‘ଦେଶ ବଞ୍ଚାଅ-ସମ୍ବିଧାନ ବଞ୍ଚାଅ’ଅଭିମୁଖ୍ୟ ନେଇ ଏକଜୁଟ ବିଭିନ୍ନ ରାଜନୈତିକ ଦଳ

ବାଲେଶ୍ୱର, (ସରୋଜ ପଣ୍ଡା):ସାମ୍ପ୍ରତିକ ସ୍ଥିତିରେ ବିପଦମୁଖୀ ହୋଇଥିବା ଦେଶର ସମ୍ବିଧାନ ଏବଂ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ନେଇ ମିଳିତ ସ୍ୱର ଉତ୍ତୋଳନ ପାଇଁ ବାଲେଶ୍ୱର ଜିଲାର ବିଭିନ୍ନ ରାଜନୈତିକ ଦଳ ଏବେ ଏକଜୁଟ ହୋଇଛନ୍ତି । ଆସନ୍ତା୨୮ ତାରିଖରେ ଗାନ୍ଧୀସ୍ମୃତି ଭବନରେ ଏକ ଜିଲାସ୍ତରୀୟ କନଭେନସନ୍ ଆୟୋଜନ ହେବାକୁ ଯାଉଥିବା ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀରେ ଦଳୀୟ ନେତାମାନେ ପ୍ରକାଶ କରିଛନ୍ତି । ବିଶେଷ କରି କେନ୍ଦ୍ରର ବିଜେପି ସରକାର କ୍ଷମତାକୁ ଆସିବା ପରେ ଅର୍ଥନୀତି ଓ ସାମାଜିକ ପରିସ୍ଥିତି ଅତ୍ୟନ୍ତ ସଂକଟଗ୍ରସ୍ତ ହୋଇଛି । କେନ୍ଦ୍ର ସରକାରଙ୍କ ସମ୍ବିଧାନ ଓ ଜନଗଣ ବିରୋଧୀ ନୀତିକୁ ବିରୋଧ କରୁଥିବା ବ୍ୟକ୍ତିତ୍ୱଙ୍କୁ ‘ଦେଶଦ୍ରୋହ’ର ଆଖ୍ୟା ଦିଆଯାଉଛି । ଇ.ଡି. ଓ ସି.ବି.ଆଇ.କୁ ଲଗାଇ ବିରୋଧୀଙ୍କ କଣ୍ଠରୋଧ କରାଯାଉଛି । ବିଜେପି ବିରୋଧୀ ରାଜ୍ୟ ସରକାରଙ୍କୁ ଭାଙ୍ଗିବା ପାଇଁ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ସେହିଭଳି ଅଦାଲତର ଦଣ୍ଡାଦେଶର ଆଳ ନେଇ ଗୋଟିଏ ଦିନ ମଧ୍ୟରେ ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟ ପଦ ରଦ୍ଦ କରାଯିବା, ବିନା ଚାର୍ଜସିଟ୍‌ରେ ସି.ବି.ଆଇ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀଙ୍କୁ ଜେଲ୍‌ରେ ରଖିବା, ଆଇ.ଟି. ରୁଲ୍‌ସରେ ସଂଶୋଧନ ଆଳରେ ସାମାଜିକ ଗଣମାଧ୍ୟମରେ କଣ୍ଠରୋଧ କରାଯିବା ଆଦି ନୀତି କେନ୍ଦ୍ରର ଫାଶୀବାଦୀ ବିଜେପି ସରକାରଙ୍କ ସ୍ୱରୂପକୁ ପଦାରେ ପକାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ରାଜନେତାମାନେ ଆରୋପ ଉଠାଇଛନ୍ତି । ରାଷ୍ଟ୍ରୀୟୀ ଉଦ୍ୟୋଗକୁ ଦେଶୀୟ ଓ ବିଦେଶୀ କମ୍ପାନୀକୁ ବିକ୍ରି କରି ଚାଲିଥିବା କେନ୍ଦ୍ର ସରକାର ଏବେ ପ୍ରଧାନମନ୍ତ୍ରୀଙ୍କ ବନ୍ଧୁ ଆଦାନୀ କଂପାନୀକୁ ସମସ୍ତ ସୁବିଧା ଯୋଗାଇ ଦେଉଛି । ହିଡ଼ନ୍‌ବର୍ଗ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି ।ଏହି ଘଟଣାର ତଦନ୍ତ ପାଇଁ ବିରୋଧୀ ଦଳମାନଙ୍କ ପକ୍ଷରୁ ମିଳିତ ପାର୍ଲିଆମେଣ୍ଟାରୀ କମିଟି (ଜେପିସି) ଗଠନ ଦାବିକୁ କେନ୍ଦ୍ର ସରକାର ଖାତିର କରୁନାହାନ୍ତି । ଦରବୃଦ୍ଧି ସହ ବେକାରୀ ସମସ୍ୟା ହୁହୁ ହୋଇ ବଢ଼ିଚାଲିଥିବା ବେଳେ ଦେଶବାସୀଙ୍କ ସମସ୍ୟା ସମାଧାନ ପରିବର୍ତ୍ତେ ଲୋକଙ୍କ ମଧ୍ୟରେ ଘୃଣା ଓ ସାଂପ୍ରଦାୟିକତାର ବିଷମଞ୍ଜି ବୁଣିଚାଲଛନ୍ତି ବୋଲି ରାଜନେତାମାନେ ଆରୋପ ଉଠାଇଛନ୍ତି । ଅନୁରୂପ ଭାବେ ରାଜ୍ୟର ବିଜେଡ଼ି ସରକାର କେନ୍ଦ୍ରର କୌଣସି ଜନବିରୋଧୀ ନୀତିକୁ ବିରୋଧ ପରିବର୍ତ୍ତେ ଓଡ଼ିଶାରେ ମିଛିମିଛିକା ବିଜେପିର ବିରୋଧୀ ବୋଲି ପ୍ରଚାର କରୁଛି । ବାଲେଶ୍ୱର ଜିଲାର ନିରପେକ୍ଷ ରାଜନୈତିକ ଦଳମାନେ ଏକାଠି ହୋଇ ଗଣ ଚେତନା ସୃଷ୍ଟି ପାଇଁ ଆସନ୍ତା ୨୮ ତାରିଖ ପୂର୍ବାହ୍ନ ୧୦ଟାରେ ସ୍ଥାନୀୟ ଗାନ୍ଧୀସ୍ମୃତି ଭବନରେ ଜିଲ୍ଲାସ୍ତରୀୟ କନ୍‌ଭେନ୍‌ସନ୍ ଆୟୋଜନ କରାଯାଉଛି ବୋଲି ସମ୍ମିଳିତ ରାଜନୈତିକ ନେତାମାନେ ସୂଚନା ଦେଇଛନ୍ତି । ଏହି ଗଣ କନଭେନସ୍‌ରେ ଆଲୋଚକ ଅତିଥି ଭାବେ ସାଂସଦ ସପ୍ତଗିରି ଉଲାକା, ଜନାର୍ଦ୍ଦନ ପତି, ଆଶିଷ କାନୁନ୍‌ଗୋ ଓ ନବଜ୍ୟୋତି ପଟ୍ଟନାୟକଙ୍କ ସମେତ ରାଜ୍ୟ ଓ ଜାତୀୟସ୍ତରର ନେତାମାନେ ଯୋଗଦେବାକୁ ସହମତି ପ୍ରକାଶ କରିଥିବା ବେଳେ ଏହାକୁ ସଫଳ କରିବା ପାଇଁ ସାମ୍ବାଦିକ ସମ୍ମିଳନୀରେ ରାଜନେତାମାନେ ନିବେଦନ କରିଛନ୍ତି । କଂଗ୍ରେସ ଜିଲା ସଭାପତି ସଂଜୀବ ଗିରି, ସିପିଆଇନେତା ଗୌରାଙ୍ଗ ପାଣିଗ୍ରାହୀ, ସିପିଏମ ଜିଲା ସମ୍ପାଦକ ଶିଶିର ହୁଇ ଓ ପ୍ରାକ୍ତନ ବିଧାୟକ ପ୍ରଦୀପ୍ତ ପଣ୍ଡା, ତୃଣମୂଳ କଂଗ୍ରେସ ଜିଲା ସଭାପତି ନନ୍ଦନ ପାଲ, ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକ ଜିଲା ସଂପାଦକ ସର୍ବେଶ୍ୱର ମିଶ୍ର, ଆମ୍ ଆଦ୍‌ମୀ ପାର୍ଟିର ପ୍ରଦୀପ ସଙ୍କ ସମେତ ଶ୍ରମିକନେତା ବିକାଶ ଦାସ, କୃଷକ ନେତା ଅରୁଣ ଜେନା ଓ ଲକ୍ଷ୍ମୀଧର ଗିରି ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ