ଶ୍ରମ କାର୍ଯ୍ୟାଳୟ ଛାତରୁ ଖସିଲା ଓଜନିଆ କଂକ୍ରିଟ ଖଣ୍ଡ
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ପ୍ରଭାଗୀୟ ଶ୍ରମ ଆୟୁକ୍ତ ଅଜୟ କୁମାର ପ୍ରଧାନଙ୍କ ଅଫିସ ଛାତରୁ ଓଜନିଆ କଂକ୍ରିଟ ଖଣ୍ଡ ଖସିପଡ଼ିବା ଯୋଗୁଁ ବହୁ ସାମଗ୍ରୀ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି । ବୁଧବାର ଅପରାହ୍ଣ ପ୍ରାୟ ୧ଟା ୩୦ ବେଳେ ଶ୍ରମ ଆୟୁକ୍ତ ଶ୍ରୀ ପ୍ରଧାନ ଅଫିସରୁ ବାହାରି ଗାଡ଼ିରେ ବସିବାକୁ ଯାଉଥିବା ବେଳେ ବମ ଫାଟିବା ଭଳି ପ୍ରଚଣ୍ଡ ଶବ୍ଦ ହୋଇଥିଲା । ଅଫିସ ଡୋର ଖୋଲିବା ପରେ କଂକ୍ରିଟ ଖଣ୍ଡ ଖସିଥିବା ସମସ୍ତେ ଦେଖିବାକୁ ପାଇଥିଲେ ।ଏହି କଂକ୍ରିଟ ଖଣ୍ଡ ଶ୍ରମ ଆୟୁକ୍ତଙ୍କ ଟେବୁଲ ଓ ଚେୟାର ଉପରେ ପଡ଼ିଥିଲା । ଫଳରେ ଟେବୁଲର କାଚ ଓ ଚେୟାରଟି ଭାଙ୍ଗି ଯାଇଥିଲା । ପାଖାପାଖି ୧କ୍ୱିଣ୍ଟାଲ ଓଜନର ହେବ ବୋଲି ଅନୁମାନ କରାଯାଇଛି । ଏମିତିକି ଏହା ଖସିବା ବେଳେ ସିଲିଂ ଫ୍ୟାନର ପାତକୁ ବି ଭାଙ୍ଗି ଦେଇଥିଲା । ଅଫିସରୁ ବାହାରିବା ସାମାନ୍ୟ ବିଳମ୍ବ ହୋଇଥିଲେ ଏହି କଂକ୍ରିଟ ଖଣ୍ଡ ଡିଏଲସିଙ୍କ ମୁଣ୍ଡରେ ପଡ଼ିଥାନ୍ତା ବୋଲି ସମସ୍ତେ ଆଶଙ୍କା କରିଛନ୍ତି । ମରାମତି ଅଭାବରୁ ଦୀର୍ଘ ୪୦ ବର୍ଷତଳର ଏହି ପୁରୁଣା ଗୃହରୁ ଛାତ ଖସିଥିବା ଅନୁମାନ କରାଯାଇଛି । ଜିଲା ପୂର୍ତ୍ତ ବିଭାଗ ପକ୍ଷରୁ ସରକାରୀ କାର୍ଯ୍ୟାଳୟ ବିଲ୍ଡିଂ ମରାମତି ନାମରେ ପ୍ରତିବର୍ଷ କୋଟି କୋଟି ଟଙ୍କାର ବିଲ କରାଯାଉଥିବା ବେଳେ ଶ୍ରମ କାର୍ଯ୍ୟାଳୟ ମରାମତି ପାଇଁ ବିଭାଗ ପକ୍ଷରୁ ଗୁରୁତ୍ୱ ଦିଆନଯିବା ଦୁର୍ଭାଗ୍ୟର ବିଷୟ ବୋଲି ଶ୍ରମିକ ନେତାମାନେ ଆରୋପ ଉଠାଇଛନ୍ତି । ଦୀର୍ଘବର୍ଷର ଏହି ପୁରୁଣା କାର୍ଯ୍ୟାଳୟର ତୁରନ୍ତ ମରାମତି ପାଇଁ ସେମାନେ ଦାବି କରିଛନ୍ତି ।


