ଛତ୍ରପୁର ପଂଚାୟତ ସମିତିର ଷଷ୍ଠତମ ଅଧିବେଶନ ବୈଠକ
ଛତ୍ରପୁର, (ଦେବଦତ୍ତ ମହାରଣା):ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ପଂଚାୟତ ସମିତି ର ଷଷ୍ଠତମ ଅଧିବେଶନ ବୈଠକ ବୁଧବାର ବ୍ଲକ ସମ୍ମିଳନୀ କକ୍ଷ ଠାରେ ଅଧ୍ୟକ୍ଷା କିରଣ କୁମାରୀ ଦାସଙ୍କ ପୌରହିତରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଏବଂ ପୂର୍ବରୁ କରାଯାଇଥିବା କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିବା ନିମନ୍ତେ କହିଥିଲେ । ଏହା ସହ କେଉଁ ପଂଚାୟତରେ ଉନ୍ନୟନ ମୂଳକ କାର୍ଯ୍ୟ ହୋଇପାରୁନି ଓ ତାହାର ସ୍ଥିତି କଣ ରହିଛି ସେହି ସମସ୍ୟା ବିଷୟରେ ଆଲୋଚନା ହୋଇଥିଲା । ପଂଚାୟତ ପ୍ରତିନିଧି ଓ ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କ ମଧ୍ୟରେ ତାଳମେଳ ରହୁନଥିବାରୁ କାର୍ଯ୍ୟ ଗୁଡିକ ସଠିକ୍ ଭାବେ ହୋଇପାରୁନଥିବା ଦେଖିବାକୁ ମିଳିଛି । ସମସ୍ତ ବିଭାଗ ସହ ସମସ୍ତ ପଂଚାୟତରାଜ ପ୍ରତିନିଧି ମାନେ ସମନ୍ୱୟ ରଖି କାର୍ଯ୍ୟ କଲେ ଛତ୍ରପୁର ବ୍ଲକ ଏକ ଆଦର୍ଶ ବ୍ଲକରେ ପରିଣତ ହେବ ବୋଲି ବିଧାୟକ ଶ୍ରୀ ବେହେରା କହିଥିଲେ ।ଗଞ୍ଜାମ ଜିଲ୍ଲା ଜଳ ଉତ୍ସ ସଂରକ୍ଷଣ ଓ ପରିଚାଳନାରେ ଉଲ୍ଲେଖନୀୟ ପାଇଁ ଦେଶରେ ଏକ ନମ୍ବର ଜିଲ୍ଲା ଭାବେ ପୁରସ୍କୃତ ହୋଇଛି । ହେଲେ, ଜିଲ୍ଲା ସଦର ମହକୁମା ଛତ୍ରପୁର ବ୍ଲକ ମେଗା ପାନୀୟ ଜଳ ପ୍ରକଳ୍ପ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଥିବା ଦେଖିବାକୁ ମିଳୁଛି ବୋଲି ଆଲୋଚନା ଜଣାପଡୁଛି । ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ନିୟୋଜିତ ସଂସ୍ଥା ମନମୁଖି ଭାବେ କାର୍ଯ୍ୟ କରିଚାଲିଛି । ବିଭିନ୍ନ ପଂଚାୟତରେ ମାସ ମାସ ଧରି ପ୍ରକଳ୍ପ ନିମନ୍ତେ ରାସ୍ତା ଘାଟ ଖୋଳି ଅଧନିର୍ମାଣ କରି ଠିକାଦାର ମାନେ ଅଦୃଶ୍ୟ ପାଲଟିଛନ୍ତି । ଫଳରେ ପଂଚାୟତ ପ୍ରତିନିଧି ମାନେ ପଂଚାୟତର ଜନସାଧାରଣଙ୍କ ଆକ୍ରୋଶର ଶିକାର ହେବାକୁ ପଡୁଛି । ସଂସ୍ଥାର କର୍ମଚାରୀ ମାନେ ପ୍ରକଳ୍ପ ନିମନ୍ତେ କି ପ୍ରକାର ସାମଗ୍ରୀ ବ୍ୟବହାର କରୁଛନ୍ତି ତାହାକୁ ମଧ୍ୟ ତଦାରଖ କରୁନାହାଁନ୍ତି ବିଭାଗୀୟ ଅଧିକାରୀ ମାନେ । ୨୦୨୪ ସୁଦ୍ଧା ସବୁ ପଂଚାୟତର ଘରକୁ ଘର ମେଗା ପାନୀୟ ପ୍ରକଳ୍ପ ଦ୍ୱାରା ଯେଉଁ ଆଶା ଥିଲା ତାହା ବାସ୍ତବରେ କାର୍ଯ୍ୟକାରୀ ହେବ ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଏଣୁ ବ୍ଲକ ପ୍ରଶାସନ ପକ୍ଷରୁ ଉକ୍ତ ସଂସ୍ଥାର କର୍ମଚାରୀ ମାନଙ୍କୁ ଏ ଦିଗରେ ସ୍ୱତନ୍ତ୍ର ଭାବେ ଦୃଷ୍ଟି ଆକର୍ଷଣ କରି ପଦକ୍ଷେପ ନେବାକୁ ବହୁ ପଂଚାୟତ ପ୍ରତିନିଧି ମାନେ ବୈଠକରେ କହିଥିଲେ । ଛତ୍ରପୁର ବ୍ଲକରେ ୨୫୩୮ ଟି ଅନଲାଇନ ମାଧ୍ୟମରେ ନୂତନ ରାସନକାର୍ଡ ଓ ପରିବାର ଲୋକଙ୍କ ନାମ ଯୋଡିବା ନିମନ୍ତେ ହିତାଧିକାରୀ ମାନେ ଆବେଦନ କରିଛନ୍ତି । ଛତ୍ରପୁର ବ୍ଲକର ଜନସଂଖ୍ୟା ଅନୁସାରେ ୭୬ ପ୍ରତିଶତ ରାସନ କାର୍ଡ ବ୍ୟବସ୍ଥା ରହିଛି । ୧ ଲକ୍ଷ ୮୪୮ ଜଣଙ୍କୁ ରାସନ କାର୍ଡରେ ସାମିଲ କରିବା ଲକ୍ଷ୍ୟ ମଧ୍ୟରୁ ୧ ଲକ୍ଷ ୨ ହଜାର ୫୪୬ ଜଣଙ୍କୁ ସାମିଲ କରାଯାଇଛି । ୧୬୯୮ ଜଣଙ୍କୁ ଲକ୍ଷ୍ୟ ଧାର୍ଯ୍ୟ ଠାରୁ ଅଧିକ ଜଣଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି । ଏଣୁ ପଂଚାୟତ ପ୍ରତିନିଧି ମାନେ ମୃତ ବ୍ୟକ୍ତିଙ୍କ ଏବଂ ଅଯୋଗ୍ୟ ଙ୍କ ତାଲିକା ପ୍ରଦାନ କଲେ ରାସନ କାର୍ଡରୁ ବାଦ ଦେଇ ନୂତନ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରାଯାଇପାରିବ ବୋଲି ବ୍ଲକ ଯୋଗାଣ ଅଧିକାରୀ ଜୟରାମ ଲେଙ୍କା କହିଥିଲେ । ସେହିପରି ଭତ୍ତା ବାବଦରେ ବିଭିନ୍ନ ପଂଚାୟତର ହିତାଧିକାରୀଙ୍କୁ ସାମିଲ କରିବା ଏବଂ କିଛି ହିତାଧିକାରୀଙ୍କୁ କେତେକ ମାସ ଧରି ଭତ୍ତା ଟଙ୍କା ନ ମିଳିଥିବା ନେଇ ବହୁ ପଂଚାୟତ ପ୍ରତିନିଧି ମାନେ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଯେଉଁ ହିତାଧିକାରୀ ମାନଙ୍କ ସମସ୍ୟା ରହିଛି ତାର ସମାଧାନ ନିମନ୍ତେ ପଂଚାୟତ ସ୍ତରରେ ଶିବିର ଆୟୋଜନ କରି ସମାଧାନ କରାଯିବ । ସେହିପରି କୃଷି ବିଭାଗ ପକ୍ଷରୁ ସରକାରଙ୍କ ଚାଷ ଉପଯୋଗୀ ବିଭିନ୍ନ ଯୋଜନା ଗୁଡିକ ପଂଚାୟତ ପ୍ରତିନିଧି ମାନଙ୍କୁ ଅବଗତ କରାଇବା ଲାଗି ପୂର୍ବ ବୈଠକରେ କୁହାଯାଇଥିଲା । କିନ୍ତୁ, ବିଭାଗୀୟ ଅଧିକାରୀ ମାନେ ତାହା କାର୍ଯ୍ୟରେ ପରିଣତ କରି ନଥିଲେ । ଏଥିପାଇଁ ବିଧାୟକ ବିଭାଗୀୟ ଅଧିକାରୀଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ ।ପଂଚାୟତ ଗୁଡିକରେ ସରପଂଚମାନଙ୍କୁ ଯେତିକି ପ୍ରାଧାନ୍ୟ ଦିଆଯାଉଛି ସେତିକି ସମିତିସଭ୍ୟଙ୍କୁ ମିଳୁନାହିଁ । ଫଳରେ ସମିତିସଭ୍ୟ ମାନେ ସଦାସର୍ବଦା ଜନସାଧାରଣଙ୍କ ତଥା ଭୋଟର ମାନଙ୍କ ଆକ୍ରୋଷର ଶିକାର ହେବାକୁ ପଡୁଛି । ଏଣୁ ସରପଂଚଙ୍କୁ ଯେତିକି ପ୍ରାଧାନ୍ୟ ଦିଆଯାଉଛି ଅତ୍ୟନ୍ତ ସମିତିସଭ୍ୟଙ୍କୁ ସେତିକି ନ ଦେଲେ ମଧ୍ୟ ଏକ ମର୍ଯ୍ୟାଦାପୂର୍ଣ୍ଣ ଭାବେ ସମ୍ମାନ ମିଳିବା ଦରକାର ବୋଲି ବହୁ ସଭ୍ୟ ମାନେ ବୈଠକରେ କଥା ଉଠାଇଥିଲେ । ଏହାସହିତ ପଂଚାୟତରେ ବିଭିନ୍ନ ପ୍ରକଳ୍ପ ପାଇଁ ସରପଂଚଙ୍କ ସହିତ ସମିତିସଭ୍ୟ ମାନଙ୍କ ପ୍ରସ୍ତାବ ମଧ୍ୟ ଗ୍ରହଣ କରିବା ପାଇଁ ବୈଠକରେ କଥା ଉଠିଥିଲା ।ଏମନରେଗା, ଭତ୍ତା, ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଠାରୁ ଆରମ୍ଭ କରି ବିଭିନ୍ନ ବିଭାଗ ସମ୍ପର୍କରେ ଆଜିର ବୈଠକରେ ବିସଦ୍ ଆଲୋଚନା ହୋଇଥିଲା । ପ୍ରାରମ୍ଭରେ ଜିପିଇଓ ଅଶୋକ କୁମାର ଦାଶ ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ । ପରେ ବିଭିନ୍ନ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ଛତ୍ରପୁର ବ୍ଲକ ଅଧ୍ୟକ୍ଷା କିରଣ କୁମାରୀ ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଉପାଧ୍ୟକ୍ଷା ଏସ୍. ସାରଦା ରେଡ୍ଡୀ ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ କହିଥିଲେ । ବିଡିଓ ସୁଶାନ୍ତ କୁମାର ବରାଳ କାର୍ଯ୍ୟକ୍ରମ ପରିଚାଳନା କରିଥିଲୋ ସହକାରୀ ନିର୍ବାହୀ ଯନ୍ତ୍ରୀ ଲଗ୍ନଜିତ ସାହୁ ୨୦୨୨-୨୩ ବର୍ଷର ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ବୈଠକରେ ପ୍ରତିନିଧି ମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।


