ବିନା ଡାକ୍ତରରେ ଚାଲିଛି କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ : ହନ୍ତସନ୍ତ ହେଉଛନ୍ତି ରୋଗୀ
କୋଦଳା, (ଗୁଲସନ କୁମାର କର):ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଡାକ୍ତର ଅଭାବ ଏକ ପ୍ରମୁଖ ସମସ୍ୟା ପାଲଟି ଥିବା ବେଳେ ଗଞ୍ଜାମ ଜିଲ୍ଲା କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଏବେ ଡାକ୍ତର ଅଭାବ ସମସ୍ଯା ଲଗାତାର ୪ ଦିନ ଧରି ଦେଖିବାକୁ ମିଳିଛି। ଉକ୍ତ ହସ୍ପିଟାଲଟି ଆଇପିଏଚ୍ ଷ୍ଟାଣ୍ଡାର୍ଡ ୧ ର ମାନ୍ଯତା ପାଇଥିବା ବେଳେ ଏଠାରେ ୪ ଜଣ ସ୍ପେଶାଲିଷ୍ଟ ଡାକ୍ତରଙ୍କୁ ମିଶାଇ ୧୦ ରୁ ଉର୍ଦ୍ଧ୍ବ ଡାକ୍ତର ରହିବା କଥା। କିନ୍ତୁ ଆଦୌ ଡାକ୍ତର ନଥିବାରୁ ଏବଂ ଜଣେ ମାତ୍ର ଡାକ୍ତର ଛୁଟିରେ ଥିବାରୁ ଏଠାରେ ରୋଗୀ ସେବା ଠପ୍ ହୋଇଯାଇଛି। ଆଜି ଜଣେ ଡାକ୍ତରଙ୍କୁ ଏଠାକୁ ୪ ଦିନ ପାଇଁ ଡେପୁଟେସନ୍ ରେ ଅଣାଯାଇଥିବା ବେଳେ ଆଉ ଜଣେ ଡାକ୍ତର ଆସିବେ ବୋଲି କହିଛନ୍ତି ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ। କେବଳ ଡାକ୍ତର ନୂହେଁ, ଅନ୍ଯାନ୍ଯ ଷ୍ଟାଫ୍ ମଧ୍ୟ ଆବଶ୍ୟକତା ଠାରୁ ଅତି କମ୍ ସଂଖ୍ୟକ ରହିଛନ୍ତି। ଫଳରେ ମେଡିକାଲ ରେ ରୋଗୀ ସେବା ବାଧାପ୍ରାପ୍ତ ହେଉଛି। ଅତି ଛୋଟ ଛୋଟ ରୋଗ କ୍ଷେତ୍ରରେ ଏଠି ରୋଗୀ ମାନଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଉଛି। ଏସବୁ ଅବ୍ଯବସ୍ଥାକୁ ନେଇ ଗତ ମଇ ମାସରେ କୋଦଳା ଏନ୍ଏସି ଅଧ୍ଯକ୍ଷ ସୂର୍ଯ୍ୟ ନାରାୟଣ ନାୟକ, ଉପାଧ୍ୟକ୍ଷା ପ୍ରତିନିଧି ରଜନୀ ସେଠୀ, କୋଦଳା ବିଜେପି ଯୁବମୋର୍ଚ୍ଚା ଅଧ୍ଯକ୍ଷ ଭଗବାନ ସ୍ୱାଇଁ, ରବୀନ୍ଦ୍ର ପରିଡା ପ୍ରମୁଖ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଭେଟି ଦାବି ଜଣାଇଥିଲେ ।ଏଥି ସହିତ ଗଞ୍ଜାମ ଜିଲ୍ଲାପାଳ, ସ୍ବାସ୍ଥ୍ୟ ସଚିବ, ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ମଧ୍ୟ ଚିଠି ଲେଖି ଅବଗତ କରାଇଥିଲେ ।ଏହାପରେ ୨ ଡାକ୍ତର ଏଠାରେ ନିଯୁକ୍ତି ଦିଆଯାଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଡାକ୍ତର ମାନେ ଚାଲି ଯାଇଥିଲେ। ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ କୋଦଳା ଗସ୍ତ କରି ସହରାଞ୍ଚଳ ସ୍ବାସ୍ଥ୍ୟ କେନ୍ଦ୍ର ଉଦଘାଟନ କରିଥିଲେ। ଏହି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପ୍ରଶଂସା କରିଥିଲେ। ରାଜ୍ୟ କାୟାକଳ୍ପ ଟିମ୍ ସ୍ବଚ୍ଛତା ଓ ଭିତ୍ତିଭୂମି ପାଇଁ ପୁରସ୍କାର ଦେଇଛନ୍ତି। କିନ୍ତୁ ଏସବୁ ଭିତରେ ହସ୍ପିଟାଲକୁ ମୁଖ୍ୟତଃ ଡାକ୍ତର ନିଯୁକ୍ତି ଅତି ଆବଶ୍ୟକ ହେଉଥିବା ବେଳେ ତାହା ସମ୍ଭବ ହୋଇ ପାରୁନାହିଁ। ତେବେ ଏହି ଅବ୍ଯବସ୍ଥା ପାଇଁ ଦାୟୀ କିଏ? ସ୍ଥାନୀୟ ବିଧାୟିକାକଂ ଆନ୍ତରିକତା ଅଭାବ ବୋଲି ବିରୋଧୀ କହୁଥିବା ବେଳେ ତୁରନ୍ତ ଏଥିପ୍ରତି ପଦକ୍ଷେପ ନିଆ ନ ଗଲେ ଆନ୍ଦୋଳନ ଉଗ୍ରରୂପ ନେବ ବୋଲି କହିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ।