ରଘୁନାଥପୁର ବ୍ଲକ ରେ ଆମ ଗାଁ ଆମ ବିକାଶ ଯୋଜନାରେ ୧କୋଟି ୬୨ ଲକ୍ଷ ଟଙ୍କା କୁ ବିନାଶ କରି ବନ୍ଧା ହେଲେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ
ଜଗତସିଂହପୁର, (ଅଭିଷେକ ତ୍ରିପାଠୀ):ରଘୁନାଥପୁର ବ୍ଲକରେ ସରକାରଙ୍କ ଆମ ଗାଁ ଆମ ବିକାଶ ଯୋଜନାରେ ୧ କୋଟି ୬୨ ଲକ୍ଷ ଟଙ୍କା ଦୁର୍ନୀତି ମାମଲାରେ ପୋଲିସ ଏହି ବ୍ଲକର ସଦ୍ୟ ଅବସର ନେଇଥିବା ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅମୀୟଚାନ୍ଦ ମଲ୍ଲିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ସେଠାରେ ବେଲ ନାମାଞ୍ଜୁର ହେବାରୁ ତାଙ୍କୁ ଆଳୁପିଙ୍ଗଳ ଜେଲକୁ ପଠାଇ ଦିଆଯାଇଥିବାର ଆଇଆଇସି ରାଜକିଶୋର ବେହେରା କହିଛନ୍ତି।ସୂଚନାଯୋଗ୍ୟ କି ଆମ ଗାଁ ଆମ ବିକାଶ ଯୋଜନା ସମ୍ପର୍କରେ ରେଢୁଆ ଅଞ୍ଚଳର ସାମାଜିକ କର୍ମୀ ଗୋବିନ୍ଦ ଓଝା ସୂଚନା ଆଧାରରେ ତଥ୍ୟ ମାଗିଥିଲେ।ଏଥିରେ ସରକାରଙ୍କ ଜିଏସଟି ଅର୍ଥ ହେରଫେର ହୋଇଥିବା ଜାଣିବା ପରେ ଏ ନେଇ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ତତ୍କାଳୀନ ବିଡ଼ିଓ ଓ ଅନ୍ୟ ଯନ୍ତ୍ରୀଙ୍କ ନାମରେ ଥାନାରେ ଅଭିଯୋଗ କରିଥିଲେ।ପୋଲିସ କେସ ନଂ ୧୬୬/୨୨ରେ ଦଫା ରୁଜୁ କରି ତଦନ୍ତ ଜାରୀ ରଖିଥିଲା।ଏହା ମଧ୍ୟରେ ଜନୈକା ଯନ୍ତ୍ରୀ ପୂର୍ବରୁ ବେଲ ମଧ୍ୟ ହୋଇ ଯାଇଥିଲେ।ପୋଲିସ ଗିରଫ କରିବା ଭୟରେ ଅଭିଯୁକ୍ତ ମଲ୍ଲିକ ଫେରାର ହୋଇଯାଇଥିବାବେଳେ ଏସଆଇ ଅନିଲ କୁମାର ସାହୁ ବିଭିନ୍ନ ସ୍ଥାନରେ ଛାନଭିନ କରି ଶନିବାର ଅପରାହ୍ନରେ ଏହି ଥାନା ଅନ୍ତର୍ଗତ ଗୁଆଳିପୁର ରେଳ ଷ୍ଟେସନ ନିକଟରୁ ତାଙ୍କୁ ଗିରଫ କରିଥିବାର ପ୍ରକାଶ କରିଥିଲେ।ଅଭିଯୁକ୍ତ ମଲ୍ଲିକଙ୍କ ସମ୍ପର୍କୀୟ ଜନୈକା ନାରିନେତ୍ରୀ ରଘୁନାଥପୁର ଅଞ୍ଚଳରେ ପହଞ୍ଚି ତାଙ୍କୁ ଖସାଇ ନେବା ପାଇଁ ଜୋରଦାର ଚାପ ପକାଇଥିଲେ ସୁଧା ଏହା କାର୍ଯ୍ୟ କରିନଥିଲା।ଏହାପରେ ପାଳି କାହାର ବୋଲି ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।


