ପାଲାକାର ପରିଷଦର ୪୫ତମ ଦୁଇ ଦିନିଆ ଜିଲ୍ଲାସ୍ତରୀୟ ସମ୍ମିଳନୀ ଉଦଯାପିତ
ହାଟଡ଼ିହି, (ବିକାଶ ବିଶ୍ୱାଳ):ଲୋକକଳା ପାଲାର ପାରମ୍ପରିକତାକୁ ବଜାୟ ରଖିବା କଳାକାରଙ୍କ ଧେୟ ହେଉ ବୋଲି ମା ତାରିଣୀ ପାଲାକାର ପରିଷଦର ଜିଲ୍ଲାସ୍ତରୀୟ ସମ୍ମିଳନୀର ଉଦଯାପନି ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୀଳାଚଳ ନିଖିଳ ଉତ୍କଳ ପାଲାଗାୟକ ପରିଷଦର ରାଜ୍ୟ ସଭାପତି ଗାୟକ ସିଦ୍ଧାନ୍ତଦର୍ଶୀ ମଦନ ମୋହନ ଜେନା ମତବ୍ୟକ୍ତ କରିଛନ୍ତି । ଆଜିର ପାଲା ଯେପରି ତାର ପୁର୍ବ ଗୌରବ ଫେରିପାଇବ ସମସ୍ତେ ସେଥିପାଇଁ ଉଦ୍ୟମ କରିବା ଉଚିତ ବୋଲି ସେ ମତବ୍ୟକ୍ତ କରିଥିଲେ । ଜିଲ୍ଲା କାର୍ଯ୍ୟକାରୀ ସଭାପତି ଧିରେନ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉଦ୍ଯାପନୀ ଦିବସର ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ବକ୍ତା ଭାବେ ଆନନ୍ଦପୁର କଲେଜର ପ୍ରାକ୍ତନ ଅଧ୍ୟକ୍ଷ ରମାକାନ୍ତ ନାୟକ ଯୋଗଦେଇ ସମ୍ବର୍ଦ୍ଧନା ଆଗକୁ ବଢ଼ିବାର ବାଟ ଦେଖାଏ ବୋଲି ମତବ୍ୟକ୍ତ କରିବା ସହିତ ସବୁବେଳେ ଉଚିତ କର୍ମ କରିଚାଲ ସଫଳତା ତୁମ ପଛପଛେ ଦୌଡିବ ବୋଲି ମତଦେଇଥିଲେ । ପାଲା ସଂସ୍କୃତି ହେଉଛି ଆଧ୍ୟାତ୍ମିକ ଚେତନା, ସାମାଜିକ ଶୃଙ୍ଖଳା ଓ ସାମାଜିକ ସଂସ୍କୃତିର ରକ୍ଷାକବଚ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନୀତ ଅତିଥି ଭାବେ ରାଜ୍ୟ ପାଲା ପରିଷଦର ସଦସ୍ୟ ଯୁଦ୍ଧିଷ୍ଠିର ପରିଜା ଯୋଗଦେଇ ଓଡିଶାରେ ସାତଶହରୁ ଉର୍ଦ୍ଧ ଲୋକକଳା ଥିଲେବି ପାଲା ଏପରି ଏକ କଳା ଯାହା ହେଉଛି ଶାସ୍ତ୍ରୀୟ ନାଟକ ପାଲା । ଯାହାକି ଶିଶୁ ଠାରୁ ବୃଦ୍ଧବୃଦ୍ଧା ପର୍ଯ୍ୟନ୍ତ ସମସ୍ତଙ୍କ ନିକଟରେ ଗ୍ରହଣୀୟ ହୋଇପାରିଥିଲା । ପାଲା ମାଧ୍ୟମରେ ସୁସ୍ଥ ସମାଜ ଗଠନ ସହିତ ସମାଜ ସଂସ୍କାର ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟତମ ଅତିଥି ଭାବେ ଶିଶୁ ସାହିତ୍ୟିକ ରତ୍ନାକର ଦାସ, ବିଶ୍ୱତାରିଣୀ କଳାକାର ପରିଷଦର ହାଟଡିହି ବ୍ଲକ ସଭାପତି ଅଧିକାରୀ ନାୟକ, ଶରତ କୁମର ସେଠୀ, ଗୌରାଙ୍ଗ ଚରଣ ଜେନା, ପ୍ରମୁଖ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ । ସାଧାରଣ ସମ୍ପାଦକ ସୁଶାନ୍ତ କୁମାର ନାଥ ବାର୍ଷିକ ବିବରଣୀ ପାଠ କରିଥିବାବେଳେ ଗାୟକ ସୁଫଳ କୁମାର ବେହେରା ମଙ୍ଗଳାଚରଣ ପାଠ କରିଥିଲେ । ପାଲାକାର ପରିଷଦର ମିଡିଆସେଲ ସଂଯୋଜକ ନିରଞ୍ଜନ ମହାନ୍ତ ସଭା ସଂଯୋଜନା କରିଥିବାବେଳେ ଲିଙ୍ଗରାଜ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରରୁ ଗାୟକ, ବାୟକ ଓ ସହକାର୍ମୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବାବେଳେ ଯାତ୍ରା କଳାକାର ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ସାମ୍ବାଦିକ, କବି, ଲେଖକ ଓ ସମାଜସେବା କ୍ଷେତ୍ରରେ ଉଲେଖନୀୟ ସଫଳତା ହାସଲ କରିଥିବା ବ୍ୟକ୍ତି ବିଶେଷଙ୍କୁ ମାନପତ୍ର, ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବଦ୍ଧିତ କରାଯାଇଥିଲା । ବିଶେଷକରି ଜିଲ୍ଲାର ଅନେକ ପୁରାତନ ପାଲା ଅନୁଷ୍ଠାନର କର୍ମକର୍ତ୍ତା ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଏହାର ଉଦଘାଟନ ଉତ୍ସବରେ କାର୍ଯ୍ୟକାରୀ ସଭାପତି ଧିରେନ ମହାନ୍ତି ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ଅତିଥି ଭାବେ ଓଡିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ପାଲାକାର ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ, ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ ପଣ୍ଡିତ ଦାମୋଦର ଦାସ, ସ୍ୱତନ୍ତ୍ର ଅତିଥି ଭାବେ ଆନନ୍ଦପୁର ଳେଖକ ସମବାୟ ସମିତିର ସମ୍ପାଦକ ରତ୍ନାକର ଦାସ, ସମ୍ମାନୀତ ଅତିଥି ଭାବେ ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ଶରତ କୁମାର ସେଠୀ, କଳାଶ୍ରୀର ସମ୍ପାଦକ ଅଲେଖ ଚନ୍ଦ୍ର ସେଠୀ, ଅଭ୍ୟର୍ଥନା କମିଟିର ଉପାଧ୍ୟକ୍ଷ ଗୌରାଙ୍ଗ ଚନ୍ଦ୍ର ଜେନା ପ୍ରମୁଖ ଯୋଗଦେଇ ଥିଲେ । ସାଧାରଣ ସମ୍ପାଦକ ସୁଶାନ୍ତ କୁମାର ନାଥ ମଙ୍ଗଳାଚରଣ ପାଠ କରିଥିବାବେଳେ ନିରଞ୍ଜନ ମହାନ୍ତ ମଞ୍ଚ ସଂଯୋଜନା କରିଥିଲେ । ଏହି ଅବସରରେ କାହ୍ନୁ ଚରଣ ବେହେରା, ପଞ୍ଚାନନ ବାରିକ, ଗୟାଧର ନାଥ, ଇଶ୍ୱର ଚନ୍ଦ୍ର ଦାସ, ଜୈମିନି ମହାନ୍ତ ପ୍ରମୁଖ ପାଲା ପରିବେଷଣ କରିଥିଲେ । ସହସମ୍ପାଦକ ତୁଳସୀ ଚରଣ ମହାନ୍ତ, ଦିବାକର ବାରିକ, ତପୋଧନ ଆଇଚ, ଉପେନ୍ଦ୍ରନାଥ ମିଶ୍ର, ବିଦ୍ୟାଧର କବି, ସଦାଶିବ ବାରିକଙ୍କ ସହିତ ବିଶ୍ୱତାରିଣୀ କଳାକର ପରିଷଦର ସମସ୍ତ ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


