ବୈଷୟିକ ପଦକ୍ଷେପ ଓ ଜନ ସଚେତନତା ହିଁ ରୋକିବ ସର୍ପାଘାତଜନିତ ମୃତ୍ୟୁ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବ୍ୟାପକ ବୈଷୟିକ ପଦକ୍ଷେପ, ଜନ ସହଭାଗିତା ସହିତ ଜନସଚେତନା ବଢିଲେ ହିଁ ସର୍ପାଘାତଜନିତ ବିପର୍ଯୟକୁ ରୋକିହେବ ବୋଲି ବୁଧବାର ଏଠାରେ ଆୟୋଜିତ ଆଲୋଚନାଚକ୍ରରେ ମତ ପ୍ରକାଶ ପାଇଛି । ଅନ୍ତର୍ଜାତୀୟ ସଂସ୍ଥା ଆଭାଏଡବଲ୍ ଡେଥ ନେଟୱାର୍କ ଓ ଓଡିଶା ରାଜ୍ୟ ସ୍ୱେଛାସେବୀ ଓ ସମାଜସେବୀ ସଙ୍ଘର ମିଳିତ ଆନୁକୂଲ୍ୟରେ ଆୟୋଜିତ ଦୁଇଦିନିଆ ସର୍ପାଘାତଜନିତ ମୃତ୍ୟୁ ଦୂରୀକରଣ ସମ୍ପର୍କିତ ଆଲୋଚନାଚକ୍ରରେ ଯୋଗଦେଇ ଏଭଳି ବକ୍ତବ୍ୟ ରଖିଛନ୍ତି ଦେଶ ବିଦେଶର ବହୁ ଗବେଷକ, ବିଶେଷଜ୍ଞ, ଡାକ୍ତର, ସମାଜସେବୀ ଓ ବୁଦ୍ଧିଜୀବୀ ।ସୂଚନା ଅନୁଯାୟୀ ଆମ ଦେଶ ତଥା ରାଜ୍ୟରେ ସର୍ପାଘାତଜନିତ ବିପତ୍ତ ବଢ଼ିବାରେ ଲାଗିଛି । ଦେଶରେ ବାର୍ଷିକ ୧ ଲକ୍ଷ ୪୦ ହଜାର ଲୋକ ସର୍ପାଘାତର ସମ୍ମୁଖୀନ ହେଉଥିବା ବେଳେ ସେମାନଙ୍କ ମଧ୍ୟରୁ ୫୮ ହଜାରରୁ ଅଧିକ ଲୋକ ସାପ କାମୁଡ଼ାରେ ମୃତ୍ୟୁମୁଖରେ ପଡନ୍ତି । ସେହିପରି ୨୦୧୫ରୁ ୨୦୧୯ ମଧ୍ୟରେ ଆମ ରାଜ୍ୟରେ ୬,୩୫୧ ଜଣ ଲୋକ ସର୍ପାଘାତରୁ ମୃତ୍ୟୁବରଣ କରିଛନ୍ତି । ଗଞ୍ଜାମରେ ସର୍ବାଧିକ ୩୦୭ ଜଣ ପ୍ରାଣ ହରାଇଥିବା ବେଳେ ପଛକୁ ପଛ ଅଛନ୍ତି କେନ୍ଦୁଝର (୨୯୭) ଓ ବାଲେଶ୍ୱ (୨୯୩) । ପ୍ରତି ଦଶଲକ୍ଷ ଲୋକଙ୍କ ମଧ୍ୟରୁ ୨୬ ଜଣ ସର୍ପାଘାତର ଶିକାର ହେଉଥିବା ନେଇ ଆଲୋଚନାଚକ୍ରରେ ମତ ପ୍ରକାଶ ପାଇଛି ।ଏଥିରେ ଯୋଗଦେଇ ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ ରାଜ୍ୟରେ ବିପର୍ଯ୍ୟୟଜନିତ ମୃତ୍ୟୁସଂଖ୍ୟା କିଭଳି ଶୂନ ରହିବ ସେ ଦିଗରେ ସରକାର ପ୍ରାଥମିକତା ଦେଉଥିବା ସୂଚାଇ ଥିଲେ । ନ୍ୟୁୟର୍କରୁ ପ୍ରତିନିଧିତ୍ୱ କରୁଥିବା ଗବେଷିକା ନିବେଦିତା ରାୟ ବେନଏତ୍ ସର୍ପାଘାତ ଏକ ପ୍ରମୁଖ ଜନସ୍ୱାସ୍ଥ୍ୟ ସମସ୍ୟା ଓ ଏହାର ମୁକାବିଲା କୌଶଳ ସ୍ୱତନ୍ତ୍ର ଭାବେ କରାଯିବାର ଆବଶ୍ୟକତା ଥିବା କହିଥିଲେ । ଲଣ୍ଡନରୁ ଆସିଥିବା ଡକ୍ଟର ଷ୍ଟିଫେନ ସାମୁଏଲ, ଜାପାନର ବିଶେଷଜ୍ଞ ଡକ୍ଟର ହିଦେଉକି ଶିରୋଷିତା, ସମାଜ ବିଜ୍ଞାନୀ ଡକ୍ଟର ଅମ୍ବିକା ପ୍ରସାଦ ନନ୍ଦ, ଦିଲ୍ଲୀପ ପଟ୍ଟନାୟକ ପ୍ରମୁଖ ସର୍ପାଘାତ ପୂର୍ବରୁ ଓ ପରବର୍ତ୍ତୀ ସଚେତନତା ଓ କାର୍ଯ୍ୟପନ୍ଥା ବାବଦରେ ଆଲୋକପାତ କରିଥିଲେ । ଗ୍ରାମୀଣ କୃଷକ, ଶ୍ରମିକ ଓ ବିଶେଷ କରି ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକେ ହିଁ ସର୍ପ ଦଂଶନର ଶିକାର ହେଉଥିବା ସେମାନେ ଦର୍ଶାଇଥିଲେ ।ଦେଶ ତଥା ରାଜ୍ୟରେ ହେଉଥିବା ବନ୍ୟା, ବାତ୍ୟା ଓ ବଜ୍ରପାତଜନିତ ମୋଟ ମୃତ୍ୟୁ ସଂଖ୍ୟା ମଧ୍ୟରୁ କେବଳ ୪୦ ପ୍ରତିଶତ ମୃତ୍ୟୁ ସର୍ପାଘାତରେ ହେଉଥିବା ଆଲୋଚନା କରାଯାଇଥିଲା । ଭାରତ ସରକାର ୨୦୦୫ରେ ଏହାକୁ ପ୍ରାକୃତିକ ବିପର୍ଯ୍ୟୟ ସୂଚୀରେ ସ୍ଥାନ ଦେଇଥିବା ବେଳେ ରାଜ୍ୟ ସରକାର ୨୦୧୫ ମସିହାରେ ଏହାକୁ ସ୍ୱତନ୍ତ୍ର ବିପର୍ଯ୍ୟୟ ତାଲିକାରେ ଅନ୍ତର୍ଭୁକ୍ତ କରିଥିବା କଥା ଅତିଥିମାନେ ଦର୍ଶାଇଥିଲେ । ଏପରି ଏକ ସମ୍ବେଦନଶୀଳ ଅପମୃତ୍ୟୁକୁ ରୋକିବା ଦିଗରେ ବ୍ୟାପକ ବୈଷୟିକ ପଦକ୍ଷେପ ସାଙ୍ଗକୁ ଜନସଚେତନତାର ଆବଶ୍ୟକତା ଥିବା ଦର୍ଶାଯାଇଥିଲା । ଓଡିଶା ସ୍ୱେଛାସେବୀ ଓ ସମାଜସେବୀ ସଂଘ ପକ୍ଷରୁ ନିହାର ରଞ୍ଜନ ଓ ବାସନ୍ତୀ ଷଢଙ୍ଗି କର୍ମଶାଳା ପରିଚାଳନାରେ ସହଯୋଗ କରିଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ