ଭାବ ଭକ୍ତିର ସହ ଆଙ୍କିଲେ କୁନି ହାତରେ କଳା ଠାକୁର
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଶ୍ରୀଗୁଣ୍ଡିଚା ରଥଯାତ୍ରା ଅବସରରେ ଚିତ୍ରଶିକ୍ଷା ଅନୁଷ୍ଠାନ ଚିତ୍ରଶାଳା ପକ୍ଷରୁ ଚିତ୍ରରେ କଳା ଠାକୁର ଶୀର୍ଷକ ଏକ ଚିତ୍ରକଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ କୁନି ଚିତ୍ରଶିଳ୍ପୀମାନେ ରଙ୍ଗ, ତୂଳୀରେ ଭାବ ଭକ୍ତିର ସହ ଓଡ଼ିଆ ଜାତିର ଅସ୍ମିତା ଓ ସ୍ୱାଭିମାନର ପରିଚୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ, ବେଶବୈଶିଷ୍ଟ. ବଡ଼ଦାଣ୍ଡରେ ଭକ୍ତ-ଭଗବାନଙ୍କ ମିଳନ ଆଦି ଦୃଶ୍ୟର ଚିତ୍ର ନିଖୁଣ ରୂପେ ଆଙ୍କି ବିଶ୍ୱକୁ ଦେଇଛନ୍ତି ଏକ ନିଆରା ବାର୍ତ୍ତା । ଏହି ପରିପ୍ରେକ୍ଷୀରେ କୁନି ଚିତ୍ରଶିଳ୍ପୀମାନେ ବିଶ୍ୱବାସୀଙ୍କ ମଙ୍ଗଳକାମନା କରିବା ସହ ବିଶ୍ୱନିୟନ୍ତାଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ଭୁବନେଶ୍ୱର ପୋଖରୀପୁଟ ଇନ୍ଦ୍ରପ୍ରସ୍ଥ କଲୋନୀ ଫେଜ୍-୨ ଠାରେ ରହିଥିବା ଚିତ୍ରଶାଳାର ପ୍ରତିଷ୍ଠାତା ଅନସୂୟା ସାହୁ କୁହନ୍ତି ଶ୍ରୀଜଗନ୍ନାଥ ଚେତନା ଓ ଦର୍ଶନରେ ରହିଛି ଆଧ୍ୟାତ୍ମିକ ଅନ୍ୱେଷଣର ମାର୍ଗ । ଯାହା ବିଶ୍ୱରେ ଶାନ୍ତି, ମୈତ୍ରୀ, ପ୍ରେମ ଓ ଭାତୃଭାବ ପ୍ରତିଷ୍ଠାରେ ବେଶ୍ ସହାୟକ ହୋଇଥାଏ । କୁନି ଚିତ୍ରଶିଳ୍ପୀଙ୍କ ଏଭଳି ପ୍ରୟାସକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।