ଧୁମଧାମରେ ଚାଲିଛି ମା ରାମଚଣ୍ଡୀଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ

ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ଉପକଣ୍ଠର ନିଳାଦ୍ରିପୁର ଗ୍ରାମ ପାହାଡ ଶିଖରେ ବିଜେ କରିଥିବା ମା ରାମଚଣ୍ଡୀଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ ଗତ ବୁଧବାର ଠାରୁ ରୀତିନୀତି ଅନୁଯାୟୀ ପାଳନ ହୋଇ ଆସୁଛି । ଏହି ଅବସରରେ ମାଙ୍କୁ ଦର୍ଶନ କରିବା ଲାଗି ଗଞ୍ଜାମ ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରୁ ଭକ୍ତ ମାନେ ମାଙ୍କ ମନ୍ଦିରକୁ ଛୁଟି ଆସୁଛନ୍ତି । ଆଉ ସେମାନେ ଯେପରି ସୁବିଧାରେ ମାଙ୍କ ଦର୍ଶନ କରିପାରିବେ ସେଥି ଲାଗି ମନ୍ଦିର ପରିଚାଳନା କମିଟି ପକ୍ଷରୁ ବହୁ ସ୍ୱେଚ୍ଛାସେବୀ ମାନଙ୍କୁ ନିୟୋଜିତ କରାଯାଇଛି । ଭକ୍ତ ମାନଙ୍କ ସୁବିଧା ଲାଗି ମନ୍ଦିର କମିଟି ପକ୍ଷରୁ ସ୍ୱତନ୍ତ୍ର ଗାଡିର ବ୍ୟବସ୍ଥା କରାଯାଇଥିବା ବେଳେ ପାହାଡକୁ ଯିବା ପାଇଁ ଥିବା ରାସ୍ତାର ବିଭିନ୍ନ ସ୍ଥାନରେ ଜଳ ଛତ୍ର ମାନ ଖୋଲାଯାଇଛି । ବିଭିନ୍ନ ଆଲୋକ ତୋରଣରେ ସାରା ପର୍ବତକୁ ସୁସଜ୍ଜିତ କରାଯାଇଛି । ମାଙ୍କ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ନିମନ୍ତେ ନିଳାଦ୍ରିପୁର, କରପଡା, ଆଲିଆବାଦ ଓ ବିରିପୁର ଗ୍ରାମ ସମେତ ଆଖପାଖ ଅଂଚଳ ମଧ୍ୟ ବେଶ୍ ଉତ୍ସବମୁଖର ହୋଇପଡିଛି । ଏହି ଅବସରରେ ଘୃତ ଯଜ୍ଞ, ଅନ୍ନ ଯଜ୍ଞ, ଦୀପ ଯଜ୍ଞ, ଗୋ ଯଜ୍ଞ, ଜ୍ଞାନ ଯଜ୍ଞ, ବ୍ରହ୍ମ ଯଜ୍ଞ ଓ ନାମ ଯଜ୍ଞ ଆଦି ମହା ଆଡମ୍ଭର ସହକାରେ ଚାଲୁ ରହିଥିବା ବେଳେ ଆଜି ପାଦଶୀଳା, ତ୍ରିଶୂଳ ଓ ଧ୍ୱଜ ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଛତ୍ରପୁର ବ୍ଲକ କାଳିଆବାଲି ସ୍ଥିତ ଘଡଘଡାପଲ୍ଲୀର ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ କାମିନୀ ଦାସୁଡୁ ସତ୍ୟମ ସେବା ନୃତ୍ୟମ କଳା କେନ୍ଦ୍ର (ଭାଗବତ ଗାଦୀ) ପକ୍ଷରୁ କେନ୍ଦ୍ର ର ସଭାପତି ତଥା ଜୟଦେବ ପୁରସ୍କାର ପ୍ରାପ୍ତ ବଡ ଦାସୁଡୁ ନୃତ୍ୟଗୁରୁ ଆର. ସତ୍ୟମ ରେଡ୍ଡୀ ନେତୃତ୍ୱରେ ଏକ ଦଳ ମା ରାମଚଣ୍ଡୀଙ୍କ ପାଦ ଦେଶରୁ ହାତରେ କୋହଲା ଧରି ଦାସୁଡୁ ନୃତ୍ୟ କରି ମାଙ୍କ ମନ୍ଦିରରେ ପହଂଚି ମାଙ୍କୁ ଦର୍ଶନ କରିବା ସହ ବିଶ୍ୱ ମଙ୍ଗଳ ନିମନ୍ତେ ପ୍ରାର୍ଥନା କରିଥିଲେ । ମାଙ୍କ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଲାଗି ଛତ୍ରପୁର ଉପକଣ୍ଠରେ ଏକ ଆଧ୍ୟାତ୍ମିକ ପରିବେଶ ଅନୁଷ୍ଠିତ ହୋଇଛି । ଖାଲି ସେତିକି ନୁହେଁ, ମାଙ୍କ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଆକର୍ଷଣ କରିବା ଲାଗି ଏବଂ ଛୋଟ ଛୋଟ ପିଲାମାନଙ୍କ ମନୋରଞ୍ଜନ ପାଇଁ ପାହାଡ ପାଦ ଦେଶରେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ରାମଦୋଳି, ମୀନା ବଜାର ସମେତ ଭଜନ ସମାରୋହର ଆୟୋଜନ କରାଯାଇଛି । ପ୍ରତିଦିନ ନାମ ସଂକୀର୍ତ୍ତନ ସାଙ୍ଗକୁ ଅନ୍ନ ପ୍ରସାଦର ବ୍ୟବସ୍ଥା କରାଯାଇଥିବାରୁ ହଜାର ହଜାର ଭକ୍ତ ମାଙ୍କ ପୀଠକୁ ଆସି ମାଙ୍କୁ ଦର୍ଶନ କରିବା ସହିତ ଅନ୍ନ ପ୍ରସାଦ ସେବନ କରି ଆନନ୍ଦରେ ଘରକୁ ଫେରୁଥିବା ଦେଖିବାକୁ ମିଳିଛି । ରବିବାର ମା ରାମଚଣ୍ଡୀଙ୍କ ସିଂହାସନ ଆରୋହଣ ଓ ସୋମବାର ଦିନ ନାମ ବିଶ୍ରାମ ଓ ନଗର କୀର୍ତ୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଥିବା ମନ୍ଦିର ପରିଚାଳନା କମିଟି ପକ୍ଷରୁ ସୂଚନା ମିଳିଛି । ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ପାହାଡ ପାଦଦେଶ ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ବହୁ ପୋଲିସ୍ ମୃତୟନ କରାଯାଇଛି । ସମସ୍ତ କାର୍ଯ୍ୟକ୍ରମକୁ ମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ ପରିଚାଳନାରେ ସହଯୋଗ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ