ଆନ୍ତଜିଲ୍ଲା ଡକାୟତି ଦଳ ଗିରଫ, ୯ଅଷ୍ଟଧାତୁ ମୂର୍ତ୍ତି ସମେତ ୫୦ଲକ୍ଷରୁ ଉର୍ଦ୍ଧ୍ୱ ଚୋରୀ ଜିନିଷ ଜବତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ଥାନା ପୋଲିସ ଦ୍ୱାରା ଏକ ଆନ୍ତଜିଲ୍ଲା ଡକାୟତିଦଳର ୬ଜଣ ଡକାୟତଙ୍କୁ ଗିରଫ କରାଯିବା ସହିତ ସେମାନଙ୍କ ଠାରୁ ୯ଟି ଅଷ୍ଟଧାତୁର ବିଭିନ୍ନ ଦେବାଦେବୀଙ୍କ ମୂର୍ତ୍ତି ସମେତ ବିଦ୍ୟୁତ କଣ୍ଡକଟର ଓ ସରଞ୍ଜାମ ପ୍ରଭୃତି ପ୍ରାୟ ୫୦ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଚୋରୀ ଜିନିଷ ଜବତ କରାଯାଇଥିବା ମାର୍ଶାଘାଇ ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରାପଡା ଏସଡିପିଓ ଜୟନ୍ତ କୁମାର ମହାପାତ୍ର ସୂଚନା ଦେଇଛନ୍ତି । ଏସଡିପିଓ ଶ୍ରୀ ମହାପାତ୍ର କହିଥିଲେ ଯେ ଚଳିତମାସ ୨୦ତାରିଖ ବିଳମ୍ବିତ ରାତିରେ ଏକ ହୋଣ୍ଡା ଆମେଜ କାର ଓ ୨ଟି ପିକଅପ ଭ୍ୟାନରେ ୧୦/୧୫ଜଣ ଡକାୟତ ମାର୍ଶାଘାଇ ଲୁଣା ବିଦ୍ୟୁତ(ଟିପିସିଓଡିଏଲ) ସେକ୍ସନରେ ପହଞ୍ଚି କର୍ମଚାରୀଙ୍କୁ ଭୂଜାଲୀ ଓ ଅନ୍ୟାନ୍ୟ ମାରଣାସ୍ତ୍ର ଦେଖାଇବା ସହ ଜୀବନରୁ ମାରିଦେବାର ଭୟ ଦେଖାଇ ସେଠାରୁ ବିଦ୍ୟୁତ ଆଲମୁନିୟମ ତାର, କପର ତାର ଓ ଅନ୍ୟାନ୍ୟ ବିଦ୍ୟୁତ ଉପକରଣମାନ ଡକାୟତି କରି ନେଇଯାଇଥିଲେ । ଏସମ୍ପର୍କରେ ଲୁଣା ବିଦ୍ୟୁତ ସେକ୍ସନର କଂଟ୍ରୋଲରୁମ ଅପରେଟର ସୁଧାଂଶୁଶେଖର ଦାସ ଚଳିତମାସ ୨୧ତାରିଖରେ ମାର୍ଶାଘାଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ସେହି ଅଭିଯୋଗକୁ ଭିତ୍ତିକରି ମାର୍ଶାଘାଇ ଥାନାରେ ୩୫/୨୦୨୩ରେ ଆଇ.ପି.ସି.ର ୩୯୫ଦଫାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିଲା । ଆରକ୍ଷୀ ଅଧିକ୍ଷକ ସମ୍ବିତ ସମ୍ପଦ ମଡକରଙ୍କ ନିର୍ଦେଶ କ୍ରମେ କେନ୍ଦ୍ରାପଡା ଏସଡିପିଓ ଜୟନ୍ତ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଦକ୍ଷ ପୋଲିସ ଅଧିକାରୀ ମାର୍ଶାଘାଇ ଥାନାର ଭାରପ୍ରାପ୍ତ ଇନିସପେକ୍ଟର ଜ୍ୟୋତିରଞ୍ଜନ ସାମନ୍ତରାୟ, ପାଟକୁରା ଥାନା ଅଧିକାରୀ ସରୋଜ ସାହୁ, କୁଦାନଗରୀ ଥାନାର ଭାରପ୍ରାପ୍ତ ଅଧିକାରୀ ଦେବାଶିଷ ପଣ୍ଡା, ଏସ.ଆଇ. ବି.କେ.ଖଟୁଆ ଓ ଜିଲ୍ଲା ପୋଲିସର ସ୍ପେସାଲ ସ୍କ୍ୱାର୍ଡର ଅଧିକାରୀଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ପୋଲିସ ଦଳ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ପ୍ରଥମେ ହୋଣ୍ଡା ଆମେଜ କାରକୁ ଜବତ କରାଯିବା ସହିତ ସେହି କାରରମାଲିକଙ୍କୁ ଧରାଯାଇ ପଚରାଉଚୁରା କରାଯିବାରେ ତାଙ୍କ ଠାରୁ କିଛି କଥା ଜଣାପଡିବା ପରେ ସେହି ଅନୁଯାୟୀ ଅନ୍ୟମାନଙ୍କୁ ଜଣଙ୍କ ପରେ ଜଣଙ୍କୁ ଧରାଯାଇଥିଲା । ଏହି ଡକାୟତି ଘଟଣାର ମାଷ୍ଟରମାଇଣ୍ଡ କଟକ ଜିଲ୍ଲାର କିଷନନଗର ଥାନା ଅନ୍ତର୍ଗତ ମହମ୍ମଦପୁର ଗ୍ରାମର ଧରଣୀଧର ବେହେରାଙ୍କ ପୁଅ ସିମ୍ପା ଓରଫ ଜ୍ୟୋତିପ୍ରକାଶ ବେହେରା(୨୩)କୁ ଧରାଯାଇ ପଚରାଉଚୁରା କରାଯିବା ପରେ ତାଠାରୁ ସୂଚନା ପାଇ ଯାଜପୁର ଜିଲ୍ଲା ବ୍ରହ୍ମବରଦା ଥାନା ଅନ୍ତର୍ଗତ କୁଣ୍ଡପାଟଣା ଗ୍ରାମର ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ପୁଅ ନାରାୟଣ ସାହୁ(୨୯),କଟକ ଜିଲ୍ଲାର ଟାଙ୍ଗି ଥାନା ଅନ୍ତର୍ଗତ ଭାଟିମୁଣ୍ଡା ଗ୍ରାମର ସ୍ୱର୍ଗତ ପଦନ ନାୟକଙ୍କ ପୁଅ ହେମନ୍ତ ନାୟକ(୫୪), ସେହି ଜିଲ୍ଲାର ଟାଙ୍ଗି ଥାନା ଅନ୍ତର୍ଗତ ଭାଟିମୁଣ୍ଡା ଗ୍ରାମର ନୃସିଂହ ଚରଣ ସାହୁଙ୍କ ପୁଅ ଅନିଲ ସାହୁ(୩୩), ସେହି ଜିଲ୍ଲାର ନେମାଳ ଥାନା ଅନ୍ତର୍ଗତ ବଇଁପଡା ଗ୍ରାମର ଦିନବନ୍ଧୁ ନାୟକଙ୍କ ପୁଅ ସୋନୁ ଓରଫ ଦେବେନ୍ଦ୍ର ନାୟକ(୨୧) ଓ କଟକ ଜିଲ୍ଲାର ନେମାଳ ଥାନା ଅନ୍ତର୍ଗତ ଛାପାଚିକଣା ଗ୍ରାମର ନିରଞ୍ଜନ ରାଉଳଙ୍କ ପୁଅ କୁନା ଓରଫ ସଂଗ୍ରାମ ରାଉଳ(୨୫)ଙ୍କୁ ପୋଲିସ ଗିରଫ କରିଥିଲା । ଏଥିସହିତ ସେମାନଙ୍କ ଠାରୁ ୫ହଜାର ୧୧୦କିଲୋଗ୍ରାମର ଆଲୁମିନିଅମ କଣ୍ଡକଟର, ଗୋଟିଏ ଟାଟା ଏସିଇ ନଂ- ଓଡି-୦୫-ଏୟୁ-୧୮୬୫, ଗୋଟିଏ ପିକଅପ ଭ୍ୟାନ ନଂ- ଓଡି-୦୫-ବିଏଫ-୪୨୭୪, ଗୋଟିଏ ହୋଣ୍ଡା ଆମେଜ କାର ନଂ- ଓଡି-୦୨-ଏଏଫ- ୧୯୯୯, ଗୋଟିଏ ଟିଭିଏସ ଆପାଚେ ବାଇକ ନଂ- ଓଡି-୨୯ଏଫ-୦୫୩୨, ଗୋଟିଏ ନମ୍ବର ବିହୀନ ବାଜାଜ ଡିସକଭର ବାଇକ, ଗୋଟିଏ ୟାମାହା ବାଇକ ନଂ- ଓଡି-୦୫- ବିଏ-୪୭୯୩-୦୫୩୨, ଗୋଟିଏ ଓୟାର କଟିଂ ମେସିନ, ଗୋଟିଏ ଉଜନ ମେସିନ ଓ ୯ଟି ଲୁହା ଆଇଡଲସ ପ୍ରଭୃତି ପୋଲିସ ସେମାନଙ୍କ ଠାରୁ ଜବତ କରିଥିଲା । ପୋଲିସ କହିବା ଅନୁଯାୟୀ ସେମାନେ ବିଦ୍ୟୁତ ସରଞ୍ଜାମକୁ ଡକାୟତି କରି ଆଣିବା ପରେ ହେମନ୍ତ ନାଙ୍କୁ ବିକ୍ରୀ କରି ତା ଠାରୁ ୭୦ହଜାର ଟଙ୍କା ଆଣି ନିଜ ନିଜ ମଧ୍ୟରେ ବାଣ୍ଟି ନେଇଥିଲେ । ପଚରାଉଚୁରା ବେଳେ ସେମାନେ କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ ଚକଡା, ନିକିରାଇ ଥାନା ଅନ୍ତର୍ଗତ ଇନ୍ଦୁପୁର ଓ ଧୂମାତ, ଡେରାବିଶ ଥାନା ଅନ୍ତର୍ଗତ ଛତା ଏବଂ ମାହାଙ୍ଗା ଥାନା ଅନ୍ତର୍ଗତ ଭଦ୍ରେଶ୍ୱର ବିଦ୍ୟୁତ ସେକସନ ଅଧିନରୁ ବିଦ୍ୟୁତ ତାର ଓ ସରଞ୍ଜାମ ଚୋରି କରିଥିବା ସ୍ୱିକାର କରିଥିଲେ । ଏନେଇ କେନ୍ଦ୍ରାପଡା ଟାଉନ ଥାନାରେ କେଶ ନମ୍ବର-୨୩୮/୨୦୨୨ରେ ଆଇପିସିର ୩୭୯ଦଫାରେ, ଡେରାବିଶ ଥାନାରେ ୨୨୮/୨୦୨୨ରେ ୩୭୯ ଦଫାରେ, ନିକିରାଇ ଥାନାରେ କେଶ ନମ୍ବର -୧୨/୨୦୨୩ରେ ୩୮୦ଦଫାରେ ଭଦ୍ରେଶ୍ୱର ଥାନାରେ କେଶ ନମ୍ବର- ୪/୨୦୨୩ରେ ୩୭୯ଦଫାରେ ପୃଥକ ପୃଥକ ମାମଲା ରହିଥିବା ସୂଚନା ଦିଆଯାଇଥିଲା । ସମସ୍ତ ଅଭିଯୁକ୍ତମାନଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଥିବା ଏସଡିପିଓ ଶ୍ରୀ ମହାପାତ୍ର ସୂଚନା ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ