀ ସଂଘମିତ୍ରା ମହାନ୍ତି, କୋଷାଧ୍ୟକ୍ଷ କିଶୋର ଦାସ, ବାର୍ତ୍ତା ସଂଯୋଜକ ଭାବଗ୍ରାହୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିିଲେ ।


