ଏସିଡ଼ ଆକ୍ରମଣ ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତ ଚନ୍ଦନ ଗିରଫ
ବାଲେଶ୍ୱର, (ସରୋଜ ପଣ୍ଡା):ଏସିଡ଼ ଆକ୍ରମଣ ଜନିତ ମହିଳା ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତ ସ୍ୱାମୀ ଚନ୍ଦନ କୁମାର ରଣା(୨୯)ଙ୍କ ସମେତ ମୋଟ ୮ଜଣଙ୍କୁ ପୁଲିସ ଗିରଫ କରିଛି । ପୂର୍ବରୁ ଚନ୍ଦନର ପ୍ରଥମ ପତ୍ନୀ ଓ ଅନ୍ୟ ୫ ଜଣ ସହଯୋଗୀ ଅଭିଯୁକ୍ତ ଗିରଫ ହୋଇଥିଲେ । ତେବେ ଗତ ୨୦ ତାରିଖରୁ ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ଚନ୍ଦନ ଓ ୬୫ ବର୍ଷୀୟ ବେଆଇନ ଏସିଡ଼ ବକ୍ରେତାଙ୍କୁ ପୁଲିସ ଗୁରୁବାର ଗିରଫ କରିଛି ବୋଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବାଲେଶ୍ୱର ଏସପି ସାଗରିକା ନାଥ ସୂଚନା ଦେଇଛନ୍ତି । ଦ୍ୱିତୀୟ ପତ୍ନୀ ବନିତା ସିଂ (୨୦)ଙ୍କ ଉପରେ ଏସିଡ଼ ଆକ୍ରମଣ କରି ଗତ ୨୦ ତାରିଖରୁ ଚନ୍ଦନ ଫେରାର ହୋଇଯାଇଥିଲା । ତାକୁ ଧରିବା ପାଇଁ ଜିଲା ପୁଲିସ ପକ୍ଷରୁ ମୋଟ ୫ ଗୋଟି ଟିମ ଗଠନ କରାଯାଇ ତଦନ୍ତ ଜାରି ରହିଥିଲା । ସ୍ଥାନୀୟ ପୁଲିସ ଟିମ ଓ ଗୋଟିଏ ସାଇବର ଟିମ ସହିତ ଅନ୍ୟ ୩ ଗୋଟି ଟିମ ପଶ୍ଚିମବଙ୍ଗ, ମହାରାଷ୍ଟ ଓ ତାମିଲନାଡ଼ୁ ପ୍ରଭୃତି ରାଜ୍ୟକୁ ଯାଇ ମୁଖ୍ୟ ଅଭିଯୁକ୍ତ ଚନ୍ଦନକୁ ଖୋଜାଖୋଜି କରିଥିଲା । ବିଶେଷ କରି ସାଇବର ଟିମର ମୋବାଇଲ ଟ୍ରାକିଂକୁ ଅନୁରସରଣ ପୂର୍ବକ କୋଲକାତା, ମହାରାଷ୍ଟ୍ର ଓ ତାମିଲନାଡ଼ୁ ପୁଲିସର ସହଯୋଗରେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ଏସପି ଶ୍ରୀମତୀ ନାଥ ପ୍ରକାଶ କରିଛନ୍ତି । ବନିତାଙ୍କୁ ଜୀବନରୁ ମାରିଦେବା ପାଇଁ ଚନ୍ଦନ ପୂର୍ବରୁ ପ୍ରସ୍ତୁତି କରିଥିଲା । ସେଦିନ ଯଦି ବନିତା ୨୦ ତାରିଖରେ ତା’ସଙ୍ଗରେ ଘରକୁ ଯାଇଥା’ନ୍ତା ତାହାଲେ ତାକୁ ମାରି ତା’ର ମୃତଦେହ ପୋଡ଼ିବା ପାଇଁ ଚନ୍ଦନ ପେଟ୍ରୋଲ କିଣି ସାରିଥିଲା ବୋଲି ପୁଲିସ ଆଗରେ ମାନଥିବା ଏସପି ସୂଚନା ଦେଇଛନ୍ତି । ସହଦେବଖୁଣ୍ଟା ଥାନା କେସ ନଂ ୫୬/୨୩ ମୂଳେ ପୂର୍ବରୁ ଗିରଫ ୬ ଅଭିଯୁକ୍ତଏବେ ଜେଲରେ ଥିବା ବେଳେ ଆଜି ମୁଖ୍ୟ ଅଭିଯୁକ୍ତ ଚନ୍ଦନ ଓ ଏସିଡ଼ ବିକ୍ରେତାକୁ କୋର୍ଟ ଚାଲାଣ କରାଯାଉଛି ।
ପ୍ରକାଶ ଥାଉକି ସହଦେବଖଣ୍ଟା ଥାନା ଅନ୍ତର୍ଗତ ଭୀମପୁରା ଅଞ୍ଚଳର ଏକ ଗହଣା ଦୋକାନରେ କାରୀଗର ଭାବେ କାର୍ଯ୍ୟ କରିବା ସମୟରେ ନୀଳଗିରି ନୟାପାଟଣା ଗ୍ରାମର ଚନ୍ଦନ କୁମାର ରଣାଙ୍କର ସ୍ଥାନୀୟ ବାସିନ୍ଦା କାର୍ତ୍ତିକ ସିଂଙ୍କ ସାନଝିଅ ବନିତାଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ପ୍ରାୟ ଦୁଇ ମାସ ପୂର୍ବେ ଉଭୟ ବିବାହ କରିଥିଲେ । ମାତ୍ର ପୂର୍ବରୁ ଯେ ଚନ୍ଦନ ବିବାହିତ ଏବଂ ପତ୍ନୀଙ୍କ ସମେତ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି, ବିବାହ ପରେ ଏ ସମ୍ପର୍କରେ ବନିତା ଜାଣିବାକୁ ପାଇଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ାଝାଣ୍ଟି ହେବାରୁ ବନିତା ବାପାଙ୍କ ଘରକୁ ପଳାଇ ଆସି ଭୀମପୁରାରେ ଭଡ଼ା ନେଇ ରହୁଥିବା ତାଙ୍କ ବଡ଼ ଭଉଣୀ ବର୍ଷାଙ୍କ ପାଖରେ ରହୁଥିଲେ । ଚନ୍ଦନର ଠକେଇକୁ ନେଇ ସେ ସହଦେବଖୁଂଟା ଥାନାରେ ଏକ ଏତଲା ମଧ୍ୟ ଦେଇଥିଲେ । ତେବେ ଗତ ଫେବୃୟାରୀ ୨୦ ତାରିଖ ମଧ୍ୟାହ୍ନରେ ବର୍ଷାଙ୍କ ଭଡ଼ାଘରେ ପହଞ୍ଚି ବନିତାକୁ ସଙ୍ଗରେ ନେଇଯିବାକୁ ବାଧ୍ୟ କରିଥିଲେ । ବନିତା ଏବଂ ବଡ଼ ଭଉଣୀ ବର୍ଷା ରାଜି ନହେବାରୁ ଚନ୍ଦନ ଉତ୍ତ୍ୟକ୍ତ ତାଙ୍କ ଉପରକୁ ଫୋପାଡି ଥିଲା । ଅଧିକ ମାତ୍ରାରେ ଏସିଡ଼ ବନିତାଙ୍କ ଉପରେ ପଡ଼ିଥିବା ବେଳେ ତାଙ୍କ ଶରୀର ୮୦ରୁ ଅଧିକ ଭାଗ ପୋଡି ଯାଇଥିଲା । ଏମିତିକି ବନିତାଙ୍କ ପାଖରେ ଛିଡ଼ା ହୋଇଥିବା ବର୍ଷା ଓ ତାଙ୍କର ଦୁଇ ଶିଶୁ ଏହି ଏସିଡ଼ ମାଡ଼ରେ ଗୁରୁତର ହୋଇଥିଲା । ଏସିଡ ଫିଙ୍ଗି ଚନ୍ଦନ ସେଠାରୁ ଫେରାର ହୋଇଯାଇଥିବା ବେଳେ ବନିତାଙ୍କୁ ପ୍ରଥମେ ଜିଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ସଂକଟାପନ୍ନ ଅବସ୍ଥାରେ କଟକ ବଡ଼ ଡାକ୍ତରଖାନା ସ୍ତାନାନ୍ତର କରାଯାଇଥିଲା । ଡାକ୍ତରମାନଙ୍କ ଅକ୍ଳାନ୍ତ ଉଦ୍ୟମ ସତ୍ତ୍ୱେ ଚିକିତ୍ସାଧୀନ ଅବସ୍ଥାରେ ଗତ ୨୬ ତାରିଖରେ ବନିତାଙ୍କର କଟକରେ ମୃତ୍ୟୁ ହୋଇଯାଇଥିଲା ।


