ଆସନ୍ତା ୧୨ ରେ ଜିଲ୍ଲା ଛାତ୍ର କଂଗ୍ରେସ ତରଫରୁ ମ୍ୟୁନିସିପାଲିଟି ଅଫିସ ଘେରାଉ
ବାଲେଶ୍ୱର, (ସରୋଜ ପଣ୍ଡା):ଆଜି ଅପରାହ୍ନରେ ବାଲେଶ୍ୱର ଜିଲ୍ଲା ଛାତ୍ର କଂଗ୍ରେସ ତରଫରୁ ଏକ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି l ଏହି ପ୍ରେସ ବିଜ୍ଞପ୍ତିରେ ବାଲେଶ୍ୱର ପୌରାଞ୍ଚଳର ସାତଟି ପ୍ରମୁଖ ସମସ୍ୟାକୁ ନେଇ ଛାତ୍ର କଂଗ୍ରେସ ଆସନ୍ତା ଡିସେମ୍ବର ୧୨ ତାରିଖରେ ପୌର କାର୍ଯ୍ୟାଳୟ ଘେରାଉ କରିବାର ନିଷ୍ପତ୍ତି ନେଇଛି l ମଶା ଦାଉରୁ ରକ୍ଷା ପାଇଁ ନିୟମିତ ବ୍ୟବଧାନରେ ଧୂଆଁ ସ୍ପ୍ରେ ଏବଂ ନାଳ ନର୍ଦମାରେ ଲିକ୍ୱିଡ଼ ପକାଇବା, ସହରରେ ଅବହେଳିତ ହୋଇ ପଡ଼ିଥିବା ଗୋପବନ୍ଧୁ ପାର୍କ ଓ ଫକୀର ମୋହନ ଶିଶୁ ଉଦ୍ୟାନର ଉନ୍ନତିକରଣ କରିବା, ଟ୍ରାଫିକ ବହୁଳ ସ୍ଥାନରୁ ଜବରଦଖଲ ଉଚ୍ଛେଦ କରିବା, ଉଠା ଦୋକାନୀଙ୍କ ପାଇଁ ଭେଣ୍ଡିଂ ଜୋନର ବ୍ୟବସ୍ଥା କରିବା, ବୁଲା କୁକୁର ଓ ଗାଈଗୋରୁଙ୍କ ପାଇଁ ସ୍ଥାୟୀ ବ୍ୟବସ୍ଥା କରିବା, ବିଭିନ୍ନ ୱାର୍ଡରେ ଉନ୍ନୟନ ମୂଳକ କାର୍ଯ୍ୟମାନ ତୁରନ୍ତ ଆରମ୍ଭ କରିବା ଏବଂ ଖତଖାଉଥିବା ପୁରୁଣା ସିଟିବସ ଫେରାଇ ନୂତନ ଛୋଟ ବସ ଆଣିବା ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ଦାବିରେ ଛାତ୍ର କଂଗ୍ରେସ ପୌର କାର୍ଯ୍ୟାଳୟ ଘେରିବ ବୋଲି ସୂଚନା ଦେଇଛି l


