ଆଜିଠାରୁ ଆଇଟିଆଇ ପଡ଼ିଆର ପ୍ରତିଭା ସମ୍ମାନ ସମାରୋହ
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ପ୍ରତିଭା ବିକାଶ ଟ୍ରଷ୍ଟ ପ୍ରକ୍ଷରୁ ଆସନ୍ତାକାଲି ସଂଧ୍ୟାରୁ ସ୍ଥାନୀୟ ଆଇଟିଆଇ ପଡ଼ିଆରେ ଆରମ୍ଭ ହେବାକୁ ଯାଉଥିବା ଦୁଇଦିନିଆ ‘ପ୍ରତିଭା ସମ୍ମାନ ସମାରୋହ’ର ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ରାଜ୍ୟ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ସହଯୋଗରେ ଅନୁଷ୍ଠିତ ହେଉଥିବା ଏହି ଉତ୍ସବରେ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର, ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ସଦର ବିଧାୟକ ସ୍ୱରୂପ ଦାସ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ରାଜ୍ୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ସମାଜସେବୀ ପ୍ରକାଶ ମହାନ୍ତିଙ୍କ ସମେତ ବାଲେଶ୍ୱର ଜିଲାପାଳ ଓ ଏସପି ଅତିଥି ଭାବେ ଯୋଗ ଦେବାକୁ ସ୍ୱୀକୃତି ପ୍ରଦାନ କରିଛନ୍ତି । ପ୍ରଥମ ସଂଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଲିଉଡ଼ ଗାୟିକା ଦୀପ୍ତିରେଖା ପାଢ଼ୀ, ପ୍ରଭୁପଦ ମହାନ୍ତି ଓ ଦ୍ୱିତୀୟ ସଂଧ୍ୟାରେ ବଲିଉଡ଼ ଗାୟିକା ଅରୁଣିତା କାଞ୍ଜିଲାଲ ସଙ୍ଗୀତ ପରିବେଷଣ କରିବେ । ଜନସମାଗମ ନିୟନ୍ତ୍ରଣ ପାଇଁ ସବୁପ୍ରକାର ବ୍ୟବସ୍ଥା ହୋଇଥିବା ବେଳେ ଉତ୍ସବକୁ ସଫଳ କରିବା ପାଇଁ ଅନୁଷ୍ଠାନ ପକ୍ଷରୁ ସାଧାରଣ ସମ୍ପାଦକ ଉପନ୍ଦ୍ରେ ନାଥ ପାତ୍ର ସମସ୍ତଙ୍କୁ ନିବେଦନ କରିଛନ୍ତି ।


