ନାରୀର ଆତ୍ମ ସୁରକ୍ଷା ହିଁ ସମାଜର ପ୍ରଗତି
ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ସଲଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଦୀର୍ଘ ଆଠ ଦିନ ଧରି ଚାଲି ଆସିଥିବା ଛାତ୍ରୀ ଆତ୍ମ ସୁରକ୍ଷା ତାଲିମ ଶିବିର କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବ ପାଳନ ହୋଇଯାଇଛି ।ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ନିରଞ୍ଜନ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ବାଳିକା ଆତ୍ମ ସୁରକ୍ଷା କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜକ ଶ୍ରୀ ଅମ୍ରିତ କୁମାର ସେଠୀ ,ମୁଖ୍ୟ ବକ୍ତା ଭାବେ ଗଂଜାମ ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ମାଧୁରୀ ମହାରଣା ଯୋଗଦେଇ ଆତ୍ମ ସୁରକ୍ଷା କୌଶଳର ଜ୍ଞାନ ଆହରଣ ଦ୍ୱାରା ଛାତ୍ରୀମାନଙ୍କର ମନୋବଳ ଦୃଢ଼ ହେବା ସହ ଆଭ୍ୟନ୍ତରୀଣ ସୌନ୍ଦର୍ଯ୍ୟ ବୃଦ୍ଧି ପାଇ ପାରିବେ ବୋଲି ମତ ଦେଇଥିଲେ ।ନାରୀ ଅନନ୍ୟା, ସ୍ୱୟଂ ସିଦ୍ଧା ,ଜଗତଜିତା ବୋଲି ଉପସ୍ଥିତ ଅଧ୍ୟାପକମାନେ ମତ ପ୍ରକାଶ କରିଥିଲେ ।ଏହି ପରିପ୍ରେକ୍ଷୀରେ ଛାତ୍ରୀମାନଙ୍କ ଦ୍ୱାରା ‘ଆମେ ସମର୍ଥା ‘ନାମକ ଏକ ଏକାଙ୍କିକା ପରିବେଷଣ ହୋଇଥିଲା ।ଇଂରାଜୀ ଅଧ୍ୟାପିକା ଶ୍ରୀମତୀ ବନିତା କୁମାରୀ ଶତପଥୀ ଉକ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ବରିଷ୍ଠ ଅଧ୍ୟାପକ ଗୌରହରି ବେହେରା ,ଭରତ ନାହାକ,ଡ଼.ସୁଧୀରକାନ୍ତ ପାଢ଼ୀ,ଶ୍ରୀମତୀ ଶର୍ମିଷ୍ଠା ସାମନ୍ତରାୟ,କ୍ରୀଡ଼ା ଶିକ୍ଷକ ବାବୁନି ନାୟକ,ଜଗଦୀଶ ଚନ୍ଦ୍ର ବିଶ୍ୱାଳ,ମୋହନ ସୁନ୍ଦର ପଣ୍ଡା,ବିନାୟକ ସାହୁ ଓ ବିଜୟ କୁମାର ସାହୁ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।


