ପାଣି ପଞ୍ଚାୟତ ନିର୍ବାଚନ ସଭାପତି ହେଲେ ରବିଚନ୍ଦ୍ର
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଚିକିଟି ଜଳସମ୍ପଦ ବିଭାଜନ ରାମନଦୀ ସେଚ ପ୍ରକଳ୍ପ ଅଧିନରେ ଥିବା ଘୋଡାହଡ ଜଳସେଚନ ଉପଖଣ୍ଡ କାର୍ଯ୍ୟାଳୟ ମଲ୍ଲିକେଶ୍ୱର ପାଣି ପଞ୍ଚାୟତ ଚକ କମିଟି ନଂ. ୧ ର ଉପ ନିର୍ବାଚନ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ରବିଚନ୍ଦ୍ର ଗୌଡ଼ ସଭାପତି ଓ ସିମାଞ୍ଚଳ ଗୈାଡ ସମ୍ପାଦକ ରୂପେ ଅପ୍ରତିଦ୍ଵନ୍ଦୀ ଭାବେ ନିର୍ବାଚିତ ହୋଇଥିବା ଜଣାପଡିଛି। ପୂର୍ବରୁ ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଚଷା ନିମଖଣ୍ଡି ପଞ୍ଚାୟତରେ ଥିବା ମଲ୍ଲିକେଶ୍ଵର ପାଣି ପଞ୍ଚାୟତ ଚକ କମିଟିର ସଭାପତି ରୂପେ ସୁଦର୍ଶନ ସୁଆର ଓ ସମ୍ପାଦକ ଭାବେ ସୁଧୀର ପାତ୍ର ଦାୟିତ୍ଵରେ ରହିଥିଲେ । କିନ୍ତୁ ଗତ ପଞ୍ଚାୟତ ନିର୍ବାଚନ ପରେ ରାଜନୈତିକ ଶତ୍ରୁତାକୁ କେନ୍ଦ୍ରକରି ଉଭୟଙ୍କୁ ପଥର ଛେଚି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଯାହାଫଳରେ ଉଭୟ ପଦବୀ ବହୁ ଦିନ ଧରି ଖାଲି ପଡିଥିଲା । ବୁଧବାର ଘୋଡାହଡ ଜଳସେଚନ ଉପଖଣ୍ଡ କାର୍ଯ୍ୟାଳୟ ସହକାରୀ ନିର୍ବାହୀ ଯନ୍ତ୍ରୀ ତଥା ନିର୍ବାଚନ ଅଧିକାରୀ ଇଂ . ଏ ଗୋପାଳ ରାଓ , ଅତିରିକ୍ତ ନିର୍ବାଚନ ଅଧିକାରୀ ଇଂ . ଦେବରାଜ ଗୈାଡଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ନିର୍ବାଚନରେ ୧ ନମ୍ବର ପାଣି ପଞ୍ଚାୟତ ଚକ କମିଟିର ସଭାପତି ପଦବୀ ପାଇଁ ରବିଚନ୍ଦ୍ର ଙ୍କ ସମେତ ଦଣ୍ଡାସୀ ମଲ୍ଲିକ ଓ ଭିକାରୀ ବେହେରା ନାମାଙ୍କନ ପତ୍ର ଦାଖଲ କରିଥିଲେ । ପରବର୍ତ୍ତୀ ସମୟରେ ଦଣ୍ଡାସୀ ଓ ଭିକାରୀ ନିଜ ନାମାଙ୍କନ ପ୍ରତ୍ୟାହାର କରିବା ଫଳରେ ରବିଚନ୍ଦ୍ର ଅପ୍ରତିଦ୍ଵନ୍ଦୀ ଭାବେ ନିର୍ବାଚିତ ହୋଇଥିଲେ । ସେହିପରି ସମ୍ପାଦକ ଭାବେ ସିମାଞ୍ଚଳ ଜଣେ ହିଁ ନାମାଙ୍କନ ଦାଖଲ କରିଥିଲେ ମଧ୍ୟ ପ୍ରତିଦ୍ବନ୍ଦି କେହି ନଥିବା ଯୋଗୁଁ ସେ ବିଜୟୀ ହୋଇଥିଲେ । ତେବେ ଏହି ନିର୍ବାଚନରେ ୪୫ ଟି ପାଣି ପଞ୍ଚାୟତ ଚକ କମିଟି ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିବା ବେଳେ ଦିଗପହଣ୍ଡି ଜଳସେଚନ ବିଭାଗ କର୍ମଚାରୀ ପ୍ରଦୀପ କୁମାର ମହାନ୍ତି ଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସମସ୍ତ ପ୍ରକାର ସହଯୋଗ କରିଥିଲେ


