ବାହୁନୁଚି ବାହାନଗା ଲୁହ ପୋଛିବ କି ସିବିଆଇ
ଭାରତରେ ଶତାଦ୍ଦୀର ମହାପ୍ରଳୟଙ୍କର ରେଳଦୁର୍ଘଟଣା – ମୃତ୍ୟୁର ବିଭୀଷିକାକୁ ସିବିଆଇ ତଦନ୍ତ କରିବାପାଇଁ ଘୋଷଣା କରିଛନ୍ତି ଆମ ଓଡିଶାର ସଂସଦ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏ କରମଣ୍ଡଳର କ୍ରୁରମଣ୍ଡଳରେ ଶବ ପାଲଟିଯାଇଥିବା ଓ ହାତଗୋଡହରା ଭୟଙ୍କର ଶରୀରରେ କ୍ଷତିଗ୍ରସ୍ତ ହୋଇଥିବା ହତଭାଗ୍ୟ ଯାତ୍ରୀମାନଙ୍କ ପାଇଁ ଦାୟୀ କିଏ, ଦୋଷୀ କିଏ, ଏସବୁ ସିବିଆଇ ତଦନ୍ତକରି ଦୋଷୀମାନଙ୍କୁ ଚିହ୍ନଟକରିବା ପୂର୍ବରୁ ଆଉ ଯେ କେତେ ଅଘଟଣ ନଘଟିବ କିଏ କହିପାରିବବୋଲି ବିଶିଷ୍ଟ ଶ୍ରମିକନେତା ମାୟାଧର ନାୟକ ପ୍ରେସ୍ ଇସ୍ତାହାରରେ କହିଛନ୍ତି । ସେ ଲେଖିଛନ୍ତି – ଏବେ ଏବେ ବିହାରରେ ଗଙ୍ଗାନଦୀରେ ୧୭୦୦ କୋଟି ଟଙ୍କାର ନିର୍ମାଣଧୀନ ପୋଲ ଗଳିପଡିଲା । ପ୍ରତିଦିନ ଯେତେ ଦୁର୍ଘଟଣା ଘଟୁଛି, ଲୋକ ମରୁଛନ୍ତି, ତା’ର ହିସାବ କିଏ ରଖୁଛି ? ସବୁଥିରେ ସିବିଆଇକୁ ଭଗବାନ ସ୍ଥାନରେ ରଖନ୍ତୁନାହିଁ । ସେମାନେ ରକ୍ତମାଂସଧାରୀ ମଣିଷ । ସେମାନଙ୍କର ପରିବାର ଅଛି, ସ୍ୱାର୍ଥ ଅଛି, ଚାକିରୀରେ ଅବସର ମଧ୍ୟ ଅଛି, ଦେଶପ୍ରେମରେ ସବୁକିଛି ଭୂଲି କାମକରିବେ ଏହା ସମ୍ଭବ ନୁହେଁ । ସିବିଆଇ ତଦନ୍ତ କେବଳ ଅସଲ ସତ୍ୟକୁ ଲୋକ ଆଢୁଆଳରୁ ଦୂରେଇ ରଖିବାର ଚକ୍ରାନ୍ତ । ଶ୍ରୀ ନାୟକ କହିଛନ୍ତି – ସିବିଆଇ ଦେବଦୂତ୍ତ ନୁହେଁ । ସେମାନେ ଯେକୌଣସି ଦୁର୍ଘଟଣା ଘଟିଲେ ସବୁର ତଦନ୍ତ ଦାୟିତ୍ୱ ନେଉଛନ୍ତି – ସେସବୁ ଅଧିକାଂଶ ଫସର ଫାଟିଯାଉଛି । କେନ୍ଦ୍ରସରକାରଙ୍କ ଗୃହବିଭାଗ ଅଧିନରେ ସିବିଆଇ । ଏମାନେ ଦକ୍ଷ ପୋଲିସ ବୋଲି ସେମାନଙ୍କୁ ସିବିଆଇ ମାର୍କା ପୋଲିସ୍ କୁହାଯାଏ । ସେମାନେ ଯେଉଁ ତଦନ୍ତ କରନ୍ତି – ପାଗ ଭିଡୁ ଭିଡୁ କଚେରୀ ବରଖାସ୍ତ । ତାଙ୍କ ତଦନ୍ତ ପ୍ରଥମେ ହଟଚମଟ ସୃଷ୍ଟିକରି ପରେ ଘୋର ନିଦ୍ରାରେ ଘୁଙ୍ଗୁଡି ମାରନ୍ତି । ନିଦ ଭାଙ୍ଗିଲାବେଳକୁ ନିର୍ଦ୍ଦେଶିତ କାହା ମୁଣ୍ଡରେ ଅଠା ବୋଳିଦିଅନ୍ତି । ଏଇ ସିବିଆଇ ରାଜୀବ ଗାନ୍ଧୀ ହତ୍ୟାକାଣ୍ଡର ତଦନ୍ତ କରୁଥିଲେ । ଅଢେଇବର୍ଷରେ କୋଟି କୋଟି ଟଙ୍କା ରାଜକୋଷରୁ ଖର୍ଚ୍ଚକରି ଯାହା ଫଳ ମିଳିଲା ତାହା କାହାକୁ ଅଜଣା ନାହିଁ । ଆମ ଓଡିଶାରେ ସୁକିନ୍ଦା ଖଣି ଅଞ୍ଚଳରେ ଶ୍ରମିକନେତା ଶ୍ୟାମାପଦ ରାଉତଙ୍କୁ ଅତି ଅମାନୁଷିକ ଭାବେ ଜନଗହଳିପୂର୍ଣ୍ଣ ଟାଟା ବଜାରରେ ହତ୍ୟା କରାଗଲା । ଓଡିଶା ପୋଲିସ୍ ଆଖିବୁଜିଦେଇ ବର୍ଷକପରେ ରିପୋର୍ଟ ଦେଲା – ଶ୍ୟାମାପଦ ନିଖୋଜ । ଆମେ ସୁପ୍ରିମ୍କୋର୍ଟର ଦ୍ୱାରସ୍ଥ ହେଲୁ । ସିବିଆଇ ତଦନ୍ତ ଆଦେଶ ହେଲା । ହତ୍ୟାକାଣ୍ଡର ଦୁଇବର୍ଷପରେ ସିବିଆଇ ସୁକିନ୍ଦାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ତଦନ୍ତକରି କେତେକଙ୍କୁ ଗିରଫ କଲେ । ରାଜସାକ୍ଷୀ ଗୋପାଳ ବେହେରାଙ୍କୁ ଭୁବନେଶ୍ୱର ସିବିଆଇ ହାଜତ୍ରେ ରଖିଲେ । ରାତିରେ ତା’ର ମୃତ୍ୟୁ ହେଲା । ତା’ର ତଦନ୍ତ କ’ଣ ସିବିଆଇ କଲା ? ଶ୍ୟାମାପଦ ହତ୍ୟାକାଣ୍ଡ ତଦନ୍ତରେ ନୂଆ ରାଜସାକ୍ଷୀ, ଡାକ୍ତର, ଅଫିସରଙ୍କୁ ଏପର୍ଯ୍ୟନ୍ତ ଜେରା କରାଯାଇନି । ହତ୍ୟାକାଣ୍ଡକୁ ୩୦ବର୍ଷ ପୁରିବ । ଏବେବି ସିବିଆଇ କାନରେ ଜଡାତେଲ ଦେଇ ଶୋଇଛି । କେବଳ ଶ୍ୟାମାପଦ ହତ୍ୟାକାଣ୍ଡ ନୁହେଁ – ଏଇଭଳି ଭାବେ ସମଗ୍ର ଭାରତରେ ବହୁ ଘଟଣାରେ ସିବିଆଇକୁ ତଦନ୍ତ କରିବାକୁ ଦିଆଯାଉଛି । ସେମାନେ ଆଉ ଖଟିପାରୁନାହାଁନ୍ତି । କେବଳ କ୍ଷମତାସୀନ ଦଳନେତାଙ୍କ କଥାରେ ନାଚୁଛନ୍ତି । ସେମାନଙ୍କ ବିଳମ୍ବିତ ତଦନ୍ତ କୋଉ କାମକୁ ନୁହେଁ ।
ଆଜି ବାହୁନୁଚି ବାହାନଗା – ତମାମ୍ ଓଡିଶା ଅସ୍ତବ୍ୟସ୍ତ – ପାରୁପର୍ଯ୍ୟନ୍ତ ସେବାରେ ବ୍ୟସ୍ତ – ନିଜ ରକ୍ତ ନିଗାଡି ଦୁର୍ଘଟଣାଗ୍ରସ୍ତ ରୋଗୀଙ୍କୁ ଦେଉଛନ୍ତି । ଡାକ୍ତର, ନର୍ସ, ପାରାମେଡିକାଲ ଷ୍ଟାଫ୍, ଅଫିସ, କର୍ମଚାରୀ, ସ୍ୱେଛାସେବୀ ସମସ୍ତେ ପାରୁପର୍ଯ୍ୟନ୍ତ କାର୍ଯ୍ୟକରିଚାଲୁଛନ୍ତି । ବାହାର ପ୍ରଦେଶର ଲୋକଙ୍କୁ ନିଜ ଘରେ ଛାଡିବାପାଇଁ ମୁଖ୍ୟମନ୍ତ୍ରୀ ସବୁ ବ୍ୟବସ୍ଥା କରିବା ସଂଗେ ସଂଗେ କ୍ଷତିପୂରଣ ଟଙ୍କା ମଧ୍ୟ ଘୋଷଣା କରିଛନ୍ତି । ଏଣେ ମୋଦିସରକାରଙ୍କ ମନ୍ତ୍ରୀନେତାମାନଙ୍କ ଫୁଲାଫାଙ୍କିଆ ବକ୍ତବ୍ୟ ଘୋଷଣା ହାସ୍ୟାସ୍ପଦ । ଏଇ ମାନବିୟ ବିଫଳତା – ମନୁଷ୍ୟକୃତ ଦୁର୍ଘଟଣା ପାଇଁ ଦାୟୀ ମୋଦିଜୀ ଓ ବୈଷ୍ଣବଜୀ । ସେମାନେ ଅପରାଧୀ । ଅପରାଧୀ କ’ଣ ଦୋଷୀକୁ ଧରିବ ? ବନ୍ଦେ ଭାରତ ବୁଲେଟ୍ ଟ୍ରେନ୍ ପ୍ରକଳ୍ପରେ ବିଜ୍ଞାପନର ପଟୁଆର ୫୬ ଇଞ୍ଚ୍ ଛାତିଫୁଲାଇ ଗର୍ଜିବା – ବାଲି ଉପରେ କୋଠା ତିଆରି ସଦୃଶ୍ୟ । ମୋଦିଜୀଙ୍କର କାହାକୁ ଖାତିର ନାହିଁ । ପାଟିରୁ ଯାହା ବାହାରିଲା – ତାହା ବେଦର ଗାର । ବାହାନଗାରେ କରମଣ୍ଡଳ ସିନା ରେଳଧାରଣାରୁ ଖସିପଡିଲା – ମୋଦିବାବୁ ଯେ କେତେବେଳେ କ୍ଷମତାରୁ ଖସିଯିବେ ତାହା କିଏ କହିବ ? ଏକମାତ୍ର ପନ୍ଥା – ଜନଅଦାଲତ – ଯାହାର ସମ୍ଭାବନାର ବୀଜକୁ ବୌଦ୍ଧିକବିଷପ୍ରକ୍ରିୟା ଜରିଆରେ ବାରମ୍ବାର ବିନସ୍ତ କରାଯିବାର ଦୃଷ୍ଟାନ୍ତ ଏ ଭାରତବର୍ଷରେ ଜନଗଣଙ୍କୁ ଜଣାବୋଲି ଶ୍ରୀ ନାୟକ ମତବ୍ୟକ୍ତ କରିଛନ୍ତି ।
ମାୟାଧର ନାୟକ
ମୋ : ୯୮୬୧୦୩୪୧୬୩


