ନିରୋଗ ଓ ସୁସ୍ଥ ଜୀବନ ଭିତରେ ୯୫ ବର୍ଷ ଅତିକ୍ରମ କଲେଣି କୁମୁଦିନୀ ପାଢ଼ୀ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଲକ୍‌ ଶଙ୍କରାଖୋଲ ଗ୍ରାମର କୁମୁଦିନୀ ପାଢ଼ୀ। ବୟସ ୯୫ ବର୍ଷ ଅତିକ୍ରମ ହେଲାଣି। ତଥାପି ଏବେବି ସେ ନିରୋଗ ଓ ସୁସ୍ଥ ଜୀବନ ବିତାଉଛନ୍ତି। ଦୈନନ୍ଦିନ କାମ ଠିକ୍ ଭାବେ କରୁଛନ୍ତି। ଆରାମରେ ଚଲାବୁଲା କରିପାରୁଛନ୍ତି। ବେଳେବେଳେ ବାଡ଼ିର ସାହାରା ଦରକାର ପଡ଼ୁଛି। ସନ୍ତୁଳିତ ଖାଦ୍ୟ ତାଙ୍କର ପସନ୍ଦ। ସେ କେବେବି ବାହାରର ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି ନାହିଁ। ନିୟମିତ ସକାଳେ ସେ ଭାତ ସହ ଘରେ ରନ୍ଧାଖାଦ୍ୟ ଓ ରାତିରେ ରୁଟି ଖାଆନ୍ତି। ଆଜି ପର୍ଯ୍ୟନ୍ତ କୌଣସି ରୋଗ ତାଙ୍କ ପାଖ ମାଡ଼ି ପାରି ନଥିବା ବେଳେ କେବେ କେମିତି ସାମାନ୍ୟ ଜ୍ବର କିମ୍ବା ଥଣ୍ଡା ହେଲେ ଡାକ୍ତରଖାନାକୁ ଯାଇଥାନ୍ତି। ୩୪ ବର୍ଷ ତଳେ ସେ ସ୍ବାମୀଙ୍କୁ ହରାଇଥିଲେ। ତଥାପି ସେ ଭାଙ୍ଗି ନପଡ଼ି ମନୋବଳକୁ ଦୃଢ଼ କରି ନିଜ ପ୍ରଚେଷ୍ଟା ବଳରେ ପରିବାରକୁ ଆଗକୁ ବଢ଼ାଇ ନେଇଥିଲେ। ଏବେ ୪ ପୁଅବୋହୂଙ୍କ ସମେତ ନାତିନାତୁଣୀ ଓ ଅଣନାତିମାନଙ୍କ ସହ କୁମୁଦିନୀ ହସଖୁସିରେ ଜୀବନ ବିତାଉଛନ୍ତି।ଗଞ୍ଜାମ ଜିଲ୍ଲାରେ ଜନ୍ମିତ କୁମୁଦିନୀ ବିବାହ ପରେ ସ୍ୱାମୀ ବିପ୍ରଚରଣ ପାଢ଼ୀଙ୍କ ସହ ରୋଜଗାର ଆଶାରେ ଶଙ୍କରାଖୋଲକୁ ଚାଲିଆସିଥିଲେ। ଏଠାରେ ତାଙ୍କ ସ୍ବାମୀ ଛୋଟିଆ ବ୍ୟବସାୟ ଆରମ୍ଭ କରିଥିବା ବେଳେ କୁମୁଦିନୀ ତାଙ୍କୁ ସହଯୋଗ କରୁଥିଲେ। ତିନିଝିଅ ଓ ୪ ପୁଅ ଜନ୍ମ ହୋଇଥିଲେ। ତେଲଲୁଣର ଛୋଟିଆ ସଂସାର ଠିକ୍‌ଠାକ୍ ଭାବେ ଚାଲିଥିଲା। ଦୁଇଝିଅ ଓ ଗୋଟିଏ ପୁଅକୁ ବିବାହ କରାଇଥିଲେ। ଏତିକିବେଳେ ସ୍ୱାମୀ ହଠାତ୍ ଅସୁସ୍ଥ ହୋଇ ଆର ପାରିକୁ ଚାଲି ଯାଇଥିଲେ। ପରିବାରର ବୋଝ କୁମୁଦିନୀଙ୍କ ଉପରେ ପଡ଼ିଥିଲା। ଛୋଟିଆ ଲୁଗାଦୋକାନ ଓ ଧାନକଳ ମାଧ୍ୟମରେ ସେ ପରିବାର ପ୍ରତିପୋଷଣ କରିବା ସହ ଅନ୍ୟ ତିନିପୁଅ ଓ ଗୋଟିଏ ଝିଅକୁ ବିବାହ କରାଇ ଥିଲେ। ୭ ପୁଅଝିଅଙ୍କୁ ମଣିଷ କରିବା ସହ ସେମାନଙ୍କୁ ନିଜ ଗୋଡ଼ରେ ଛିଡ଼ା କରାଇବା ପରେ କୁମୁଦିନୀ ଏବେ ସ‌ୁସ୍ଥ ଜୀବନ ବିତାଉଛନ୍ତି। ଗ୍ରାମର ସବୁଠୁ ବୟୋଜ୍ୟେଷ୍ଠ ହୋଇଥିବାରୁ ବର୍ତ୍ତମାନ ମଧ୍ୟ ତାଙ୍କ ପ୍ରତି ସମସ୍ତଙ୍କ ଯଥେଷ୍ଟ ସମ୍ମାନ, ସ୍ନେହ ଓ ଶ୍ରଦ୍ଧା ରହିଥିବା ଦେଖିବାକୁ ମିଳୁଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ