ପଥପ୍ରାନ୍ତ ନାଟକ ମହାସଂଘ ପକ୍ଷରୁ ଜାତୀୟ ପଥପ୍ରାନ୍ତ ନାଟକ ଦିବସ ପାଳିତ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):କୋଣାର୍କ ସ୍ଥିତ ଅର୍କଶ୍ରୀ ଶିଳ୍ପୀ ବାଟିକା ଠାରେ ଓଡିଶା ପଥପ୍ରାନ୍ତ ନାଟକ ମହାସଂଘ ପକ୍ଷରୁ ଜାତୀୟ ପଥପ୍ରାନ୍ତ ନାଟକ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ମହାସଂଘର ରାଜ୍ୟ ସଭାପତି ନାଟ୍ଯକାର ଶତ୍ରୁଘ୍ନ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ଅତିଥି ଭାବରେ କୋଣାର୍କ ଏନଏସି ଅଧ୍ୟକ୍ଷା ସୁଶ୍ରୀ ସଂଯୁକ୍ତା ତ୍ରିପାଠୀ, ଅର୍କଶ୍ରୀର ସଂପାଦକ ଉମେଶ ଚନ୍ଦ୍ର ସ୍ଵାଇଁ, ପ୍ରସିଦ୍ଧ ଘୋଡ଼ାନାଚ ଗୁରୁ ବସନ୍ତ କୁମାର ଦାସ, ମହାସଂଘର କୋଷାଧ୍ୟକ୍ଷ ରଞ୍ଜନ କୁମାର ନାୟକ ଓ ଗୋଟିପୁଅ ଗୁରୁ ଜୟକୃଷ୍ଣ ନାୟକ ପ୍ରମୁଖ ଯୋଗଦେଇ ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ଓ ଲକ୍ଷ୍ୟ ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ନାଟ୍ୟଶିଳ୍ପୀ ସୁକାନ୍ତି ରାଉତ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏହି ପରିପ୍ରେକ୍ଷୀରେ ସଂଗଠନ ପକ୍ଷରୁ ପଥପ୍ରାନ୍ତ ନାଟକ କ୍ଷେତ୍ରରେ କାର୍ଯ୍ୟ କରୁଥିବା କଳାକାର ମାନଙ୍କ ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ, ପଥପ୍ରାନ୍ତ ନାଟକ ପରିବେଷଣ ନିମନ୍ତେ ସରକାର ଆର୍ଥିକ ଅନୁଦାନ ପ୍ରଦାନ ଦିଗରେ ପଦକ୍ଷେପ ଗ୍ରହଣ କରିବା ପାଇଁ ମହାସଂଘ ପକ୍ଷରୁ ଦାବି କରାଯାଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ କୋଣ ଅନୁକୋଣରୁ ୬୦ରୁ ଉର୍ଦ୍ଧ୍ବ ପଥପ୍ରାନ୍ତ କଳାକାର ମାନେ ଉପସ୍ଥିତ ରହି ନିଜ ନିଜର ମତ ଉପସ୍ଥାପନ କରିଥିଲେ। ଏହି କାର୍ଯ୍ୟକ୍ରମକୁ କୋଣାର୍କ ନାଟ୍ୟଦୀପର ନିର୍ଦ୍ଦେଶକ କାଳନ୍ଦୀ ଚରଣ ସ୍ବାଇଁ ଓ ସହ ନିର୍ଦ୍ଦେଶକ ନିତ୍ୟାନନ୍ଦ ମହାରଣାଙ୍କ ସମେତ ମହାସଂଘର କର୍ମକର୍ତ୍ତା ମାନେ ପରିଚାଳନା କରିଥିଲେ।


