ସଚିବାଳୟକୁ ଧସେଇ ପଶିଲେ ନବନିର୍ମାଣ ଯୁବଛାତ୍ର ସଂଗଠନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପୁଣିଥରେ ରାଜ୍ୟ ସରକାର ଓ ପୋଲିସ୍ ବାହିନୀକୁ ଚକମା ଦେଇଛି ନବନିର୍ମାଣ ଯୁବଛାତ୍ର ସଂଗଠନ । ପୂର୍ବରୁ ରୁଚିକା ମହାନ୍ତି ର‌୍ୟାଗିଂ ଓ ଆତ୍ମହତ୍ୟା ଘଟଣାରେ ଖୁବ୍ ହଲାଗୋଲା କରିଥିଲା ନବନିର୍ମାଣ ଯୁବଛାତ୍ର ସଂଗଠନ । ଦିନ ଦିନ ଧରି ବିଜେବି କଲେଜ ସାମ୍ନାରେ ଏନ୍‌ୱାଇସିଏସ୍ ତରଫରୁ ଧାରଣା ଦିଆଯାଇଥିଲା । ସରକାର ଆନ୍ଦୋଳନକୁ ଭାଙ୍ଗି ଦେଇଥିଲେ ସୁଦ୍ଧା ରୁଚିକା ମହାନ୍ତିଙ୍କ ଘଟଣାରେ ରୁଚିକାଙ୍କ ମାଆଙ୍କୁ ନ୍ୟାୟ ମିଳିନଥିଲା । ସରକାର ଏହାପରେ ର‌୍ୟାଗିଂ ଘଟଣା ନେଇ ନିଜର ବୟାନ ରଖି ର‌୍ୟାଗିଂର ନିୟନ୍ତ୍ରଣ ପାଇଁ ଆଇନ ଆଣିବେ ବୋଲି ପ୍ରତିଶ୍ରୁତ ଦେଇଥିଲେ ମଧ୍ୟ ବ୍ରହ୍ମପୁରରେ ପୁଣି ର‌୍ୟାଗିଂ ହେଲା । ଯେଉଁଥିରେ ଶାସକ ଦଳ ଛାତ୍ରନେତା ସମ୍ପୃକ୍ତ ଥିବାର ଭିଡ଼ିଓ ଦେଖିବାକୁ ମିଳିଲା । ଏହା ସତ୍ତ୍ୱେ ସରକାର ନିଜ ଆଡୁ କୌଣସି କାର୍ଯ୍ୟାନୁଷ୍ଠାନ ନେଲେନାହିଁ । ସତେ ଯେମିତି ସରକାର ଅପେକ୍ଷା ରଖିଥିଲେ ସବୁ ଅଞ୍ଚଳରେ ଏଭଳି ର‌୍ୟାଗିଂ ଘଟୁ ଓ ନୀରିହ ଛାତ୍ରଛାତ୍ରୀଙ୍କ ମୁଣ୍ଡ ଗଡୁ । ଏ ନେଇ ବିକ୍ଷୁବ୍ଧ ଥିବା ନବନିର୍ମାଣ ଯୁବଛାତ୍ର ସଂଗଠନ ହଠାତ ସଚିବାଳୟ ଭିତରକୁ କର୍ମକର୍ତ୍ତାଙ୍କୁ ନେଇ ପ୍ରବେଶ କରିଥିଲା । ହାତରେ ଥିଲା ବିଭିନ୍ନ ସ୍ଲୋଗାନ ଲେଖାଥିବା ପ୍ଲାକାଡ଼ । ଯୁବଛାତ୍ର କର୍ମୀମାନେ ସ୍ଲୋଗାନ ଦେଇ ଚିତ୍କାର କରିଥିଲେ ଯେ, କେବେ ର‌୍ୟାଗିଂ ବନ୍ଦ ହେବ ଜବାବ ଦିଅ, ରୁଚିକା ମହାନ୍ତି ହତ୍ୟା ଘଟଣାରେ ୫ ମାସ ପରେ ପୋଲିସ୍‌ର ହାତ କାହିଁକି ଖାଲି ଜବାବ ଦିଅ, ର‌୍ୟାଗିଂ ବିରୁଦ୍ଧରେ କେବେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବ ଜବାବ ଦିଅ, ଗାଁକୁ କାମ, ମା’କୁ ସମ୍ମାନ ସ୍ଲୋଗାନ କେଉଁଠି କାର୍ଯ୍ୟକାରୀ ହେଉଛି ଜବାବ ଦିଅ । ଆଜିର ଏହି ବିକ୍ଷୋଭର ନେତୃତ୍ୱ ନେଇଥିଲେ ଯୁବଛାତ୍ର ସଂଗଠନର ରାଜ୍ୟ ସଂଯୋଜକ ମନୱର ଅଲ୍ଲୀ । ଶ୍ରୀଯୁକ୍ତ ଅଲ୍ଲୀ ସରକାରଙ୍କୁ ସମାଲୋଚନା କରି କହିଛନ୍ତି ଯେ, ସରକାରଙ୍କର କୌଣସି ସମ୍ବେଦନା ମହିଳା କିମ୍ବା ଛାତ୍ରଛାତ୍ରୀଙ୍କ ପାଇଁ ନାହିଁ । କେବଳ ଉପରଠାଉରିଆ ଭାବେ ପ୍ରଚାର ସର୍ବସ୍ୱ ନୀତି ଚାଲିଛି । ଆଜିର ବିକ୍ଷୋଭରେ ସଂଗଠନର ଭୁବନେଶ୍ୱର ସଭାପତି ଅମିତ ଜେନା, ଅଶ୍ୱିନୀ ଜେନା, ଜୟନ୍ତ ଗୋସ୍ୱାମୀ ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ