୮ବର୍ଷର ବାଳକକୁ “ସ୍ୱାସ୍ଥ୍ୟଚିନ୍ତା”

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆଜି ଏପ୍ରିଲ୍ ମାସ ୭ ତାରିଖ । ବିଶ୍ୱ ସ୍ୱାସ୍ଥ୍ୟ ଦିବସ । ଏହି ଦିବସ ପାଳନ ପରିପ୍ରେକ୍ଷୀରେ ୮ବର୍ଷ ବୟସର କୁନି ଚିତ୍ରଶିଳ୍ପୀ ଶାନ୍ତନୁ ଶାନ୍ତିସ୍ୱରୂପ ରଙ୍ଗ, ତୂଳୀରେ ବଖାଣିଛନ୍ତି ଆମ ଖାଦ୍ୟ ଓ ଆମ ସ୍ୱାସ୍ଥ୍ୟର କଥା । ଆଙ୍କିଛନ୍ତି ଦୈନନ୍ଦିନ ଆମେ ଖାଉଥିବା ଖାଦ୍ୟ ଥାଳି ସଂପର୍କରେ । ସାରା ବିଶ୍ୱକୁ ଏ ନେଇ ଦେଇଛନ୍ତି ସଚେତନତାର ବାର୍ତ୍ତା । ଉପସ୍ଥାପନା କରିଛନ୍ତି ସାଙ୍ଘାତିକ ତଥ୍ୟ । ଚେତେଇ ଦେଇଛନ୍ତି ଆମ ଜୀବନ, ଆମ ସ୍ୱାସ୍ଥ୍ୟ କେତେ ସୁରକ୍ଷିତ । ସଂପ୍ରତି ସୁଷମ ଖାଦ୍ୟ ଦିନକୁ ଦିନ କିପରି ବିଷମ ଖାଦ୍ୟ ପାଲିଟିଯାଉଛି ସେ ଏଥିରେ ଦର୍ଶାଇବାକୁ ପ୍ରୟାସ କରିଛନ୍ତି ।ଶାନ୍ତନୁ କୁହନ୍ତି ଉତ୍ତମ ଖାଦ୍ୟ ହିଁ ଉତ୍ତମ ସ୍ୱାସ୍ଥ୍ୟର ମୂଳ ଉପାଦାନ । ବର୍ତ୍ତମାନ ଆମ ଖାଦ୍ୟ ଆଜି ବିଷରେ ଭରପୂର । ଏଇ ଯେମିତି ସବୁଜ ଓ ସତେଜ ଦେଖାଇବା ପାଇଁ ବିଭିନ୍ନ ପନିପରିବାରେ ରଙ୍ଗ ଓ ଗ୍ୟାସର ପ୍ରୟୋଗ, କଦଳୀକୁ ପଚାଇବା ପାଇଁ ଏସିଟିଲିନ୍‌, କାର୍ବାଇଟ୍‌, ସେଓ ଦେହରେ ମହମର ପ୍ରଲେପ, ଦୁଗ୍ଧ ଠାରୁ ଆରମ୍ଭ କରି ପନିପରିବା, ଫଳ, ମୂଳ, ଶାଗ, ମାଛ, ମାଂସ, ଅଣ୍ଡା, ଛେନା ଇତ୍ୟାଦିରେ ପ୍ରଚୁର ପରିମାଣରେ କୀଟନାଶକ ପ୍ରୟୋଗ କରିବା, ମାଛ, ମାଂସକୁ ସଂରକ୍ଷିତ କରି ରଖିବା ପାଇଁ ଫର୍ମାଲିନ୍‌ର ବ୍ୟବହାର, ଅଧିକ ଫସଲ ଫଳାଇବା ପାଇଁ ଆଖିବୁଜା ରାସାୟନିକ ସାରର ପ୍ରୟୋଗ, ଶସ୍ୟ ସଂରକ୍ଷଣ ପାଇଁ ବିଭିନ୍ନ ପ୍ରକାରର ରାସାୟନିକଯୁକ୍ତ ପାଉଡ଼ର ବ୍ୟବହାର ଆମ ଖାଦ୍ୟଥାଳିକୁ ବିଷ କରିଦେଇଛି । ଏନେଇ ଲୋକେ ତ୍ରାହି ତ୍ରାହି ଡ଼ାକିଲେଣି । ଯଦ୍ୱାରା ଏହାର ପ୍ରଭାବରେ ଲୋକେ ମାରାତ୍ମକ କ୍ୟାନସର, ହୃଦ୍‌ରୋଗ, କିଡ୍‌ନୀ, ଯକୃତ, ସ୍ନାୟୁଗତ ଆଦି ବିଭିନ୍ନ ବ୍ୟାଧିର ଶିକାର ହୋଇ ଅକାଳ ମୃତ୍ୟୁବରଣ କରୁଛନ୍ତି । ଯଦି ମଣିଷର ଖାଦ୍ୟ ବିଷଯୁକ୍ତ ହୋଇଯାଏ ତେବେ ତା’ର ସ୍ୱାସ୍ଥ୍ୟ କ’ଣ ସୁରକ୍ଷା ହୋଇପାରିବ ବୋଲି ଶାନ୍ତନୁ ଚିନ୍ତାପ୍ରକଟ କରିବା ସହ ପ୍ରଶ୍ନ ଉଠାଇଛନ୍ତି । ଏଣୁ ଉତ୍ତମ ଖାଦ୍ୟର ଉତ୍ପାଦନ ବର୍ତ୍ତମାନ ସମୟ ପାଇଁ ଏକ ବଡ଼ ଆହ୍ୱାନ ବୋଲି ଶାନ୍ତନୁ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ