ଆନନ୍ଦପୁର-ଭଦ୍ରକ ରାସ୍ତାରେ ଲୁହାପଥର ଟ୍ରକ ଚଳାଳଚଳକୁ ନେଇ ବଢ଼ୁଛି ଅସନ୍ତୋଷ

ହାଟଡ଼ିହି, (ବିକାଶ ବିଶ୍ୱାଳ):ଆନନ୍ଦପୁର-ଭଦ୍ରକ ରାଜ୍ୟ ରାଜପଥରେ ଏବେ ଲୁହାପଥର ଟ୍ରକ ଚଳାଚଳକୁ ନେଇ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଏହି ରାସ୍ତାଦେଇ ଲୁହାପଥର ବୋଝେଇ ଭାରିଯାନ ଚଳାଚଳ କରିବାର ଅନୁମତି ନଥିଲେ ମଧ୍ୟ କିପରି ଶହଶହ ଗାଡି ଚଳାଚଳ କରୁଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯୋଡା ଅଞ୍ଚଳରୁ ଆସୁଥିବା ଏହି ଲୁହାପଥର ବୋଝେଇ ଗାଡି ଗୁଡିକ କେନ୍ଦୁଝରରୁ ପାଣିକୋଇଲି ଦେଇ ଧାମରା ଯିବାକୁ ଥିବାବେଳେ ଶହଶହ ଟ୍ରକ ଆନନ୍ଦପୁରରୁ ଛେନାପଦି ବାଟଦେଇ ଭଦ୍ରକ ଯାଉଛନ୍ତି । ଧମରା ଯିବାକୁ ଏହା ଏକ ଗଳାବାଟ ହୋଇଥିବାରୁ ଏହି ଗାଡି ଗୁଡିକ ଦୁଇ ଦୁଇଟି ଟୋଲ ଗେଟ ଦେୟରୁ ବର୍ତ୍ତିବା ସହିତ ୩୦କିଲୋମିଟର ବାଟ ମଧ୍ୟ କମି ଯାଉଛି । ଯାହା ଫଳରେ ଗାଡି ମାଲିକମାନେ ଅନେକ ଲାଭବାନ ହେଉଛନ୍ତି । କିନ୍ତୁ ଆନନ୍ଦପୁର-ଭଦ୍ରକ ରାସ୍ତାଟି ଅଣ ଓସାରିଆ ରାସ୍ତା ହୋଇଥିବାରୁ ଏତେ ସଂଖ୍ୟକ ଗାଡି ଚଳାଚଳ କରୁଥିବାରୁ ସାଧାରଣ ଲୋକମାନେ ଯିବା ଆସିବା କ୍ଷେତ୍ରରେ ନାନା ଅସୁବିଧା ଭୋଗ କରୁଛନ୍ତି । ଏହି ରାସ୍ତା ଉପରେ ଆନନ୍ଦପୁର ଠାରୁ ଭଦ୍ରକ ମଧ୍ୟରେ ଅନେକ ସ୍କୁଲ, କଲେଜ ପଡୁଥିବାବେଳେ ଛାତ୍ରଛାତ୍ରୀମାନେ ମଧ୍ୟ ଯାତାୟତ କରିବାକୁ ନିରାପଦ ମଣୁ ନାହାନ୍ତି । ଏପରିକି ସନ୍ଧ୍ୟା ପରଠାରୁ କେବଳ ଲୁହାପଥର ବୋଝେଇ ଟ୍ରକ ବ୍ୟତିତ ଅନ୍ୟ କିଛି ଗାଡି ଯାତାୟତ କରିପାରୁ ନାହିଁ । ଅନେକ ସମୟରେ ଏହି ଲୁହାପଥର ଗାଡିଚଳାଚଳ ଯୋଗୁଁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିବାବେଳେ ଅନେକ ସ୍ଥାନରେ ଦୁର୍ଘଟଣା ଘଟି ଧନଜୀବନ ହାନୀ ଘଟୁଛି । ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ବିଶେଷକରି ଆନନ୍ଦପୁର ବୈତରଣୀ ନଦୀର ପୋଲ ଦୁର୍ବଳ ଥିବାରୁ ଏହା ଉପରେ ଭାରିଯାନ ଚଳାଚଳ କରିବା ଉପରେ କଟକଣା ଥିଳେବି ପୋଲ ଉପର ଦେଇ ଶହଶହ ଲୁହାପଥର ବୋଝେଇ ଗାଡି ଚଳାଚଳକୁ ପୁଲିସ କି ପ୍ରଶାସନ କାହିଁକି ରୋକ ଲଗାଉ ନାହାନ୍ତି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେହିପରି ଆନନ୍ଦପୁର-ଭଦ୍ରକ ରାଜ୍ୟ ରାଜପଥଟି ଭାରିଯାନ ଚଳାଚଳ କରିବା ଦିଗରେ ସେତେଟା ସୁଦୃଢ଼ ନଥିବାବେଳେ ଏହି ରାସ୍ତାଦେଇ ୧୨/ ୧୪/ ୧୬ଚକିଆ ଭାରିଯାନ ଗୁଡିକ ଯାତାୟତ କରୁଥିବାରୁ ରାସ୍ତାଟି ଭାଙ୍ଗିରୁଜି ନଷ୍ଟ ହୋଇଯିବାର ଆଶଙ୍କା ଦେଖା ଦେଇଛି । ପ୍ରଶାସନ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ