ଆନନ୍ଦମାର୍ଗ ଆବାସିକ ବିଦ୍ୟାଳୟରେ ଶିଶୁମେଳା ଉଦଯାପିତ
ବାଲେଶ୍ୱର, (ସରୋଜ ପଣ୍ଡା):ଆନନ୍ଦମାର୍ଗ ପ୍ରଚାରକ ସଂଘ ପ୍ରତିଷ୍ଠାତା ଶ୍ରୀ ଶ୍ରୀ ଆନନ୍ଦମୂର୍ତିଙ୍କ ୧୦୨ତମ ଜନ୍ମୋତ୍ସବ ଉପଲକ୍ଷେ ବାଲେଶ୍ୱର ସହର ଉପକଣ୍ଠ ଫୁଲାଡି ସ୍ଥିତ ଆନନ୍ଦମାର୍ଗ ଆବାସିକ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ବିଦ୍ୟାଳୟ ପକ୍ଷରୁ ସପ୍ତାହବ୍ୟାପୀ ଏକ ଶିଶୁମେଳା ଆୟୋଜିତ ହୋଇଥିଲା । ଶିଶୁମେଳାର ଉଦଯାପନୀ ଉତ୍ସବରେ ସେରଗଡ ସ୍ଥିତ ନୀଳଶୈଳ ଇନଷ୍ଟିଚ୍ୟୁଟ ଅଫ ସାଇନସ ଏଣ୍ଡ ଟେକ୍ନୋଲୋଜିର ଅଧ୍ୟକ୍ଷ ଡକ୍ଟର ସତ୍ୟାନନ୍ଦ ତ୍ରୀପାଠି ମୁଖ୍ୟଅତିଥି ଭାବେ ଯୋଗଦେଇ ଶିଶୁ ପ୍ରତିଭା ଅନ୍ୱେଷଣ ଓ ପ୍ରୋତ୍ସାହନ ଉଦ୍ଦେଶ୍ୟରେ ଆୟୋଜିତ କାର୍ଯ୍ୟକ୍ରମ ପାଇଁ ଆୟୋଜକଙ୍କୁ ସାଧୁବାଦ ଜଣାଇଥିଲେ । ବାଲେଶ୍ୱରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଯୁବ ବିକାଶର ନିର୍ଦ୍ଦେଶକ ଗୋବିନ୍ଦ ଚନ୍ଦ୍ର ଦଳାଇ, ନଗ୍ରମ ପଂଚାୟତର ପୂର୍ବତନ ସରପଂଚ ପ୍ରଦୀପ ଜେନା, ସମାଜସେବୀ ସାଗରିକା ତ୍ରୀପାଠି ପ୍ରମୁଖ ଏଥିରେ ସମ୍ମାନୀତ ଅତିଥିଭାବେ ଯୋଗଦେଇ ଶିଶୁମେଳାରେ ଅଂଶଗ୍ରହଣ କରିଥିବା ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ପାତ୍ର ଏଥିରେ ଅଧ୍ୟକ୍ଷତା କରିଥିଲେ । ଏହ ଶିଶୁମେଳାରେ ବାଲେଶ୍ୱର ସଦର ଓ ରେମୁଣା ବ୍ଲକର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ନୃତ୍ୟ, ସଙ୍ଗୀତ, ଚିତ୍ରାଙ୍କନ, ବକ୍ତୃତା, ଗଣିତ, ସାଧାରଣଜ୍ଞାନ ପ୍ରଭୃତି ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଶିକ୍ଷକ ସୁଶାନ୍ତ ଜେନା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଶେଷରେ ସତୀଶ କୁମାର ଧଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


