ବାଲେଶ୍ୱରରେ ଗଣତନ୍ତ୍ର ‘ବଞ୍ଚାଅ-ସମ୍ବିଧାନ ବଞ୍ଚାଅ’ କନଭେନସନ

ବୋଲେଶ୍ୱର, (ସରୋଜ ପଣ୍ଡା):କେନ୍ଦ୍ର ସରକାରଙ୍କ ଗଣତନ୍ତ୍ର ବିରୋଧୀ ନୀତର ପ୍ରତିବାଦରେ ବାଲେଶ୍ୱରର ଛଅଟି ରାଜନୈତିକ ଦଳଙ୍କ ପକ୍ଷରୁ ମିଳିତ ଜିଲାସ୍ତରୀୟ କନଭେନସନ ‘ଗଣତନ୍ତ୍ର ବଞ୍ଚାଅ- ଦେଶ ବଞ୍ଚାଅ’ସ୍ଥାନୀୟ ଗାନ୍ଧିସ୍ମୃତି ଭବନରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଜିଲା କଂଗ୍ରେସ କମିଟି ସଭାପତି ସଂଜୀବ ଗିରି ଏଥିରେ ଅଧ୍ୟକ୍ଷତା କରିଥିଲେ । ରାଜ୍ୟସ୍ତରୀୟ ସିପିଏମ ନେତା ଜନାର୍ଦ୍ଦନ ପତି, ପିସିସି ମୁଖପାତ୍ର ଗଣେଶ୍ୱର ବେହେରା, ପିସିସି କାର୍ଯ୍ୟକାରିଣୀ ସଦସ୍ୟ ତଥା ବାଲେଶ୍ୱର ଲୋକସଭା କ୍ଷେତ୍ର କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ, ବରିଷ୍ଠ ସିପିଆଇ ନେତା ଆଶିଷ କାନୁନଗୋ, ବାରିପଦାର ପୂର୍ବତନ ବିଧାୟକ କିଶୋର ଦାସ, ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡାଙ୍କ ସମେତ, ପୂର୍ବତନ ବିଧାୟକ ଅକ୍ଷୟ ଆଚାର୍ଯ୍ୟ ଓ ଚିତ୍ତରଂଜନ ଷଡ଼ଙ୍ଗୀ, ସିପିଏମ ଜିଲା ସମ୍ପାଦକ ଶିଶିର ହୁଇ, ସିପିଆଇ ଜିଲା ସମ୍ପାଦକ ନିରଞ୍ଜନ ବାରିକ, ତୃଣମୂଳ କଂଗ୍ରେସର ଜିଲା ସଭାପତି ନନ୍ଦନ ପାଲ୍‌, ଫରୱାର୍ଡ଼ ବ୍ଲକ ତରଫରୁ ରତ୍ନାକର ଗିରି, ପିସିସି ସାଧାରଣ ସମ୍ପାଦକ ପଦ୍ମାକର ଗୁରୁ, ଅର୍ଚ୍ଚନା ନନ୍ଦୀ ଓ ମନୋଜାମଞ୍ଜରୀ ଦେବୀ ପ୍ରମୁଖ ଏଥିରେ ଅତିଥି-ବକ୍ତା ଭାବେ ଯୋଗଦେଇ ସାମ୍ପ୍ରତିକ ସ୍ଥିତିରେ ରାଷ୍ଟ୍ରର ଗଣତାନ୍ତ୍ରିକ ବ୍ୟବସ୍ଥା ଓ ବ୍ୟକ୍ତି ସ୍ୱାଧୀନତା ପ୍ରତି ସୃଷ୍ଟି ହୋଇଥିବା ଭୟଙ୍କର ବିପଦ ଏବଂ ଏହାର ନିରାକରଣର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ । ଜର୍ମାନୀର ନାଜୀ ସରକାରଙ୍କୁ ସେତେବେଳର କୋଟିପତି ଓ ଶିଳ୍ପପତ ସମର୍ଥନ କରିଥିବା ଭଳି ବର୍ତ୍ତମାନର ମୋଦି ସରକାରଙ୍କ ନିଷ୍ପତ୍ତିକୁ ଦେଶର କିଛି ଶିଳ୍ପପତି ସମର୍ଥନ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ସେମାନେ କହିଥିଲେ । ଫାଶୀବାଦୀ ବିଜେପି ସରକାର କେବଳ ସଂଖ୍ୟାଲଘୁ ବିରୋଧରେ ନୁହେଁ ସମଗ୍ର ଦେଶର ସ୍ୱାଧୀନତା ଓ ସାର୍ବଭୌମତ୍ୱ ଉପରେ ଆକ୍ରମଣ କରୁଛି । ବଡ଼ ବଡ଼ ପୁଞ୍ଜିପତିମାନେ ଏହି ସାମ୍ପ୍ରଦାୟିକ ଶକ୍ତି ସହିତ ଏକାଠି ହୋଇ ଦେଶର ସମସ୍ତ ସମ୍ପଦକୁ ଲୁଟିବାରେ ଲାଗିଛନ୍ତି । ଆଦାନୀ ଏବଂ ଅମ୍ବାନୀ କମ୍ପାନୀ ଏହାର ଉଦାହରଣ । ଫାଶୀବାଦୀ ବିଜେପି ସରକାର କେବଳ ସଂଖ୍ୟାଲଘୁ ବିରୋଧରେ ନୁହେଁ ସମଗ୍ର ଦେଶର ସ୍ୱାଧୀନତା ଓ ସାର୍ବଭୌମତ୍ୱ ଉପରେ ଆକ୍ରମଣ କରୁଛି । ଆରଏସଏସ୍ ପରିଚାଳିତ ବିଜେପି ସରକାର ସମ୍ବିଧାନ ପରିବର୍ତ୍ତେ ଦେଶରେ ମନୁସ୍ମୃତିକୁ କାର୍ଯ୍ୟକାରୀ କରିବାକୁ ଚାହାଁନ୍ତି । ଏହା ହେଲେ ହିନ୍ଦୁମାନଙ୍କ ଉପରେ ପ୍ରଥମେ ଆକ୍ରମଣ ହେବ । ଦଳିତ ଓ ନାରୀମାନଙ୍କର କୌଣସି ଅଧିକାର ରହିବ ନାହିଁ ବୋଲି ବକ୍ତାମାନେ କହିଥିଲେ । ସେମାନେ କହିଥିଲେ କି ବିଜେପି ସରକାର କ୍ଷମତାକୁ ଆସିବା ପରେ ପି ଏମ କେୟାର ଫଣ୍ଡ ନାମରେ ଶିଳ୍ପପତିଙ୍କଠାରୁ ଚାନ୍ଦା ଆଦାୟ କରାଯାଉଛି । ପ୍ରତି ତିରିଶ ମିନିଟରେ ବିଜେପି ପାଣ୍ଠିକୁ ସାତଲକ୍ଷ ଟଙ୍କା ଓ ଚବିଶ ଘଣ୍ଟାରେ ୧୪୮ଲକ୍ଷ ଟଙ୍କା ଆସୁଛି । ପ୍ରତିଦିନ ରାଷ୍ଟ୍ରାୟତ ବ୍ୟାଙ୍କରୁ ଶିଳ୍ପପତି ମାନେ ୮୬୦କୋଟି ଟଙ୍କା ଋଣ ନେଉଥିବା ବେଳେ ପ୍ରତିଦିନ ସରକାର ସେମାନଙ୍କୁ ୫୮୦କୋଟି ଟଙ୍କା ଋଣ ଛାଡ଼ କରୁଛନ୍ତି । ସେହି ଛାଡ଼ ରାଶିରୁ ଶିଳ୍ପପତିମାନେ ସାତ କୋଟି ଟଙ୍କା ଚାନ୍ଦା ଦେଉଛନ୍ତି । ଦଳୀୟ ପାଣ୍ଠି ବୃଦ୍ଧି ପାଇଁ ବିଜେପି ସରକାର ଦେଶକୁ ଶିଳ୍ପପତିଙ୍କ ହାତକୁ ଟେକିଦେବାକୁ ଯାଉଛନ୍ତି । ଅନୁରୂପ ଭାବେ ଓଡିଶାର ବିଜେଡି ସରକାର କ୍ଷମତା ପାଇଁ ପର୍ଦ୍ଦା ପଛରେ ରହି କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ସରକାରଙ୍କୁ ସମର୍ଥନ ଦେବାକୁ ସାଧାରଣ ଲୋକେ କେବେ କ୍ଷମା ଦେବେ ନାହିଁ ବୋଲି ସେମାନେ କହିଥିଲେ । ସମ୍ବିଧାନ ବଂଚିଲେ ରାଜନୌତିକ ଦଳ ରହିବ । ଗଣଆନ୍ଦୋଳନ ତୀବ୍ରତର ହୋଇ ପାରିବ । ଗଣତନ୍ତ୍ରର ସୁରକ୍ଷା ପାଇଁ ସ୍ୱେଛାଚାରୀ ଶାସନ ଓ ଶାସକଙ୍କ ବିରୋଧରେ ଜନ ଆନ୍ଦୋଳନରେ ସାମିଲ ହେବାକୁ ଅତିଥିମାନେ ଆହ୍ୱାନ ଦେଇଥିଲେ । ବନ୍ଦନା ପାତ୍ର, ବନଜା ପଟ୍ଟନାୟକ, ବିଜନ ନାୟକ, ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ସତ୍ୟ ନାରାୟଣ ମହାନ୍ତି, ସର୍ବେଶ୍ୱର ମିଶ୍ର, ଜିଲ୍ଲା କଂଗ୍ରେସ ଉପ-ସଭାପତି କୃଷ୍ଣଗୋପାଳ ପଣ୍ଡା ଓ ଗୋପୀନାଥ ପାଢ଼ୀ, ରାଜୀବ ପରିଡ଼ା, ମନୋରଞ୍ଜନ ପଣ୍ଡା, ଜୟକୃଷ୍ଣ ବେହେରା, ତରୁଣ ଦାସ, ବିକାଶ ଦାସ, କହ୍ନେଇ ବେହେରା, ଦେବଦତ୍ତ ଦାସ, ତୁଷାରକାନ୍ତି ତପସ୍ୱୀ, ବାସନ୍ତୀ ସାମଲ, ସୁଧାଂଶୁ ଶେଖର ଜେନା, ରଞ୍ଜନ ଦାସ, ପ୍ରଜ୍ଞାପାରମିତା ମହାନ୍ତି, ଅରୁଣ ଜେନା, ଭବାନୀ ମଲ୍ଲିକ, ନବପ୍ରସାନ ଭୂୟାଁ, ସୌରଭ ବେହେରା ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ । ଆସନ୍ତା ମଇମାସରେ ଜିଲାର ୮ଟି ବିଧାନସଭା ନିର୍ବାଚନମଣ୍ଡଳିରେ ‘ସମ୍ବିଧାନ ବଂଚାଅ – ଗଣତନ୍ତ୍ର ବଂଚାଅ’ ଦାବି ଉପରେ ମହାମହୀମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯିବ ବୋଲି ଆଜିର ଏହି ମହା ସମ୍ମିଳନୀରେ ନିଷ୍ପତ୍ତି ନିଆଯାଇଛି । ସିପିଆଇ ନେତା ଗୌରାଙ୍ଗ ପାଣିଗ୍ରାହୀ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ