ରାଷ୍ଟ୍ରୀୟ ସଂସ୍କୃତ ଶିକ୍ଷକ ପ୍ରଶିକ୍ଷଣ ଶିବିର ଉଦଯାପିତ
ବାଲେଶ୍ୱର, (ସରୋଜ ପଣ୍ଡା):ନୂଆଦିଲୀ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ଓ ଅଖିଳ ଭାରତ ଅମୃତବାଣୀ ସେବା ପ୍ରତିଷ୍ଠାନର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ସିଦ୍ଧି ବିନାୟକ ପବ୍ଲିକ ସ୍କୁଲରେ ଚାଲିଥିବା ଦଶ ଦିନିଆ ରାଷ୍ଟ୍ରୀୟ ସଂସ୍କୃତ ଶିକ୍ଷକ ପ୍ରଶିକ୍ଷଣ ଶିବିର ଶନିବାର ଉଦଯାପିତ ହୋଇଯାଇଛି । ଉଦଯାପନୀ କାର୍ଯ୍ୟକ୍ରମରେ ବାଲେଶ୍ୱର ସାଂସଦ ତଥା ଅଖିଳ ଭାରତ ଅମୃତବାଣୀ ସେବା ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମୁଖ୍ୟଅତିଥି ଭାବେ ଯୋଗଦେଇ ରାଷ୍ଟ୍ର ପାଇଁ ବିଶ୍ୱ ପରିଚିତି ସୃଷ୍ଟିରେ ସଂସ୍କୃତ ଭାଷାର ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ସଂସ୍କୃତ ଭାଷାକୁ ଜୀବକା ପରିବର୍ତ୍ତେ ଜୀବନକୁ ରୂପାନ୍ତରଣ ପାଇଁ ସାଂସଦ ଶ୍ରୀ ଷଡ଼ଙ୍ଗୀ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ତିରୁପତି ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ଓ କିସ୍ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଦେବଭାଷା ସଂସ୍କୃତ ପ୍ରତ୍ୟେକ ଭାରତୀୟଙ୍କ ମାତୃଭାଷା ବୋଲି କହିଥିଲେ । ସଂସ୍କୃତ ଭାଷକୁ ଜନାଦୃତ ପାଇଁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । କବି ପ୍ରଶାନ୍ତ ଦାସ ଓ ସିଦ୍ଧି ବିନାୟକ ପବ୍ଲିକ ସ୍କୁଲର ଅଧ୍ୟକ୍ଷ ସୁଧାଂଶୁ ଶେଖର ପଣ୍ଡା ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରାଚୀନ ଭାରତର ଶିକ୍ଷା ଓ ସଂସ୍କୃତିକୁ ଶୀର୍ଷରେ ପହଞ୍ଚାଇବାରେ ସଂସ୍କୃତ ଭାଷାର ଗୁରୁତ୍ୱ୍ୱ ସମ୍ପର୍କରେ ଆଲୋଚନା କରିଥିଲେ । ଅଖିଳ ଭାରତ ଅମୃତବାଣୀ ସେବା ପ୍ରତିଷ୍ଠାନର କାର୍ଯ୍ୟକାରୀ ଅଧ୍ୟକ୍ଷ ଡ. କୁମାର ଚନ୍ଦ୍ର ମିଶ୍ର ଏଥିରେ ପୌରୋହିତ୍ୱ କରିବା ସହିତ ସଂସ୍କୃତ ଭାଷାକୁ ସର୍ବବ୍ୟାପୀ କରିବା ଦିଗରେ ଅନୁଷ୍ଠାନ ପକ୍ଷରୁ ଜାରି ରହିଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ନାରାୟଣ ପଣ୍ଡା ଏହି କାର୍ଯ୍ୟକ୍ରମରେ ଅତିଥି ପରିଚୟ ପ୍ରଦାନ ଓ ସ୍ୱାଗତ ଭାଷଣ ରଖିଥିବା ବେଳେ ପଣ୍ଡିତ ପର୍ଶୁରାମ ପଣ୍ଡା ବେଦପାଠ କରିଥିଲେ । ଦୁଲାଲ ମିଶ୍ର ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ଶିବିରାର୍ଥୀ ଓ ସିଦ୍ଧି ବିନାୟକ ପବ୍ଲିକ ସ୍କୁଲର ଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ୧୦ଦିନିଆ ପ୍ରଶିକ୍ଷଣ ଶିବିରରେ ବିଶ୍ୱଭାରତି ଶାନ୍ତି ନିକେତନ, ଅହମ୍ମଦାବାଦ ବିଶ୍ୱବିଦ୍ୟାଳୟ, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ, ଉତ୍କଳ ବିଶ୍ୱବିଦ୍ୟାଳୟ, ତିରୁପତି କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ପ୍ରଭୃତି ଦେଶର ୬ଟି ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନରୁ ୧୦୫ଜଣ ଶିକ୍ଷକ ଅଂଶଗ୍ରହଣ ପୂର୍ବକ ସଂସ୍କୃତ ଭାଷାର ପ୍ରଚାର ପ୍ରସାର ପାଇଁ ସଂକଳ୍ପବଦ୍ଧ ହୋଇଥିଲେ । ଅଖିଳ ଭାରତ ଅମୃତବାଣୀ ସେବା ପ୍ରତିଷ୍ଠାନର ମହାସଚିବ ଜୟପ୍ରକାଶ ଶାସ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ପଣ୍ଡିତ ତପନ କୁମାର ପଣ୍ଡା, ତେଜରାଜ ପ୍ରଧାନ, ଦୁର୍ଗାଶଙ୍କର ପଣ୍ଡା, ଡ. ନାରାୟଣ ସମାଇ, ପ୍ରସାଦରଞ୍ଜନ ମେହେର, କଳ୍ପନା ନାୟକ, ହରିପ୍ରିୟା ବେହେରା, ରକ୍ଷିତ ପାତ୍ର, ନାରାୟଣ ପଣ୍ଡା, ନଳୀନାକ୍ଷ ପଣ୍ଡା ପ୍ରମୁଖ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଡ. ପ୍ରିୟବ୍ରତ ବେହେରା, ସଦାନନ୍ଦ ଦୀକ୍ଷିତମ ନିରଞ୍ଜନ ବେହେରା, ରବିନାରାୟଣ ଜେନା, ଡ. ମଧୁସୁଦନ ମିଶ୍ର, ଚତୁଭୂଜ ପାଣିଗ୍ରାହୀ, ଅରୁଣ କୁମାର ମହାପାତ୍ର, ସାଧୁ ଗଣେଶନନ୍ଦ ପୁରୀ, ପଣ୍ଡିତ ସଞ୍ଜୟ କୁମାର ଦାଶ, ଦ୍ୱାରିକା ନାଥ ଶତପଥୀ ପ୍ରମୁଖ ସଂସ୍କୃତ ବିଦ୍ୱାନମାନେ ଶିବିରାର୍ଥୀଙ୍କୁ ମାଗଦର୍ଶନ କରାଇଥିଲେ ।


