ଝାଡ଼ଖଣ୍ଡ ସରକାରଙ୍କ ପୂର୍ବତନ ମନ୍ତ୍ରୀ ଡାକ୍ତର ଦୀନେଶ ଶଢଙ୍ଗୀ ଚଳିତବର୍ଷ ଜାନକୀ ବଲ୍ଲଭ ସ୍ମୃତି ସମ୍ମାନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସଂରକ୍ଷକ, ଝାଡ଼ଖଣ୍ଡ ସରକାରରେ ଦୁଇ ଦୁଇଥର ମନ୍ତ୍ରୀ ଥିବା ଡ଼ାକ୍ତର ଦୀନେଶ ଶଢଙ୍ଗୀଙ୍କୁ ଚଳିତବର୍ଷର ମର୍ଯ୍ୟାଦାଜନକ ଜାନକୀ ବଲ୍ଲଭ ସ୍ମୃତି ସମ୍ମାନ-୨୦୨୩, ପ୍ରଦାନ କରାଯିବ ବୋଲି ଏକ ପ୍ରେସ୍ ବିଜ୍ଞପ୍ତିରେ ରାଜ୍ୟସ୍ତରୀୟ ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି କମିଟିର ସାଧାରଣ ସମ୍ପାଦକ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଜଣାଇଛନ୍ତି ।ପୂର୍ବ ପ୍ରଶାସକ ନରେନ୍ଦ୍ର କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ କମିଟିର ନିଷ୍ପତ୍ତି କ୍ରମେ ଡ଼ାକ୍ତର ଶଢଙ୍ଗୀଙ୍କୁ ସମାଜସେବା କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ପାଇଁ ଦିଆଯାଉଥିବା ବେଳେ, ସାହିତ୍ୟ ସଂଗଠକ ତଥା ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ପାଇଁ ଦୀର୍ଘ ୪୦ ବର୍ଷ ଧରି କାର୍ଯ୍ୟ କରି ଆସୁଥିବା ଓଡ଼ିଆପ୍ରାଣ ପର୍ଶୁରାମ ଦ୍ୱୀବେଦୀଙ୍କୁ ସାହିତ୍ୟ ପାଇଁ ଓ ସାମ୍ବାଦିକତା କ୍ଷେତ୍ରରେ ଜୀବନବ୍ୟାପୀ ସାଧନା କରିଥିବା ଦୈନିକ ‘ସମାଜ’ର ପୂର୍ବତନ ବାର୍ତ୍ତା ସମ୍ପାଦକ ଦେବ ପ୍ରସାଦ ମିଶ୍ରଙ୍କୁ ଜାନକୀ ବଲ୍ଲଭ ସ୍ମୃତି ସମ୍ମାନ-୨୦୨୩ ପ୍ରଦାନ କରାଯିବ । ଆସନ୍ତା ୨୧ ତାରିଖ ସନ୍ଧ୍ୟା ୬ ଘଟିକା ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ରାଜ୍ୟପାଳ ପ୍ରଜ୍ଞାପୁରୁଷ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୮ମ ସ୍ମୃତିଚାରଣ ଉତ୍ସବରେ ଏହି ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହେବ ।ଡଃ ଜ୍ଞାନେନ୍ଦ୍ର ଆହୁରି କହିଛନ୍ତି ଯେ, ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସ୍ୱର୍ଗତ ଜାନକୀ ବଲ୍ଲଭଙ୍କ ଉପରେ ଆଭାସୀ ଯୋଗେ ସାଧାରଣ ଜ୍ଞାନ ଓ ବକ୍ତୃତା ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବା ସହ ଏହି କାର୍ଯ୍ୟକ୍ରମର ସଂଗଠିକା ଶ୍ରୀମତୀ ନିବେଦିତା ଭଞ୍ଜଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯିବ । ଆଜିର ଚୟନ କମିଟି ବୈଠକରେ ସଭ୍ୟ ତଥା ରାଜ୍ୟ କମିଟିର କୋଷାଧ୍ୟକ୍ଷ ଡଃ ବଦ୍ରୀନାଥ ପଟ୍ଟନାୟକ, ଡଃ ଯୁଧିଷ୍ଠିର ଖଟୁଆ, ପୂର୍ବ ନ୍ୟାୟଧିଶ ସଞ୍ଜୟ କୁମାର ପଣ୍ଡା, ବାସ୍ତୁବିତ ଡଃ ମନୋଜ ଲେଙ୍କା ଓ ସୀତାବଲ୍ଲଭ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।