୧୦ରୁ ଆଇଟିଆଇ ପଡ଼ିଆରେ ଆକ୍ୱା ଏକ୍ସପୋ-୨୦୨୩
ବାଲେଶ୍ୱର, (ସରୋଜ ପଣ୍ଡା):ଆସନ୍ତା ୧୦ ଓ ୧୧ ତାରିଖରେ ସ୍ଥାନୀୟ ଆଇଟିଆଇ ପଡ଼ିଆରେ ଆୟୋଜିତ ହେବାକୁ ଯାଉଥିବା ଜାତୀୟ ସ୍ତରୀୟ ଜଳଚର ପ୍ରଦର୍ଶନୀ ‘ଆକ୍ୱା ଏକ୍ସପୋ-୨୦୨୩’ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ହାଇଦରାବାଦ ଏନଆରଏସ ପବ୍ଲିକେସନ, ଓଡ଼ିଶା ଆକ୍ରାଟିକ ଫିଡ଼ ଓ ମେରାଇନ ଏକ୍ସପୋର୍ଟର ଆସୋସିଏସନ, ଓଡିଶା ଶ୍ରିମ୍ପ ଫାର୍ମର୍ସ ଆସୋସିଏସନ, ବାଲେଶ୍ୱର ଶିଳ୍ପ ଓ ବାଣିଜ୍ୟ ସଙ୍ଘ ଏବଂ ଓଡିଶା ଆକ୍ୱା ଏମ୍ପେ୍ଲୟିଜ ଆସୋସିଏସନର ମିଳିତ ସହଯୋଗରେ ଏହି ଏକ୍ସପୋ ଅନୁଷ୍ଠିତ ହେଉଛି । ଏଥିରେ ଓଡ଼ିଶା ଓ ରାଜ୍ୟ ବାହାରୁ ପ୍ରାୟ ୬୦/୭୦ କମ୍ପାନୀଙ୍କ ଉତ୍ପାଦ ୧୨୦ଟି ଷ୍ଟଲରେ ପ୍ରଦର୍ଶିତ ହେବ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆୟୋଜକ କମିଟି କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି । ବିଶେଷ କରି ଭାରତୀୟ ମତ୍ସ୍ୟ ଓ ଖାରି ଚିଙ୍ଗୁଡ଼ି ଚାଷ କ୍ଷେତ୍ରରେ ନୂତନ ଯାନ୍ତ୍ରିକ ଓ ବୈଷୟିକ ଜ୍ଞାନ କୌଶଳର ବ୍ୟବହାର ସହ ଚାଷୀମାନେ କିପରି ଅଧିକ ଅମଳକ୍ଷମ ହେବେ ଏବଂ କିପରି ଉତ୍ପାଦନ ମୂଲ୍ୟ ହ୍ରାସ ହୋଇପାରିବ, ସେ ସମ୍ପର୍କରେ ଜ୍ଞାନ ଲାଭ ଉଦ୍ଦେଶ୍ୟରେ ଏହି ଏକ୍ସପୋ ଆୟୋଜନ ହେବାକୁ ଯାଉଥିବା ସେମାନେ ପ୍ରକାଶ କରିଛନ୍ତି । ଏଥି ସହିତ ସ୍ଥାନୀୟ ଚାଷୀମାନେ ମତ୍ସ୍ୟ ଓ ଚିଙ୍ଗୁଡ଼ି ଚାଷ ସମ୍ପର୍କିତ ବିଭିନ୍ନ ସମସ୍ୟାର ସମାଧାନ ବାବଦରେ ବିଶେଷଜ୍ଞଙ୍କଠାରୁ ଜାଣିବାର ଅବକାଶ ପାଇବେ । ବଡ଼ ବଡ଼ କମ୍ପାନୀର ବିଶେଷଜ୍ଞଙ୍କ ସହ ସିଧାସଳଖ କଥା ହେବା ସାଙ୍ଗକୁ ଚାଷରେ ନୂତନ ଜ୍ଞାନ କୌଶଳ ପ୍ରୟୋଗ ସମ୍ପର୍କରେ ଜ୍ଞାନ ଆହୋରଣ କରିବେ ।ଏହି ଏକ୍ସପୋରେ ପ୍ର୍ରଥମ ଦିନରେ ୧୪ ହଜାରରୁ ଅଧିକ ଚାଷୀ ଅଂଶ ଗ୍ରହଣ କରିବେ ବୋଲି ଆୟୋଜକ କମିଟି କର୍ମକର୍ତ୍ତାମାନେ ଆଶା ପ୍ରକାଶ କରିଛନ୍ତି । ଆକ୍ୱା ଏକ୍ସପୋକୁ ରାଜ୍ୟ କୃଷି ଓ ମତ୍ସ୍ୟ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଉଦଘାଟନ କରୁଥିବା ବେଳେ ସଦର ବିଧାୟକ ସ୍ୱରୂପ ଦାସ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ଓ ବାଲେଶ୍ୱର ଜିଲାପାଳ ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ୧୦ ତାରିଖ ସନ୍ଧ୍ୟାରେ ସଭାକାର୍ଯ୍ୟ ପରେ ଓଡ଼ିଶାର ଖ୍ୟାତନାମା କଣ୍ଠଶିଳ୍ପୀ ଅସୀମା ପଣ୍ଡା ସଙ୍ଗୀତ ପରିବେଷଣ କରିବେ ଓ ୧୧ ସନ୍ଧ୍ୟାରେ ଏହି ପ୍ରଦର୍ଶନୀ ଉଦଯାପିତ ହେବ । ଜିଲାର ମତ୍ସ୍ୟ ଓ ଚିଙ୍ଗୁଡ଼ି ଚାଷର ବିକାଶ ସାଙ୍ଗକୁ ଚାଷୀଙ୍କ ଉନ୍ନତିରେ ଆୟୋଜିତ ଏହି ପ୍ରଦର୍ଶନୀର ସମ୍ଭାବ୍ୟ ସଫଳ ଉପରେ ଆୟୋଜକ କମିଟିର କର୍ମକର୍ତ୍ତାମାନେ ଗୁରୁତ୍ୱାରୋପ କରିଛନ୍ତି ।ଏହି ଦୁଇଦିନିଆ ପ୍ରଦର୍ଶନୀରେ ଅଧିକରୁ ଅଧିକ ଚାଷୀ ଯୋଗଦାନ ପାଇଁ ସେମାନେ ନିବେଦନ କରିଛନ୍ତି । ବାଲେଶ୍ୱର ଚାମ୍ବର ଅଫ ଇଣ୍ଡଷ୍ଟ୍ରିଜ ଏଣ୍ଡ କମର୍ସର ସଭାପତି ସଞ୍ଜୟ ଦାସ, ଆକ୍ୱାଟିକ୍ ଫିଡ ଡିଲର୍ସ ଏଣ୍ଡ ଏକ୍ସପୋର୍ଟ୍ସ ଆସୋସିଏସନର ସାଧାରଣ ସମ୍ପାଦକ ଅଭୟ ମହାପାତ୍ର, ଆକ୍ୱା ଏକ୍ସପୋର ଆୟୋଜନ କମିଟିର ସମ୍ପାଦକ (ଫାଇନାନ୍ସ) ଦିଲ୍ଲୀପ କୁମାର ସାହୁ, ସହ୦ ସମ୍ପାଦକ ମନୋରଞ୍ଜନ ପଣ୍ଡା, ତୁଷାରକାନ୍ତି ପଣ୍ଡା, ହାଇଦରାବାଦର ଏନ ଆର ପବ୍ଲିକେଶନ ମୁଖ୍ୟ ତଥା ଏକ୍ୱା ଏକ୍ସପୋ ଆୟୋଜନ କମିଟିର ମୁଖ୍ୟ ଏମ ଏ ନଜିର ପ୍ରମୁଖ ଏହି ସାମ୍ୱାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।


