ନିଶାମୁକ୍ତ ପାଇଁ ନବଚେତନା – ୧ କାର୍ଯ୍ୟକ୍ରମ

ଛତ୍ରପୁର, (ଦେବଦତ୍ତ ମହାରଣା):କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ଦ୍ୱାରା ୨୦୧୮ ରୁ ୨୦୨୫ ମସିହା ମଧ୍ୟରେ ନିଶା ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ପରିବାରକୁ ନିବାରଣ, ଚିକିତ୍ସା ଓ ଥଇଥାନ ନିମନ୍ତେ ଏକ ଯୋଜନା କରାଯାଇଛି । ଏହାକୁ ଆଧାର କରି ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ୧୦ଟି ଜିଲ୍ଲାରେ ଚଳିତ ବର୍ଷ ଠାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ୧୧ ରୁ ୧୮ ବର୍ଷ ମଧ୍ୟରେ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ମାନଙ୍କୁ ସଚେତନ କରି ନିଶା ନିବାରଣ ହାର କମାଇବା ପାଇଁ ୩ ଟି ପର୍ଯ୍ୟାୟରେ ପ୍ରଶିକ୍ଷଣ ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି କ୍ରମରେ ଗୁରୁବାର ଗଞ୍ଜାମ ଜିଲ୍ଲାପାଳଙ୍କ ସଦଭାବନା ସମ୍ମିଳନୀ କକ୍ଷରେ ଶିକ୍ଷକ ମାନଙ୍କୁ ନେଇ ନବଚେତନା – ୧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରିଣୀ କଲ୍ୟାଣୀ ଦାସଙ୍କ ସଭାପତିତ୍ୱରେ ଆୟୋଜିତ ଏହି ପ୍ରଶିକ୍ଷଣ ଶିବିରରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଲୀନା କୁମାରୀ ଖେସ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିବିରକୁ ଉଦଘାଟନ କରିବା ସହ ଏହି କ୍ଷେତ୍ରରେ ଶିକ୍ଷକ ମାନଙ୍କ ଭୂମିକା ଓ ସମସ୍ତଙ୍କ ସହ ଯୋଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ଏହି ଶିବିରରେ ରାଜ୍ୟରୁ ଆସିଥିବା ସମ୍ବଳ ଅଧିକାରୀ ଡଃ ନିବେଦିତା ମହାନ୍ତି ଓ ବିଶ୍ୱ ରଞ୍ଜନ ଦାଶ ପ୍ରଶିକ୍ଷକ ଭାବେ ଯୋଗ ଦେଇ ଜୀବନରେ ଦକ୍ଷତାର ଆବଶ୍ୟକତା ଓ ନିଶା ନିବାରଣ ପାଇଁ କିଭଳି ଶିକ୍ଷକ ମାନେ ପ୍ରଶିକ୍ଷଣ ଦେଇପାରିବେ ତାହାକୁ ଏକ ଦୃଶ୍ୟପଟ୍ଟ ମାଧ୍ୟମରେ ସୂଚନା ଦେଇଥିଲେ । ୧୦ଟି ସ୍କୁଲରୁ ୫ ଜଣ ଲେଖାଁଏ ଶିକ୍ଷକ ପ୍ରଶିକ୍ଷଣ ନେଇଥିଲେ । ଶେଷରେ ଛତ୍ରପୁର ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରିଣୀ ପି. ପଦ୍ମା ଧନ୍ୟବାଦ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ