ଆନ୍ଦୋଳନକୁ ଓହ୍ଲାଇବ ୬୬୨ ବର୍ଗ ଅଧ୍ୟାପକ କର୍ମଚାରୀ ସଂଘ
ବାଲେଶ୍ୱର, (ସରୋଜ ପଣ୍ଡା):ଅଧ୍ୟାପକ ଓ କର୍ମଚାରୀଙ୍କ ସ୍ଥିରୀକୃତ ଦରମା ସମ୍ପର୍କିତ ରାଜ୍ୟ କ୍ୟାବିନେଟର ନିଷ୍ପତ୍ତିକୁ ବିରୋଧ କରିଛି ନିଖିଳ ଓଡ଼ିଶା ୬୬୨ ବର୍ଗ ବେସରକାରୀ କଲେଜ ଅଧ୍ୟାପକ ଓ କର୍ମଚାରୀ ସଂଘ । ଏନେଇ ସଂଘର ବାଲେଶ୍ୱର ଶାଖାର କର୍ମକର୍ତ୍ତାମାନେ ବୁଧବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି । ସେମାନଙ୍କ ଆପତ୍ତି ଅନୁସାରେ ଗତ ୨୦୨୧ ମସିହା ଡିସେମ୍ବର ମାସ ୩୦ ତାରିଖରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟର ଅନୁରୂପ ବୈଠକରେ ୭ମ କମିଶନ ସୁପାରିଶ ବେତନ ଆଧାରରେ ଦରମା ପ୍ରଦାନ ପାଇଁ ନିଷ୍ପତି ହୋଇଥିଲା ।ଏହି କ୍ରମରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ୩୯୬/ତା ୧୧.୦୧.୨୦୨୨ବିଜ୍ଞପ୍ତି ଅନୁସାରେ ୧ବର୍ଷ ଧରି ସମାନ ହାରରେ ଅଧ୍ୟାପକମାନେ ଦରମା ପାଇଆସୁଥିଲେ । ତେବେ ଉଲ୍ଲେଖନୀୟ ବିଷୟ ଯେ ଗତ ତା୨୧.୦୧.୨୦୨୩ ରିଖ କ୍ୟାବିନେଟ ନିଷ୍ପତ୍ତିରେ କିଛି କର୍ମଚାରୀ ଓ ଅଧ୍ୟାପକ ମାନଙ୍କୁ“ଅହେତୁକ ଅନୁକଂପା ଦେଖାଇ ପ୍ରାୟ ୧୦ ହଜାର ଟଙ୍କାର ଦରମା ତାରତମ୍ୟ ଘୋଷଣା କରାଯାଇଛି । ଏପରିକି ୪୨୦୦ ଗ୍ରେଡ୍ ପେ ପାଉଥିବା ୪୮୮ ବର୍ଗର ପିଇଟି, ଲାଇବ୍ରେରିଆନ୍ ଓ ଡେମୋନ୍ଷ୍ଟ୍ରେଟରଙ୍କ ଠାରୁ ଗ୍ରେଡ଼୍ ପେ ପାଉଥିବା ୬୬୨କଲେଜ ବର୍ଗର ଅଧ୍ୟାପକ କମ୍ ଦରମା ପାଇବେ ।ଏହି ନିଷ୍ପତ୍ତି ଯୋଗୁଁ ଚାକିରିରେ ବରିଷ୍ଠ ହୋଇ ମଧ୍ୟ ୬୬୨ ବର୍ଗର ଅଧ୍ୟାପକ ଓ କର୍ମରୁରୀଙ୍କୁ ସରକାର ଅଣଦେଖା କରିଛନ୍ତିି ବୋଲି ସଂଘର କର୍ମକର୍ତ୍ତାମାନେ ଆରୋପ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ସଠିକ୍ ତଥ୍ୟ ନ ଦେଇ କିଛି ଉପରିସ୍ଥିତ ଅମଲା କରି ଚକ୍ରାନ୍ତ କରି କେବଳ ଦରମା ବୃଦ୍ଧି ନୁହେଁ ବରଂ ଅଧ୍ୟାପକଙ୍କର ସମ୍ମାନ ହାନି କରିଛନ୍ତିି ବୋଲି ସେମାନେ କହିଛନ୍ତି । ମୁଖ୍ୟ ଶାସନ ସଚିବଙ୍କ ଏଭଳି ନିଷ୍ପତି ନେବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି ସଂଘ ପକ୍ଷରୁ ଅଭିଯୋଗ ହୋଇଛି । ଦୀର୍ଘ ୧ ବର୍ଷ ଧରି ସମାନ ଦରମା ପାଉଥିବା ଅଧ୍ୟାପକଙ୍କ ପାଇଁ ପିଛିଲା ଭାବରେ ତିନୋଟି ଇନ୍କ୍ରିମେଣ୍ଟ ଦେଇଥିଲେ ଉଭୟ ବର୍ଗର ଅଧ୍ୟାପକଙ୍କର ସମାନ କାମକୁ ସମାନ ଦରମା ହୋଇପାରନ୍ତା । ମାତ୍ର ତାହା ନକରି ୪୮୮ବର୍ଗର ଅଧ୍ୟାପକ ଓ କର୍ମରୀମାନଙ୍କୁ କେଉଁ କାରଣ ପାଇଁ ଅହେତୁକ ଅନୁକମ୍ପା କରାଯାଇଛି ବୋଲି ସଂଘର କର୍ମକର୍ତ୍ତାମାନେ ପ୍ରଶ୍ନ କରିଛନ୍ତି । ସରକାର ତୁରନ୍ତ ଏହି ନିଷ୍ପତ୍ତି ପରିବର୍ତ୍ତନ ନ କଲେ ଆସନ୍ତା ଫେବୃଆରୀ ୩ ତାରିଖ ଠାରୁ ଏକ ବିଶାଳ ଆନ୍ଦୋଳନ ମୁଣ୍ଡ ଟେକିବା ସାଙ୍ଗକୁ ସଂଘ +୨ ଓ +୩ ପରୀକ୍ଷାରେ ଅସହଯୋଗ ଓ ମୂଲ୍ୟାୟନ ବର୍ଜନ କରିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ ବେଳେ ସଂଘର ଜିଲ୍ଲା ସଭାପତି ଗଜେନ୍ଦ୍ର ପ୍ରସାଦ ନାୟକ, ଜିଲ୍ଲା ସଂପାଦକ ଜୟନ୍ତ କୁମାର ସେଠୀ, ପ୍ରଶାନ୍ତ କୁମାର ବେହେରା, ଡଃ ଉମାକାନ୍ତ ଜେନା, ଡଃ ଶାନ୍ତନୁ କୁମାର ପାଣି, ସମର ବଲ୍ଲଭ ନାୟକ, ସୁଧୀର ମୁଦୁଲି, କରୁଣାକର ସାହୁ, ଅଶୋକ ରାଉତ, ପ୍ରଶାନ୍ତ ଦାସ, ଜବନିକା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।


