ହେଲଦି ଲାଇଫ ପକ୍ଷରୁ ଆନ୍ତର୍ଜାତିକ ଯୋଗ ଦିବସ
ବାଲେଶ୍ୱର, (ସରୋଜ ପଣ୍ଡା):ହେଲଦି ଲାଇଫ ଯୋଗ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା (ଏନଏସଏସ) ଆନୁକୂଲ୍ୟରେ ନବମ ବିଶ୍ୱ ଯୋଗ ଦିବସ ସ୍ଥାନୀୟ ବ୍ରିଟ କଲ୍ୟାଣ ମଣ୍ଡପ ପରିସରରେ ପାଳିତ ହୋଇଯାଇଛି । ରେବତୀ ପତ୍ରିକାର ସମ୍ପାଦିକା ତଥା ସମାଜସେବୀ ସୁବାସିନୀ ଜେନା ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ଯୋଗ ଦିବସ ପାଳନର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଯୋଗଶିକ୍ଷାର ପ୍ରଚାର ପ୍ରସାରରେ ହେଲଦି ଲାଇଫର ଉଦ୍ୟମ ବେଶ ପ୍ରଶଂସନୀୟ ବୋଲି ସେ କହିଥିଲେ । ପୌରାଧ୍ୟକ୍ଷା ସବିତା ସାହୁ ଏଥିରେ ବିଶେଷ ଅତିଥି ଭାବେ ଯୋଗଦେଇ ନିରୋଗ ଶରୀର ଗଠନ ଓ ଉତ୍ତମ ସ୍ୱାସ୍ଥ୍ୟରକ୍ଷା ପାଇଁ ଯୋଗର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ । ଧ୍ୱନି ପ୍ରତିଧ୍ୱନି ଖବରକାଗଜର ମୁଖ୍ୟ ସମ୍ପାଦକ ସୃଷ୍ଟିଧର ପରିଡ଼ା ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରାଚୀନ ଭାରତୀୟ ଗୁରୁକୁଳ ଶିକ୍ଷା ବ୍ୟବସ୍ଥାରେ ଯୋଗ ଓ ପ୍ରାଣାୟମକୁ ଅଗ୍ରାଧିକାର ଦିଆଯାଇଥିବା ମତ ପ୍ରକାଶ କରିଥିଲେ । ହେଲଦି ଲାଇଫ୍ ଯୋଗ ମହାବିଦ୍ୟାଳୟର ପ୍ରତିଷ୍ଠାତା ନିର୍ଦ୍ଦେଶକ ଡାକ୍ତର ଚିିତ୍ତରଂଜନ ସାହୁ ଏଥିରେ ଉପସ୍ଥିତ ରହି ଅନୁଷ୍ଠାନର ଶିକ୍ଷାଦାନଧାରା, ଯୋଗ ଓ ପ୍ରାକୃତିକ ଚିକିତ୍ସା ଶିକ୍ଷା ପଦ୍ଧତି ସମ୍ପର୍କରେ ବିସ୍ତୃତ ଭାବେ ସୂଚନା ଦେଇଥିଲେ । ହେଲଦି ଲାଇଫ ଯୋଗ ମହାବିଦ୍ୟାଳୟର ଅଧ୍ୟକ୍ଷା ଦେବୀ ଅର୍ଚ୍ଚନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ଫକୀର ମୋହନ ବିଶ୍ୱବିଦ୍ୟାଳୟ ଅଧୀନରେ ପରିଚାଳିତ ୨୫ଟି ମହାବିଦ୍ୟାଳୟରୁ ଶିବିରରେ ଯୋଗଦେଇଥିବା ଛାତ୍ରଛାତ୍ରୀମାନେ ଯୋଗାଭ୍ୟାସ କରିଥିଲେ । ଅଧ୍ୟାପକ ଅଭିଷେକ ଦାସ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।


