ବାଞ୍ଛାନିଧି ଦାସ, ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟର ବାର୍ଷିକ ଉତ୍ସବରେ ୩୧୮ ଛାତ୍ରଛାତ୍ରୀଙ୍କୁ ମେଧାବୃତ୍ତି ପ୍ରଦାନ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସହରର ବଡହାଟସ୍ଥିତ ବାଞ୍ଛାନିଧି ଦାସ, ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟର ବାର୍ଷିକ ଉତ୍ସବ ଅବସରରେ କେନ୍ଦ୍ରାପଡା ଜିଲ୍ଲାର ୫୨ଟି ମହାବିଦ୍ୟାଳୟ ଓ ୫ଟି ବିଦ୍ୟାଳୟର ୩୧୮ଜଣ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ମେଧାବୃତ୍ତି ପ୍ରଦାନ କରାଯାଇଛି । ଏହି ଉପଲକ୍ଷେ ପୈାର ଟାଉନହଲ ପରିସରରେ ଟ୍ରଷ୍ଟର ମୁଖ୍ୟ ପୃଷ୍ଟପୋଷକ ଆମେରିକାସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ପ୍ରଫେସର ଡଃ. ଦେବେନ୍ଦ୍ର କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟର ପ୍ରାକ୍ତନ କୂଳପତି ଡଃ. ଆଦିତ୍ୟ ପ୍ରସାଦ ପାଢୀ ଯୋଗଦେଇ ୫୦ବର୍ଷ ଧରି ଟ୍ରଷ୍ଟର ମୁଖ୍ୟ ପୃଷ୍ଟପୋଷକ ଡଃ. ଦାସ ବିଦେଶ ମାଟିରେ ରହୁଥିଲେବି ନିଜ ଜନ୍ମମାଟିକୁ ଭୁଲି ପାରିନଥିବା ଏକ ହୃଦୟସ୍ପର୍ଶୀ କଥା ବୋଲି କହିଥିଲେ । ଏଥିସହିତ କେନ୍ଦ୍ରାପଡା ଜିଲ୍ଲାର ଗରିବ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ପ୍ରତିବର୍ଷ ସହାୟତା ପ୍ରଦାନ କରିବା ଏକ ବିରଳ ଘଟଣା ବୋଲି କହି ଟ୍ରଷ୍ଟର ଏଭଳି କାର୍ଯ୍ୟକୁ ସେ ତାଙ୍କ ବକ୍ତବ୍ୟରେ ଭୂୟସୀ ପ୍ରଶଂସା କରିଥିଲେ । ସମ୍ମାନୀତ ଅତିଥି ଭାବେ ଭୁବନେଶ୍ୱରସ୍ଥିତ ବିଦ୍ୟାଭବନର ନିର୍ଦେଶକ ପ୍ରଫେସର ରଘୁନାଥ ପଟ୍ଟନାୟକ, ଡାକ୍ତର ବିଶ୍ୱ ପ୍ରକାଶ କାନୁନଗୋ, ସମ୍ମାନୀତ ବକ୍ତା ଭାବରେ ପୂର୍ବତଟ ରେଳ ବିଭାଗର ବରିଷ୍ଠ ଜନସମ୍ପର୍କ ଅଧିକାରୀ ନିରାକାର ଦାସ, ବୈଜୟନ୍ତୀମାଳା ଦାସ ପ୍ରମୁଖ ଯୋଗଦେଇ ଟ୍ରଷ୍ଟର ଏଭଳି କାର୍ଯ୍ୟକ୍ରମର ପ୍ରଶଂସା କରିଥିଲେ । ଏହି ଉତ୍ସବରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ପ୍ରଫୁଲ୍ଲ ଦାସ, ପ୍ରଫେସର ଉତ୍କଳରଞ୍ଜନ ଦାସ, ମମତା ଦାସ, ଅଶୋକ ସାହୁ, ଆଲୋକ ପଟ୍ଟନାୟକ, ରଣଧୀର କୁମାର, ବରିଷ୍ଠ ସାମ୍ବାଦିକ ସଚ୍ଚିକାନ୍ତ ନାଥ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ପ୍ରଫେସର ପାଢୀ, ଗୁଣୁପୁର ଜି.ଆଇ.ଇ.ଟି.ର ଅଧ୍ୟକ୍ଷ ପ୍ରଫେସର ଡଃ. ସତ୍ୟପ୍ରକାଶ ପଣ୍ଡା, ସୋଆ ବିଶ୍ୱବିଦ୍ୟାଳୟର ସଭାପତି ଡଃ. ମନୋଜ ନାୟକଙ୍କୁ “ତୁଳସୀକ୍ଷେତ୍ର ସମ୍ମାନ” ଏବଂ ଅଧ୍ୟାପିକା ଇଂ ବନ୍ଦିତା ଦାସ ଓ କବି ନଳିନୀପ୍ରଭା ନାୟକଙ୍କୁ କାଥରିନ ଦାସ ସ୍ମାରକୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଟ୍ରଷ୍ଟର ପୂର୍ବତନ ଟ୍ରଷ୍ଟି ତଥା ଓଡିଶାର ପ୍ରଥମ ଶିଶୁ ବିଭାଗ ସର୍ଜନ ଡା. ବଳଭଦ୍ର ପ୍ରସାଦ ଦାସଙ୍କ ସ୍ମୃତିରେ ଏକ ପୁସ୍ତକ ‘ସ୍ମୃତିରେ ବଳଭଦ୍ର ଦାସ’ ଉନ୍ମୋଚିତ ହୋଇଥିଲା । ଶାରଦାକାନ୍ତ ଦାସ ଅତିଥି ପରିଚୟ, ଅରୁଣ ପ୍ରତାପ ଦାସ ସ୍ୱାଗତ ଭାଷଣ ଓ ଭୁବନ ମୋହନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ବିନିରାଣୀ ଖଟୁଆ, ପ୍ରଭାତୀ ଧଳ, ମୁକ୍ତାର ଖାଁ, ପ୍ରମୋଦ ମହାପାତ୍ର, ଗୋଲେଖ ପଢିଆରୀ, ଚିତ୍ତରଞ୍ଜନ ଦାସ ପ୍ରମୁଖ ସହଯୋଗ କରିଥିଲେ । ଦୀର୍ଘ ବର୍ଷ ଧରି ଟ୍ରଷ୍ଟର ବିଭିନ୍ନ କାର୍ଯ୍ୟକ୍ରମ ସହିତ ଜଡିତ ରହି କାର୍ଯ୍ୟ କରୁଥିବା ପ୍ରଦିପ କୁମାର ମହାନ୍ତି ଆଜି ତାଙ୍କୁ ସେଥିରୁ ଅବ୍ୟାହତି ଦେବା ପାଇଁ ଟ୍ରଷ୍ଟର ମୁଖ୍ୟ ପୃଷ୍ଟପୋଷକ ଡଃ. ଦାସଙ୍କୁ ଅନୁରୋଧ କରିଥିଲେ ।