ହକି ବିଶ୍ୱକପ ଟ୍ରଫି ସ୍ୱାଗତ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ
ବାଲେଶ୍ୱର, (ସରୋଜ ପଣ୍ଡା):ଆସନ୍ତା ୧୩ରୁ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ-୨୦୨୩ ପାଇଁ ସମଗ୍ର ରାଜ୍ୟକୁ ଉତ୍ସବମୁଖର କରିବାକୁ ଚାଲିଛି ପ୍ରସ୍ତୁତି । ଏନେଇ ପ୍ରତି ଜିଲ୍ଲାରେ ବିଶ୍ୱକପ ଟ୍ରଫି ପରିକ୍ରମା କରୁଅଛି ।ଏହି ପରିପ୍ରେକ୍ଷୀରେ ଆସନ୍ତା ୮ ତାରିଖରେ ହକି ବିଶ୍ୱକପ ଟ୍ରଫି ବାଲେଶ୍ୱର ପରିକ୍ରମା କରିବ । ଏହାର ଭବ୍ୟ ସମ୍ବର୍ଦ୍ଧନା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଦ୍ୱିତୀୟ ପର୍ଯ୍ୟାୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ମହାତ୍ମାଗାନ୍ଧୀ ସଭା ଗୃହରେ ଆୟୋଜିତ ବୈଠକରେ ଅଧ୍ୟକ୍ଷତା ସହ ଜିଲ୍ଲାପାଳ ଦତାତ୍ରୟ ଭାଉସାହେବ ଶିନ୍ଦେ ହକି ବିଶ୍ୱକପ ଟ୍ରଫିର ସ୍ୱାଗତ ସମ୍ବର୍ଦ୍ଧନା ନିମନ୍ତେ ଉଚିତ ପଦକ୍ଷେପ ନେବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବିଶେଷ କରି ୮ ତାରିଖ ସକାଳେ ଆୟୋଜିତ ହେବାକୁ ଥିବା ମିନି ମାରାଥନ୍ ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ହକି ବିଶ୍ୱକପ ଟ୍ରଫିକୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ସହର ପରିକ୍ରମା କରାଯାଇ ରଙ୍ଗାରଙ୍ଗ ମଞ୍ଚରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବ । ଏଥିରେ ଜିଲ୍ଲାର ସବୁ ବର୍ଗର ଲୋକେ ଯୋଗଦେଇ ହକି ବିଶ୍ୱକପ ଟ୍ରଫି ସ୍ୱାଗତକୁ ଅନନ୍ୟ କରିବା ନିମନ୍ତେ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ବାଲେଶ୍ୱର ଅତିରିକ୍ତ ଜିଲ୍ଲାପାଳ ନୀଲୁ ମହାପାତ୍ର, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ରବୀନ୍ଦ୍ର କୁମାର ସାହୁ, ବାଲେଶ୍ୱର ଉପ-ଜିଲ୍ଲାପାଳ ଚୌହାନ କୁନାଲ ମୋତିରାମ, ଜିଲ୍ଲା ସଂସ୍କୃତି ଅଧିକାରୀ ଆଶିଷ କୁମାର ସାହୁ, ଜିଲ୍ଲା କ୍ରୀଡା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ଜେନା, ଜିଲ୍ଲା ଶିକ୍ଷା ଅଧିକାରୀ ବିଷ୍ଣୁ ଚରଣ ସୁତାର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭବାନୀ ଶଙ୍କର ଭୂୟାଁ, ସହକାରୀ ପର୍ଯ୍ୟଟନ ନିର୍ଦ୍ଦେଶକ ଗଗନ କୁମାର ସାହୁ ପ୍ରମୁଖ ବିଭାଗୀୟ ଅଧିକାରୀମାନେ ଏହି ବୈଠକରେ ଯୋଗ ଦେଇଥିଲେ । ହକି ବିଶ୍ୱକ ଟ୍ରଫି ପରିକ୍ରମା ପ୍ରସଙ୍ଗ ପରେ ବାଲେଶ୍ୱର ମହୋତ୍ସବ,\”କୋଶମ୍ବ’ପ୍ରସ୍ତୁତି ସମ୍ପର୍କରେ ଅଧିକାରୀମାନେ ବିସ୍ତୃତ ଆଲୋଚନା କରିଥିଲେ ।


