ବ୍ୟାଙ୍କ ଭିତରେ ମ୍ୟାନେଜରଙ୍କୁ ମାଡ ମାରିବା ମହଙ୍ଗା ପଡିଲା, ନିଲମ୍ବିତ ହେଲେ କେସିୟର
ହାଟଡ଼ିହି, (ବିକାଶ ବିଶ୍ୱାଳ):ବ୍ୟାଙ୍କ ଭିତରେ ବ୍ୟାଙ୍କ ମ୍ୟାନେଜରଙ୍କୁ ମାଡ ମାରିବା ମହଙ୍ଗା ପଡିଛି । ଯାହା ଫଳରେ କି ବ୍ୟାଙ୍କ ଉଚ୍ଚ କର୍ତ୍ତୁପକ୍ଷ ମାଡ ମାରିଥିବା କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି । ସୁଚନାରୁ ଜଣାଯାଇଛି ଯେ ମଙ୍ଗଳବାର ଦିନ ୧୨ଟାବେଳେ ବ୍ୟାଙ୍କ କାର୍ଯ୍ୟାଳୟ ଭିତରେ ପ୍ରବଳ ଗହଳି ଲାଗି ରହିଥିଲା । ଲୋକମାନେ ଟଙ୍କା କାରବାର ପାଇଁ ଧାଡିବାନ୍ଧି ଠିଆ ହୋଇଥିେଲେ । ବ୍ୟାଙ୍କ ଶାଖା ପରିଚାଳକ ଶ୍ରୀକୃଷ୍ଣ ଚନ୍ଦ୍ର ପଣ୍ଡା କୌଣସି କାମରେ କ୍ୟାସ କାଉଣ୍ଟର ପାଖକୁ ଆସିଥିଲେ । ସେଠାରେ କେସିୟର ଥିବା ପ୍ରସନ୍ନ କୁମାର ମିଶ୍ର ଓ ଶାଖା ପରିଚାଳକଙ୍କ ଭିତରେ କୌଣସି କାରଣକୁ ନେଇ ପାଟିତୁଣ୍ଡ ହେବା ପରେ କେସିୟର ଜଣକ ହଠାତ ମ୍ୟାନେଜରଙ୍କୁ ହାତ ଉଠାଇ ମାଡ ମାରିଚାଲିଲେ । ଏପରିକି କେସିୟରଙ୍କ କ୍ୟାସ କାଉଣ୍ଟର ଠାରୁ ଶାଖା ପରିଚାଳକଙ୍କ ରୁମ ପର୍ଯ୍ୟନ୍ତ ଫିଲ୍ମ ଷ୍ଟାଇଲରେ ମାରି ମାରି ଆଣିଥିଲେ । ସେଠାରେ ଉପସ୍ଥିତ ଶହଶହ ଗ୍ରାହକ କେବଳ ଦର୍ଶକ ସାଜିଥିଲେ । ଜଣେ ଅଧିକାରୀଙ୍କୁ ଏପରି ହଠାତ ହାତ ଉଠାଇ ମାଡ ମାରିବା ଘଟଣାକୁ ଗ୍ରାହକମାନେ ସହଜରେ ଗ୍ରହଣ କରିପାରି ନଥିଲେ । ଗ୍ରାହକ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଏପରିକି କିଛି ସମୟ ପର୍ଯ୍ୟନ୍ତ ବ୍ୟାଙ୍କ କାର୍ଯ୍ୟ ମଧ୍ୟ ବନ୍ଦ ହୋଇଯାଇଥିଲା । ଏନେଇ ଶାଖା ପରିଚାଳକ ପୁଲିସକୁ ନଜଣାଇ ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷଙ୍କୁ ଜଣାଇଥିଲେ । ଉଚ୍ଚ କର୍ତ୍ତୁପକ୍ଷ ବ୍ୟାଙ୍କରେ ପହଞ୍ଚି କିଛି ପ୍ରତ୍ୟେକ୍ଷଦର୍ଶୀଙ୍କ ଠାରୁ ସାକ୍ଷପ୍ରମାଣ ଗ୍ରହଣ କରିବା ସହିତ କର୍ମଚାରୀଙ୍କୁ ପଚରାଉଚୁରା କରିବାପରେ କେନ୍ଦୁଝର ଜୋନର ଆସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜର ମହେନ୍ଦ୍ରନାଥ ସୋରେନ ତାଙ୍କୁ କାର୍ଯ୍ୟାଳୟରୁ ନିଲମ୍ବିତ କରିଛନ୍ତି ।


