ଓଡିଶା ଆଦର୍ଶ ବିଦ୍ୟାଳୟରେ ମକ୍ ଡ୍ରିଲ କଲା ଅଗ୍ନିଶମ ବାହିନୀ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ପଳାସଗଢିଆସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଆଗରପଡା ଅଗ୍ନିଶମ ବାହିନୀ ପକ୍ଷରୁ ମକ୍ ଡ୍ରିଲ ଅନୁଷ୍ଠିତ ହୋଇଯାଇଛି । ବିପଦ ସମୟରେ କେମିତି ପିଲା ମାନେ ତୁରନ୍ତ କାର୍ଯ୍ୟ କରିବେ, ନିଆଁ ଲାଗିଲେ କିପରି ଆହତ ଲୋକ ମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ପହଞ୍ଚାଇ ହେବ, ବିଭିନ୍ନ ପ୍ରକାର ଅଗ୍ନି ନିର୍ବାପକ ଯନ୍ତ୍ର କିପରି ବ୍ୟବହାର କରାଯାଇ ପାରିବ, ତୈଳ ଟେଙ୍କରରେ ନିଆଁ ଲାଗିଲେ କିପରି ଫୋମ୍ ଦ୍ୱାରା ଲିଭାଯାଇ ପାରିବ, ଘରେ ନିଆଁ ଲାଗିଲେ କିପରି ସିଡି ଦ୍ୱାରା ତଳକୁ ଓହ୍ଲାଇ ହେବ ଆଦି ବିଭିନ୍ନ ବିଷୟରେ ମକ୍ ଡ୍ରିଲ କରାଯାଇଥିଲା । ଅଗ୍ନିଶମ ଅଧିକାରୀ ସଞ୍ଜୀବ କୁମାର ପ୍ରଧାନ, ମୁଖ୍ୟ ଆଗ୍ନିକ ଭୀମସେନ ନାୟକ, ଆଗ୍ନିକ କୌଶିକ ରାଉତଙ୍କ ସମେତ ୭ ଜଣିଆ ଟିମ୍ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏଥିରେ ବିଦ୍ୟାଳୟର ଅଧ୍ୟକ୍ଷ ପାର୍ଥ ସୁନ୍ଦର ମହାକୁଡଙ୍କ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ଓ ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ ।


