ମହାନଦୀ କୂଳେ କୂଳେ ଆୟୋଜିତ ହେବ ନଦୀ ଯାତ୍ରା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ରବିବାର ଦିନ ଭୁବନେଶ୍ୱରସ୍ଥିତ ସିୱାଇଏସ୍ଡ଼ିଠାରେ ମହାନଦୀ ଟ୍ରିବୁନାଲ ଓ ମହାନଦୀର ଭବିଷ୍ୟତ ବିଷୟକୁ ନେଇ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ମହାନଦୀ ସାମ୍ପ୍ରତିକ ପରିସ୍ଥିତି ଓ ସଙ୍କଟର ଅନୁଧ୍ୟାନ ଓ ସମାଧାନ ପାଇଁ ମହାନଦୀ ଜନ ଆୟୋଗ ଗଠନ ପାଇଁ ପ୍ରସ୍ତାବ ପାରିତ ହୋଇଛି । ଏଥିରେ ପ୍ରାରମ୍ଭିକ ଭାବରେ ଡ ଅରବିନ୍ଦ ବେହେରା, ଶ୍ରୀଯୁକ୍ତ ଜଗଦାନନ୍ଦ, ଡ ଭଗବାନ ପ୍ରକାଶ ଓ ପ୍ରଫେସର ଶିଶିରକାନ୍ତ ବେହେରାଙ୍କୁ ସଭ୍ୟ ଭାବରେ ରଖାଯାଇଛି । ପରବର୍ତ୍ତୀ ସମୟରେ ଜାତୀୟ ଓ ଆନ୍ତର୍ଜାତୀୟ ଖ୍ୟାତି ଅର୍ଜନ କରିଥିବା ବିଶେଷଜ୍ଞମାନଙ୍କୁ ଏଥିରେ ସାମିଲ କରାଯିବ । ଏଥିପାଇଁ ଏକ ଟର୍ମସ୍ ଅଫ ରେଫରେନ୍ସ ପ୍ରସ୍ତୁତ ହେବ । ଗଙ୍ଗା ପରି ମହାନଦୀର ପ୍ରାକୃତିକ ପ୍ରବାହ ବା ଇ ଫ୍ଲୋ ନିର୍ଦ୍ଧାରଣ ହେବ ଏହି ଆୟୋଗର ପ୍ରଥମ କାମ ।ଆସନ୍ତା ୧୦ ତାରିଖରେ ମହାନଦୀ ଟ୍ରିବୁନାଲର ଓଡ଼ିଶା ପଟରେ ମହାନଦୀ ପରିଦର୍ଶନ କାର୍ଯ୍ୟକ୍ରମ ରହିଛି । ସେହି ଦିନ ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଏକ ଗଣ ସତ୍ୟାଗ୍ରହ ଆୟୋଜନ କରାଯିବାର ନିଷ୍ପତ୍ତି ହୋଇଛି । ସମ୍ଭବ ହେଲେ ଟ୍ରିବୁନାଲର ଅଧ୍ୟକ୍ଷଙ୍କୁ ଭେଟି ଏକ ଦାବିପତ୍ର ମଧ୍ୟ ଦିଆଯିବ । ମହାନଦୀ କୂଳେ କୂଳେ ମହାନଦୀ ଯାତ୍ରା ଆୟୋଜନ କରିବାର ନିଷ୍ପତ୍ତି ମଧ୍ୟ ହୋଇଛି ।ଏହି ଆଲୋଚନା ସଭାକୁ ଜଳପୁରୁଷ ଡ ରାଜେନ୍ଦ୍ର ସିଂହ ଓ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଦୀପକ ମାଲବ୍ୟ ଫୁଲକୁଣ୍ଡରେ ମହାନଦୀ ପାଣି ଦେଇ ଉଦ୍ଘାଟନ କରିଥିଲେ । ନର୍ବାଚନ କମିଶନର ପୂର୍ବତନ ଉପଦେଷ୍ଟା ଡ ଭଗବାନ ପ୍ରକାଶ ଏଥିରେ ଅଧ୍ୟକ୍ଷତା କରିଥିଲେ । ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଆଲୋଚନା ସଭାରେ ଡ ଅରବିନ୍ଦ ବେହେରା, ଶ୍ରୀ ଜଗଦାନନ୍ଦ, ଡ ଦିଲ୍ଲୀପ ଶ୍ରୀଚନ୍ଦନ, ପ୍ରଫେସର ଶିଶିରକାନ୍ତ ବେହେରା, ସିପିଏମ୍ ନେତା ସୁରେଶ ପାଣିଗ୍ରାହୀ, ସିପିଆଇ (ଏମ୍ଏଲ୍)ର ନେତା ଅଶୋକ ପ୍ରଧାନ, ସମାଜବାଦୀ ପାର୍ଟି ନେତା ସୁଦର୍ଶନ ପ୍ରଧାନ, ଏନ୍ସିପି ନେତା ବିକ୍ରମ ପ୍ରଧାନ, ଦୟା ବଞ୍ଚାଅ ଆନ୍ଦୋଳନର ସଚିକାନ୍ତ ପ୍ରଧାନ, ଧନୁୁଆ ଆନ୍ଦୋଳନର ନିରଦ ଖୁଣ୍ଟିଆ, ପ୍ରାଚୀ ଆନ୍ଦୋଳନର ଅଶ୍ୱିନୀ ମହାପାତ୍ର, ଚିଲିକା ବଞ୍ଚାଅ ଆନ୍ଦୋଳନର ବିଷ୍ଣୁପ୍ରିୟା ସ୍ୱାଇଁ, ପରେଶ ଜାଲି, ସାଳନ୍ଦୀ ଆନ୍ଦୋଳନର ପ୍ରତାପ ପାଢୀ, ବ୍ରାହ୍ମଣୀ ଆନ୍ଦୋଳନର ଅକ୍ଷୟ ଜେନା, ଭିଟାମାଟି ସୁରକ୍ଷା ଆନ୍ଦୋଳନର ଅରୁଣ ଜେନା, ମାନବାଧିକାର କର୍ମୀ ମନୋଜ ଜେନା, ଡ ପ୍ରମୋଦ ରାୟ, ଅର୍ଜୁନ ଚରଣ ସାମନ୍ତରାୟ, ମହାନଦୀ ବଞ୍ଚାଅ ଆନ୍ଦୋଳନର ନେତା ବିଜୟ ପ୍ରଧାନ, ପ୍ରଭାସିନୀ ରାଉତ ପ୍ରମୁଖ ବକ୍ତବ୍ୟ ରଖିଥିଲେ ।ଡ ରାଜେନ୍ଦ୍ର ସିଂହ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଟ୍ରିବୁନାଲ ଦ୍ୱାରା ମହାନଦୀ ସମସ୍ୟାର ସମାଧାନ ନ ଖୋଜି ଆପୋଷ ଆଲୋଚନା ପାଇଁ କ୍ଷେତ୍ର ପ୍ରସ୍ତୁତ ହେବା ଦରକାର । ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଏଥିପାଇଁ ଆଗ୍ରହ ପ୍ରକାଶ କରିବା ଉଚିତ୍ । ଦରକାର ପଡ଼ିଲେ ସେ ଏଥିପାଇଁ ମଧ୍ୟସ୍ଥତା କରିବା ପାଇଁ ପ୍ରସ୍ତୁତ ବୋଲି ସେ କହିଥିଲେ । ଶ୍ରୀ ଦୀପକ ମାଲବ୍ୟ ନଦୀ ଓ ପାଣି ଆଜି କର୍ପୋରେଟ ହାତକୁ ଚାଲିଯାଉଛି । ଏହାର ସୁରକ୍ଷା ପାଇଁ ନାଗରିକ ସମାଜ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ । ମହାନଦୀ ଆନ୍ଦୋଳନକୁ ସମର୍ଥନ କରିବା ସହିତ ଆଗାମୀ ଦିନରେ ଏହାକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ସମସ୍ତ ସାହାଯ୍ୟ ଓ ସହଯୋଗ କରିବେ ବୋଲି କହିଥିଲେ ।


