ହରିହର ବିଦ୍ୟାପୀଠ ସରକାରୀ ବିଦ୍ୟାଳୟର ଆଲୁମିନି ମିଟ୍
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ହରିହର ବିଦ୍ୟାପୀଠ ସରକାରୀ ଉଚ୍ଚ ବିଦ୍ୟାଳୟର ଆଲୁମିନି ମିଟ୍ ସହ ଏକ ନିଆରା ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ବିଦ୍ୟାଳୟର ପ୍ରାର୍ଥନା ଗାନ କରାଯିବା ସହିତ ଦିବଂଗତ ଶିକ୍ଷକ, କର୍ମଚାରୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ୧୯୮୨ ବ୍ୟାଚ୍ରୁ ୨୦୨୨ ମସିହାରେ ଅଧ୍ୟୟନ କରୁଥିବା ଉକ୍ତ ବିଦ୍ୟାଳୟର ବିଦ୍ୟାର୍ଥୀଙ୍କ ମଧ୍ୟରେ ବନ୍ଧୁମିଳନ, ରକ୍ତଦାନ ଶିବିର, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସମ୍ବର୍ଦ୍ଧନା ପର୍ବ ସ୍ଥାନୀୟ ନାଗେଶ୍ୱରଟାଙ୍ଗି ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସମ୍ମାନିତ ଅତିଥି ଭାବେ ପୂର୍ବତନ କର୍ପୋରେଟର ସୀମା ନାୟକ, ହରିହର ଆଲୁମିନି ସଭାପତି ନୃପେଶ ନାୟକ, ସୀମାଞ୍ଚଳ ମଲ୍ଲିକ ଯୋଗଦେଇ ଗୁରୁ-ଶିଷ୍ୟର ମହାନ୍ ପରମ୍ପରାକୁ ସ୍ମରଣ କରିବା ସହିତ ଅଧୁନା ସମୟରେ ରାଷ୍ଟ୍ର ଗଠନରେ ଗୁରୁଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପୂର୍ବତନ ଗୁରୁ ଶେଷଦେବ ସାହୁ ସଂଯୋଜନା କରିବା ସହିତ, ସବିତା ଶତପଥୀ, ସୁଶାନ୍ତ ସାମଲ ତଥା ଅନ୍ୟ ଗୁରୁ ପ୍ରମୁଖଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯଇଥିଲା । ସରକାରଙ୍କ ୫-ଟି ଅନ୍ତର୍ଗତ ବିଦ୍ୟାଳୟମାନଙ୍କରେ ଗୁଣାତ୍ମକ ଶିକ୍ଷା ପ୍ରଦାନରେ ବହୁମାତ୍ରାରେ ଉନ୍ନତି ଘଟିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ପୂର୍ବତନ ବିଦ୍ୟାର୍ଥୀମାନେ ବିଦ୍ୟାଳୟ ଜୀବନର ଅଭିଜ୍ଞତା ବାଣ୍ଟିବା ସହିତ ସମାଜରେ ଗୁରୁ ଓ ଶିଷ୍ୟର ସମ୍ପର୍କ ସମ୍ବନ୍ଧରେ ଆଲୋକପାତ କରିଥିଲେ । ବିଦ୍ୟାର୍ଥୀ ଅଶୋକ କୁମାର ମଲ୍ଲିକ, ଅରବିନ୍ଦ ତ୍ରିପାଠୀ, ହିରଣ୍ୟମୟୀ ସ୍ୱାଇଁ, ପ୍ରଣତୀ ପ୍ରଧାନ, ରାଜେଶ ସାମନ୍ତରାୟ, ଦେବୀ ମଲ୍ଲିକ ପ୍ରମୁଖ ରକ୍ତଦାନ ଶିବିରକୁ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମକୁ ତ୍ରିଲୋଚନ ଦାଶ ପରିଚାଳନା କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଶାଶ୍ୱତ ଦାଶ । ବିଭିନ୍ନ ବ୍ୟାଚ୍ର ବିଦ୍ୟାର୍ଥୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।