କଲେଜ ଛାତ୍ରଛାତ୍ରୀଙ୍କ ସହ ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ଭାବ ବିନିମୟ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାର ୪୨ଟି ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କର ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନରେ ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ଭାବ ବିନିମୟ ହୋଇଥିଲା । ସେଠାରେ ଉପସ୍ଥିତ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ଶ୍ରୀ ପାଣ୍ଡିଆନ କହିଥିଲେ ଯେ ଆପଣମାନେ ଜାଣିଛନ୍ତି ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡାକୁ କେତେ ଭଲ ପାଆନ୍ତି । ତେଣୁ ସାରା ଦୁନିଆର ସବୁଠୁ ବଡ ଷ୍ଟିଲ କମ୍ପାନୀ ଆରସେଲ ନିପନ ମିତ୍ତଲର ଅଧ୍ୟକ୍ଷ ଆମ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସମୟରେ ମୁଖ୍ୟମନ୍ତ୍ରୀ ତାଙ୍କୁ କହିଥିଲେ ଯେ ଇସ୍ପାତ କାରାଖାନା ପ୍ରତିଷ୍ଠା ପାଇଁ ଆମେ ପ୍ରକାର ଷ୍ଟଡି କରିବା ପରେ ସବୁଠୁ ଭଲ ସ୍ଥାନ ପାଇଛୁ ତାହା ହେଉଛି କେନ୍ଦ୍ରାପଡା । ସେଠାରେ ସବୁଠୁ ବଡ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ । ଆପଣମାନଙ୍କ ସ୍ୱପ୍ନକୁ ସାକାର କରିବାକୁ ମୁଖ୍ୟମନ୍ତ୍ରୀ ସବୁ ପ୍ରକାର ପଦକ୍ଷେପ ନେଉଛନ୍ତି । ହାଇସ୍କୁଲ ଠାରୁ ଆରମ୍ଭ କରି ଆପଣଙ୍କ ମହାବିଦ୍ୟାଳୟକୁ ମଧ୍ୟ ରୂପାନ୍ତରିକରଣ କରାଯିବ । ଆପଣଙ୍କ ମହାବିଦ୍ୟାଳୟରେ ଅତ୍ୟାଧୁନିକ କ୍ଲାସରୁମ, ଇ-ଲାଇବ୍ରେରୀ, ବିଜ୍ଞାନ ଲାବୋରୋଟରୀ ପ୍ରଭୃତି ସ୍ଥାପନା କରାଯିବ । ସେଥି ନିମନ୍ତେ ଆବଶ୍ୟକ ପାଣ୍ଠି ମୁଖ୍ୟମନ୍ତ୍ରୀ ମାତ୍ର ଗୋଟିଏ ଦିନ ମଧ୍ୟରେ ମଞ୍ଜୁର କରି ଆପଣଙ୍କ କଲେଜକୁ ପଠାଇବେ । ଆପଣମାନେ ଶ୍ରମ ଦାନ କରି ସେହି ମହତ କାର୍ଯ୍ୟରେ ଭାଗିଦାରୀ ହେବାକୁ ଛାତ୍ରଛାତ୍ରୀମାନଙ୍କୁ ଶ୍ରୀ ପାଣ୍ଡିଆନ ପରାମର୍ଶ ଦେଇଥିଲେ । ଏହି ଅବସରରେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ସମେତ ତୁଳସୀ ମହିଳା ମହାବିଦ୍ୟାଳୟ, କେନ୍ଦ୍ରାପଡା ସାନ୍ଧ୍ୟ ମହାବିଦ୍ୟାଳୟ ପ୍ରଭୃତି ଜିଲ୍ଲାର ୪୨ଟି ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଅଧ୍ୟକ୍ଷ, ଅଧ୍ୟାପକ/ଅଧ୍ୟାପିକାମାନେ ସଚିବ ଶ୍ରୀ ପାଣ୍ଡିଆନଙ୍କୁ ସାକ୍ଷାତ କରି ପୁଷ୍ପଗୁଛ, ଉତ୍ତରୀୟ ପ୍ରଦାନ କରିବା ସହ ନିଜ ନିଜ କଲେଜର ଦାବିପତ୍ର ପ୍ରଦାନ କରିଥିଲେ ।ଏଥିସହିତ ପ୍ରତ୍ୟେକ କଲେଜର ଛାତ୍ରଛାତ୍ରୀ, ଅଧ୍ୟକ୍ଷ,ଅଧ୍ୟାପକ ଓ ଅଧ୍ୟାପିକାମାନେ ସଚିବ ଶ୍ରୀ ପାଣ୍ଡିଆନଙ୍କ ସହ ଫଟୋ ଉଠାଇଥିଲେ ।


