ପଛୁଆ ବର୍ଗର ଲୋକ ମାନଙ୍କର ସାମାଜିକ ଓ ଶିକ୍ଷାଗତ ସ୍ଥିତି ସର୍ଭେ କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କ ସର୍ଭେ ସମୟରେ ଛୁଟିରେ ରହିବେ ନାହିଁ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଗଞ୍ଜାମ ଜିଲ୍ଲାରେ ସୋମବାର ଠାରୁ ପଛୁଆ ବର୍ଗର ଲୋକ ମାନଙ୍କର ସାମାଜିକ ଓ ଶିକ୍ଷାଗତ ସ୍ଥିତି ସମ୍ପର୍କରେ ସର୍ଭେ ଆରମ୍ଭ ହେବ । ସର୍ଭେ କାର୍ଯ୍ୟ ଯେପରି ସଠିକ୍ ହେବ ସେଥି ନିମନ୍ତେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଓସ୍ବାନ୍ ହଲ୍ ଠାରେ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାର ପଛୁଆ ବର୍ଗ ଲୋକ ମାନଙ୍କ ବୃତ୍ତି, ଶିକ୍ଷାଗତ ଯୋଗ୍ୟତା ସହିତ ସେମାନଙ୍କର ସାମାଜିକ ଓ ଶିକ୍ଷାଗତ ସ୍ଥିତି ସମ୍ବନ୍ଧରେ ସଠିକ୍ ତଥ୍ୟ ସଂଗ୍ରହ କରିବା ସକାଶେ ଜିଲ୍ଲାପାଳ ଶ୍ରୀ ପରିଡା ଗୁରୁତ୍ବ ଦେଇଥିଲେ । ସଂଗ୍ରହ କରିବାକୁ ଥିବା ତଥ୍ୟ ଯେପରି ସଠିକ୍ ହେବ ସେଥି ସକାଶେ ନିୟୋଜିତ ଅଧିକାରୀ ଓ କର୍ମଚାରୀଗଣ ଅଧିକ ତତ୍ପରତା ସହିତ କାମ କରିବାକୁ କୁହାଯାଇଛି । ସର୍ଭେ କାର୍ଯ୍ୟ ସମୟ ମଧ୍ୟରେ ନିୟୋଜିତ ଥିବା ଅଧିକାରୀ କିମ୍ବା କର୍ମଚାରୀ ଛୁଟିରେ ରହିପାରିବେ ନାହିଁ । ମଇ ୧ ତାରିଖ ଠାରୁ ୨୦ ତାରିଖ ପର୍ଯ୍ୟନ୍ତ ଖୋଲାଯାଇଥିବା ସେଣ୍ଟର ଗୁଡିକ ପ୍ରତ୍ୟହ ସକାଳ ୧୦ ଘ. ଠାରୁ ମଧ୍ୟାହ୍ନ ୧୨ଘ. ଏବଂ ଅପରାହ୍ନ ୩ଘ. ରୁ ସଂଧ୍ୟା ୫ ଘ. ପର୍ଯ୍ୟନ୍ତ ଖୋଲା ରହିବ । ୨୧ ତାରିଖ ଠାରୁ ୨୭ ତାରିଖ ପର୍ଯ୍ୟନ୍ତ ନିୟୋଜିତ କର୍ମଚାରୀଗଣ ଘରକୁଘର ବୁଲି ସର୍ଭେ କାର୍ଯ୍ୟ ସମ୍ପୂର୍ଣ୍ଣ କରିବେ । ସମସ୍ତ ସରକାରୀ ଛୁଟି ଦିନ ଏବଂ ରବିବାର ଦିନ ମଧ୍ୟ ସର୍ଭେକାର୍ଯ୍ୟ ଚାଲୁ ରହିବ । ସର୍ଭେ କାର୍ଯ୍ୟ ସମୟ ମଧ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ବଜାୟ ରଖିବା ନିମନ୍ତେ ପୋଲିସ୍ ପ୍ରଶାସନ ପକ୍ଷରୁ ପୋଲିସ୍ ଦ୍ବାରା ପେଟ୍ରୋଲିଂ କରାଯିବ । ସର୍ଭେ କାର୍ଯ୍ୟର ସୁ ସମ୍ପାଦନ ସକାଶେ ଆୟୋଜିତ ଆଭାସୀ ବୈଠକରେ ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ଶ୍ରାବଣ କୁମାର, ଛତ୍ରପୁର ଆରକ୍ଷୀ ଅଧୀକ୍ଷକ ଜଗ ମୋହନ ମୀନା, ଅତିରିକ୍ତ ଜିଲ୍ଲାପାଳ ତଥା ନୋଡିଲ ଅଧିକାରୀ ପ୍ରିୟ ରଞ୍ଜନ ପୃଷ୍ଟି, ଉପ ଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ର, ଜିଲ୍ଲା ଶିକ୍ଷା ଅଧିକାରୀ ବିନୀତା ସେନାପତି, ଡେପୁଟି କଲେକ୍ଟର ତଥା ସର୍ଭେ କାର୍ଯ୍ୟର ସୁପରିଚାଳକ ସୁକାନ୍ତ ମିଶ୍ର ଉପସ୍ଥିତ ଥିଲା ବେଳେ ଆଭାସୀ ମାଧ୍ୟମରେ ଜିଲ୍ଲାର ସମସ୍ତ ଉପଜିଲ୍ଲାପାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ଭାରପ୍ରାପ୍ତ ଥାନା ଅଧିକାରୀ ପ୍ରମୁଖ ଜଡିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ