ମେଲଣ ଦେଖା ଅଧା ରହିଲା ଅଟୋ ଦୁର୍ଘଟଣାରେ ଯୁବକଙ୍କ ଶୋଚନୀୟ ମୃତ୍ୟୁ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଗାଁ କୁ ଆସୁଥିଲେ ମେଲଣ ଦେଖିବା ପାଇଁ। ହେଲେ ଅଧା ବାଟରେ ଦୁର୍ଘଟଣା ଘଟିବାରୁ ଚାଲିଗଲା ଯୁବକଙ୍କ ଜୀବନ। ଏମିତି ଏକ ଦୁଃଖଦ ଘଟଣା ଘଟିଛି ଭଣ୍ଡାରିପୋଖରୀ ବ୍ଲକ ନିର୍ଗୁଣ୍ଡି ପଞ୍ଚାୟତ ଶିବ ବିନ୍ଧା ଛକ ଠାରେ। ସୂଚନା ଅନୁଯାୟୀ ଧାମନଗର ଥାନା ଦଳାଙ୍ଗ ରାମେଶ୍ୱରପୁର ଗ୍ରାମର ଚାରିଜଣ ବ୍ୟକ୍ତି ନିଜ କର୍ମସ୍ଥାନ କଲିକତାରୁ ଗାଁ କୁ ଆସୁଥିଲେ ହୋଲି ପରବର୍ତ୍ତୀ ମେଲଣ ଦେଖିବା ପାଇଁ। ଶୁକ୍ରବାର ଭୋର ସମୟରେ ସେମାନେ ଚରମ୍ପା ରେଳଷ୍ଟେସନ ରେ ଓଲ୍ହାଇବା ପରେ ଅଟୋ ଯୋଗେ ଗାଁ ଅଭିମୁଖେ ଆସୁଥିଲେ। ଦୁର୍ଭାଗ୍ୟ ବଶତଃ ଧାମନଗର ଛକରୁ କିଛି ବାଟ ଯିବାପରେ ଅଟୋଟି ପୂର୍ତ୍ତ ବିଭାଗ ରାସ୍ତାର ଶିବବିନ୍ଧା ଠାରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଗାଡିଟି ଭାରସାମ୍ୟ ହରାଇ ସିଧାସଳଖ ରାସ୍ତା ପାର୍ଶ୍ଵରେ ଥିବା ଏକ ଗଛରେ ଧକ୍କା ଖାଇଥିବା ବେଳେ ଏଥିରେ ଚାରିଜଣ ଯାକ ଗୁରୁତର ଆହତ ହୋଇଥିଲେ। ଖବର ପାଇ ଭଣ୍ଡାରିପୋଖରୀ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିବା ବେଳେ ସେଠାରେ ପରେଶ ଦେବତା ନାମକ ଜଣେ ଯୁବକଙ୍କର ଶୋଚନୀୟ ମୃତ୍ୟୁ ଘଟିଥିବା ଜଣାପଡିଛି। ଅନ୍ୟ ତିନି ଜଣ ଆହତଙ୍କୁ ପ୍ରାଥମିକ ଚିକିତ୍ସା ପରେ ଭଦ୍ରକ ସ୍ଥାନାନ୍ତରିତ କରାଯାଇଛି। ଦୁର୍ଘଟଣା ଯୋଗୁ ଯୁବକଙ୍କର ମୃତ୍ୟୁ ଘଟିଥିବା ଖବର ପ୍ରଚାରିତ ହେବା ପରେ ଧାମନଗର ସମେତ ଦଳାଙ୍ଗ ପଞ୍ଚାୟତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ