ବେଲଗୁଣ୍ଠା ର ଐତିହାସିକ ଶ୍ରୀ ଶ୍ରୀ ମା ବ୍ରାହ୍ମଣଦେବୀଙ୍କ ଯାତ୍ରା ପାଇଁ ଗ୍ରାମସଭା ଅନୁଷ୍ଠିତ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଗଞ୍ଜାମ ଜିଲ୍ଲାର ପରମ୍ପରା ସମ୍ପନ୍ନ ବେଲଗୁଣ୍ଠା ସହରର ଐତିହାସିକ ଶ୍ରୀ ଶ୍ରୀ ମା ବ୍ରାହ୍ମଣଦେବୀଙ୍କ ଯାତ୍ରା ପାଇଁ ମଙ୍ଗଳବାର ଦିନ ମାଁ ବ୍ରାହ୍ମଣ ଦେବୀଙ୍କ ବାପଘର ବୋଲାଉଥିବା କୋଳି ସାହି ବାସିନ୍ଦାଙ୍କ ତରଫରୁ ଏକ ଗ୍ରାମସଭା ତଥା ପ୍ରାରମ୍ଭିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି ।କୋଳି ସାହି କମିଟି ସଭାପତି ଲୋକନାଥ ପାତ୍ରଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ସମ୍ପାଦକ ବିଭୁତି ପାତ୍ର, କୋଷାଧ୍ୟକ୍ଷ ନିତ୍ୟାନନ୍ଦ ପାତ୍ର,ବେଲଗୁଣ୍ଠା ନଗରପାଳ ଫିରୋଜ କୁମାର ସେଠି,ଉପଦେଷ୍ଟା ଭାବେ ରବୀନ୍ଦ୍ର ମହାପାତ୍ର, ଆଇନୀଜୀବୀ ସନ୍ତୋଷ କୁମାର ପଣ୍ଡା,ରାଧାକୃଷ୍ଣ ସ୍ୱାଇଁ, ଦିଲ୍ଲୀପ ଆଚାରୀ ପ୍ରମୁଖ ଉପସ୍ଥିତ ଥିଲେ । ଆସନ୍ତା ୨୬ ତାରିଖ ରବିବାର ଦିନ କୋଳିସାହି କମିଟି, ସହରବାସୀ ଓ କୋଳି ସାହି ଯୁବକ ସଂଘ ଙ୍କ ନେତୃତ୍ବରେ ମାଁ ଙ୍କ ମନ୍ଦିରରୁ ଶୁଭ ଖୁଣ୍ଟି ଅଣାଯାଇ ଅସ୍ଥାୟୀ ମନ୍ଦିରରେ ସ୍ଥାପନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ଆସନ୍ତା ଅକ୍ଷୟ ତୃତୀୟା ତିଥିରେ ମାଁ ବ୍ରାହ୍ମଣ ଦେବୀଙ୍କ ବେଲଗୁଣ୍ଠା ଆଗମନ ପରେ ଏହି ଐତିହାସିକ ଦ୍ୱିବାର୍ଷିକ ଯାତ୍ରା ଅନୁଷ୍ଠିତ ହେବାକୁ ଥିବା ବେଳେ ଏହା କେମିତି ଶାନ୍ତିପୂର୍ଣ୍ଣ ଓ ସରସ ସୁନ୍ଦର ରୁପେ ଆୟୋଜନ କରାଯିବ ସେ ନେଇ ନଗରପାଳ ଫିରୋଜ କୁମାର ସେଠୀ ଗୁରୁତ୍ୱ ଦେଇ ସମସ୍ତ ସହରବାସୀ ଙ୍କ ସହଯୋଗ କାମନା କରିଥିଲେ ।ଏହି ବୈଠକରେ ବେଲଗୁଣ୍ଠା ସହରର ସମସ୍ତ କାଉନସିଲର,ବୁଦ୍ଧିଜୀବୀ,କଳଆପ୍ରଏମଈ, ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ । ପ୍ରକାଶ ଥାଉ କି,ଏହି ମାଁ ବ୍ରାହ୍ମଣ ଦେବୀ ପବିତ୍ର ଅକ୍ଷୟ ତୃତୀୟା ତିଥିରେ ବେଲଗୁଣ୍ଠା ଆଗମନ କରିବା ପରେ କୋଳି ସାହି ଯାତ୍ରା କମିଟି ସାତ ଦିନ ପରେ ପ୍ରଥମ ମାଁ ଙ୍କ ମୃଣ୍ମୟୀ ପ୍ରତିମା ଙ୍କୁ ନଗର ନଗର ପରିକ୍ରମା କରାଇ ମୁଖ୍ୟ ଯାତ୍ରା ମହୋତ୍ସବ କମିଟିକୁ ଯାତ୍ରା ଦାୟିତ୍ଵ ହସ୍ତାନ୍ତର କରିବା ପରମ୍ପରା ରହିଛି ।ଏହା ପରେ ମୁଖ୍ୟ ଯାତ୍ରା କମିଟି ଓ ସହର ବାସୀ ଯାତ୍ରାକୁ ସୂଚାରୁ ରୂପେ ଆୟୋଜିତ କରିଥାଆନ୍ତି । ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ହେଉଥିବା ଠାକୁରାଣୀ ଯାତ୍ରାରେ ମାଁ ଙ୍କ ଆଗମନ ପରେ ଘଟ ପରିକ୍ରମା ହେଉଥିବା ବେଳେ ବେଲଗୁଣ୍ଠା ଯାତ୍ରାରେ ମାଁ ଙ୍କ ମୃଣ୍ମୟୀ ପ୍ରତିମା ସିଂହବାହିନୀ ରୂପରେ ନଗର ପରିକ୍ରମା ହେଇଥିବାରୁ ବେଲଗୁଣ୍ଠା ଯାତ୍ରାର ସ୍ୱତନ୍ତ୍ରତା ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ