ଓରାଳୀ ଛକରେ ସୀମା ବିବାଦକୁ ନେଇ ଭଙ୍ଗାରୁଜା ଓ ପୋଡାଜଳା ଘଟଣା ୪ ଗିରଫ, ୧୪୪ ଧାରା ଜାରି

ବନ୍ତ, (ଚାନ୍ଦିନୀ ମହାନ୍ତି):ଭଦ୍ରକ-ଆନନ୍ଦପୁର ୫୩ଂନ. ରାଜ୍ୟ ରାଜପଥ ତଥା ଭଦ୍ରକ ଓ କେନ୍ଦୁଝର ସୀମାବର୍ତ୍ତୀ ଓରାଳୀ ଛକରେ ଶନିବାର ରାତିରେ ଆପଣ୍ଡା ଓ ଓରାଳୀ ସୀମା ବିବାଦକୁ ନେଇ ବ୍ୟାପକ ଭଙ୍ଗାରୁଜା ଓ ପୋଡାଜଳା ସହ ସଂଘବଦ୍ଧ ଆକ୍ରମଣରେ ୧୦ରୁ ଅଧିକ ବ୍ୟକ୍ତି ଆହତ ହୋଇଛନ୍ତି । ସେହିପରି ୧୦ରୁ ଉର୍ଦ୍ଧ୍ୱ ଦୋକାନ ଘର ଓ କାର, ବାଇକକୁ ଦୁବୃର୍ତ୍ତ ମାନେ ଜାଳି ଦେଇଛନ୍ତି । ଏହାକୁ ନେଇ ରବିବାର ଦିନ ୧୧ଟା ଠାରୁ ମଙ୍ଗଳବାର ଦିନ ୧୧ଟା ପର୍ଯ୍ୟନ୍ତ ଘଟଣା ସ୍ଥଳରେ ୧୪୪ ଧାରା ଜାରି ହୋଇଛି । ଘଟଣା ସ୍ଥଳରେ ତହସିଲଦାର ଅଙ୍କିତା ବାରିକ, ଏସ୍‌.ଡି.ପି.ଓ ବିଜୟ କୃଷ୍ଣ ମହାପାତ୍ର, ବନ୍ତ ଆଇ.ଆଇ.ସି ଆଦିତ୍ୟ ପ୍ରସାଦ ଜେନା, ଆଗରପଡା ଆଇ.ଆଇ.ସି ମୋନାଲିସା କର, ନନ୍ଦିପଦା ଆଇ.ଆଇ.ସି ଗଗନ ବିହାରୀ ବିଶ୍ୱାଳ ଉପସ୍ଥିତି ରହି ପରିସ୍ଥିତି ଉପରେ ନଜର ରଖିଛନ୍ତି । ଘଟଣା ସ୍ଥଳରେ ଭଦ୍ରକ ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ବନ୍ତ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ପହଞ୍ôଚ ପରିସ୍ଥିିତି ଅନୁଧ୍ୟାନ କରିବା ସହିତ ଶାନ୍ତିଶୃଂଖଳା ବଜାୟୀ ରଖିବାକୁ ଲୋକ ମାନଙ୍କୁ ନିବେଦନ କରିଛନ୍ତି । ଆପଣ୍ଡା ଗ୍ରାମର କାଶିନାଥ ନାୟକଙ୍କ ଅଭିଯୋଗ କ୍ରମେ ବନ୍ତ ପୋଲିସ ୫୪/୨୩ରେ ମାମଲା ରୁଜ୍ଜୁ କରିବା ସହ ଏଥିରେ ସଂପୃକ୍ତ ଓରାଳୀ ଗ୍ରାମର ଗୌରହରି ରାଉତ, ଶିବ ପ୍ରସାଦ ରାଉତ, ଶୁଭମ ରାଉତ, ତୋଫାନ ଭୋଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଆଇନ ଶୃଂଖଳା ପରିସ୍ଥିତି ରକ୍ଷା ପାଇଁ ଘଟଣା ସ୍ଥଳରେ ଦୁଇ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ଅଛନ୍ତି । ରାଜପଥରେ ଯାନବାହନ ଚଳାଚଳ ସ୍ୱାଭାବିକ ରହିଛି । ପ୍ରକାଶ ଥାଉକି, ଦୀର୍ଘ ବର୍ଷରୁ ଓରାଳୀ ଛକ କୁହାଯାଉଥିବା ସ୍ଥାନଟି ଗତ କିଛି ଦିନ ପୂର୍ବରୁ ଆପଣ୍ଡା ଆର୍‌.ଆଇଙ୍କ ଉପସ୍ଥିତିରେ ସୀମା ନିର୍ଦ୍ଧାରଣ କରାଯିବା ପରେ ଏହା ଭଦ୍ରକ ଜିଲା ବନ୍ତ ତହସିଲ ଆପଣ୍ଡା ଗ୍ରାମର ବୋଲି ଜଣାପଡିଥିଲା । ଶନିବାର ରାତିରେ ଆପଣ୍ଡା ଗ୍ରାମର କେତେକ ବ୍ୟକ୍ତି ଓରାଳୀ ଛକରେ ଆପଣ୍ଡା ଗ୍ରାମର ନାମ ଫଳକ ଲଗାଉଥିବା ବେଳେ ଓରାଳୀ ଅଞ୍ଚଳର ଶହ ଶହ ବ୍ୟକ୍ତି ସଂଘବଦ୍ଧ ଭାବେ ଆସି ଆପଣ୍ଡା ଗ୍ରାମର ଲୋକଙ୍କୁ ଆକ୍ରମଣ କରିବା ସହିତ ଦୋକାନରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । ଗଣ୍ଡଗୋଳ ଭିତରେ ବିଭିନ୍ନ ଦୋକାନରୁ ବହୁ ସାମଗ୍ରୀ ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ଆହତ ବ୍ୟକ୍ତି ମାନେ ଆଗରପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ଦୋକାନ ଗୁଡିକ ନିଆଁ ଲାଗିବା ପରେ ଆଗରପଡା ଓ ନନ୍ଦିପଦା ଦମକଳ ବାହିନୀ ସମେତ ବନ୍ତ ପୋଲିସ ଘଟଣା ସ୍ଥଳରେ ପହଞ୍ôଚ ଥିଲା । ଉତ୍ତ୍ୟକ୍ତ ଲୋକେ ଦମକଳ ବାହିନୀକୁ ନିଆଁ ଲିଭାଇବାକୁ ଛାଡି ନଥିବା ବେଳେ ପୋଲିସକୁ ଘଟଣା ସ୍ଥଳକୁ ଛାଡି ନଥିଲେ । ପରେ ନନ୍ଦିପଦା, ଆଗରପଡା ଓ ବନ୍ତ ପୋଲିସ ସମେତ ଏକ ପ୍ଲାଟୁନ୍ ପୋଲିସ ଫୋର୍ସ ପହଞ୍ôଚ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ଚେଷ୍ଟା କରିଥିଲା । ଶନିବାର ରାତିରେ ଭଦ୍ରକ ସିଟି ଡି.ଏସ୍‌.ପି ଅଂଶୁମାନ ଦ୍ୱିବେଦୀ, ଉପଜିଲାପାଳ ମନୋଜ ପାତ୍ର, ବନ୍ତ ଅତିରିକ୍ତ ତହସିଲଦାର ବିନିତାରାଣୀ କିସ୍କୁ ଘଟଣା ସ୍ଥଳରେ ପହଞ୍ôଚ ପରିସ୍ଥିତି ଅନୁଧ୍ୟାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ