‘ଜାତୀୟ ଶିଶୁକନ୍ୟା ଦିବସ’ରେ ସଚେତନତା ଶୋଭାଯାତ୍ରା
ବାଲେଶ୍ୱର, (ସରୋଜ ପଣ୍ଡା):ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ‘ଜାତୀୟ ଶିଶୁକନ୍ୟା ଦିବସ-୨୦୨୩’ ସୋମବାର ପାଳିତ ହୋଇଯାଇଛି । ଏହି ଅବସରରେ ଏକ ସଚେତନତା ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ବାହାରି ସହର ପରିକ୍ରମା କରିଥିଲା । ଅତିରିକ୍ତ ଜିଲ୍ଲାପାଳ ନୀଲୁ ମହାପାତ୍ର ପତାକା ଦେଖାଇ ଏହି ଶୋଭାଯାତ୍ରାକୁ ଶୁଭାରମ୍ଭ କରିଥିଲେ । ଭାରତୀୟ ସାମାଜିକ ବ୍ୟବସ୍ଥାରେ କନ୍ୟାରତ୍ନଙ୍କ ସୁରକ୍ଷା ଏକାନ୍ତ ଆବଶ୍ୟକ ହୋଇପଡ଼ିଛି ବୋଲି ସେ କହିଥିଲେ । ସଂସ୍କାରଯୁକ୍ତ ସମାଜ ଗଠନର ମୂଳ ମାଆ ହୋଇଥିବା ବେଳେ ଶିଶୁକନ୍ୟାର ସୁରକ୍ଷା ପ୍ରତି ସବୁ ମହଲରୁ ଉଦ୍ୟମ ପାଇଁ ଶ୍ରୀ ମହାପାତ୍ର ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଯୁବକ ମାଝୀ ଓ ଜିଲ୍ଲା କ୍ରୀଡା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା ଏଥିରେ ଉପସ୍ଥିତ ରହି ଶିଶୁକନ୍ୟା ସୁରକ୍ଷାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ବିଭିନ୍ନ ବିଦ୍ୟାଳୟର ଛାତ୍ରୀଙ୍କ ସମେତ ଅଙ୍ଗନବାଡି କର୍ମୀ ଓ ସହାୟିକା ଏବଂ ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟମାନେ ଏହି ଶୋଭାଯାତ୍ରାରେ ସାମିଲ ହୋଇ କନ୍ୟା ସୁରକ୍ଷା ପାଇଁ ଜନସଚେତନତା ସୃଷ୍ଟି କରିଥିଲେ । ଏହି ଶୋଭାଯାତ୍ରା ସ୍ଥାନୀୟ ବାଳାଶ୍ରମ ଠାରେ ପହଂଚିବା ପରେ ସେଠାରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର କର୍ମଚାରୀମାନେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।