ଆନ୍ଧ୍ର ଓଡ଼ିଶା ସୀମାନ୍ତକୁ ନେଇ ପୁଣି ଥରେ ବିବାଦୀୟ ପରିସ୍ଥିତି ସୃଷ୍ଟି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଆନ୍ଧ୍ର ଓଡ଼ିଶା ସୀମାନ୍ତକୁ ନେଇ ପୁଣି ଥରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି l ଓଡିଶା ଜମିକୁ ଆନ୍ଧ୍ର ସରକାର କର୍ମୀ ମାନେ ନଜର ପକାଇଥିବା କଥାକୁ ନେଇ ସ୍ଥାନୀୟ ସମିତି ସଭ୍ୟା ସୁମିତ୍ରା ଶବର ଓ ଆନ୍ଧ୍ର କର୍ମଚାରୀଙ୍କ ମଧ୍ୟରେ କଥା କଟାକଟି ହେବା ପରେ ସେମାନେ ଫେରିଯାଇଥିବା ବିଷୟଟି ଚର୍ଚ୍ଚା ହେଉଛି l ପ୍ରକାଶ ଯେ, ରାୟଗଡ଼ ବ୍ଲକ ଅଧିନ ଗଙ୍ଗବାଡ ପଞ୍ଚାୟତ ଅନ୍ତର୍ଗତ ମାଣିକପାଟଣା ଗ୍ରାମରେ ମଙ୍ଗଳବାର ଆନ୍ଧ୍ରର ଆର୍ ଆଇ, ଅମିନ, ବନ ବିଭାଗର ଅଧିକାରୀ ମାନେ ପହଂଚି ମାଣିକପାଟଣା ଗ୍ରାମର ପ୍ରାୟ ୨୨ ଟି ପରିବାରଙ୍କୁ ଚାରା ବଣ୍ଟନ କରିଥିବା ବେଳେ ସେମାନଂକୁ ଜଙ୍ଗଲ ଜମି ପଟା ଯୋଗାଇ ଦେବା ନାଁରେ ଆବଶ୍ୟକୀୟ କାଗଜ ପତ୍ର ସଂଗ୍ରହ କରି ନେବାସହ ଓଡିଶା ଜମିକୁ ସର୍ଭେ ଓ ଚିହ୍ନଟ କରୁଥିବା ଜାଣିପାରି ସମିତି ସଭ୍ୟା ଶ୍ରୀମତୀ ଶବର ସେମାନଙ୍କୁ ଏଥିରୁ ନିବୃତ ରହିବାକୁ ତାଗିଦ କରିଥିଲେ l ଫଳରେ ସେଠାରେ ଚାପା ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା l ଖବର ପାଇ ଘଟଣା ସ୍ଥଳରେ ଗାରାବନ୍ଧ ଥାନା ଅଧିକାରୀ ଗୋବିନ୍ଦ ଗୌଡ ପହଂଚି ସେମାନଂକୁ ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା l ତେବେ ଆଜିର ଏହି ପ୍ରକାର ପରିସ୍ଥିତି କୁ ନେଇ ଅଞ୍ଚଳବାସୀ ପ୍ରଶାସନ ଓ ରାଜସ୍ବ ବିଭାଗକୁ ଦାୟୀ କରିଛନ୍ତି l ଯେହେତୁ ଦୀର୍ଘ ଦିନ ଧରି ସୀମା ବିବାଦ ଲାଗିରହିଥିବା ବେଳେ ଆଜି ପର୍ଯ୍ୟନ୍ତ ସୀମା ଚିହ୍ନଟ ହୋଇ ପାରିନାହିଁ । ଫଳରେ ଆନ୍ଧ୍ର ସରକାର ନଜର ପକେଇ ଆସୁଛି ବୋଲି ବୁଦ୍ଧିଜୀବୀ ମାନେ ମତାମତ ଦେଇଛନ୍ତି l ଅଂଚଳର ରାଜସ୍ଵ ସମସ୍ୟା ସମାଧାନ ପାଇଁ ସରକାର ଚମ୍ପାପୁର ଠାରେ ଆରଆଇ ଅଫିସ ସ୍ଥାପନ କରିଥିଲେ କୌଣସି କର୍ମଚାରୀଙ୍କ ଦେଖା ମିଳୁନଥିବା ପଞ୍ଚାୟତ ପ୍ରତିନିଧି ମାନେ ଅଭିଯୋଗ କରିଛନ୍ତି l ମାଣିକପାଟଣା ଗ୍ରାମବାସୀ କାଜୁ ବାଡ଼ ପଟ୍ଟା ପାଇଁ ଆବେଦନ କରି ତହସିଲଦାର ଓ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିକୁ ଯାଇ ଅନୁରୋଧ କରିଥିଲେବି କୌଣସି ଫଳ ମିଳୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି l ତୁରନ୍ତ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦିଅନ୍ତୁ ନଚେତ ଆନ୍ଧ୍ର ସରକାର ଓଡିଶା ମାଟିକୁ ଟାଣିନେଇଯିବ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି  l ପ୍ରକାଶ ଯେ, ଉଲ୍ଲେଖିତ ଗଙ୍ଗାବାଡ ପଞ୍ଚାୟତ ଉପରେ ଆନ୍ଧ୍ର ପ୍ରଦେଶ ବାରମ୍ବାର ଲଲୁପ ଦୃଷ୍ଟି ପକାଇ ଓଡିଶା ତଥା ଗଜପତିର ଲୋକଙ୍କୁ ପ୍ରଲୋଭିତ କରିଥିବାର ବହୁ ଦୃଷ୍ଟାନ୍ତ ରହିଛି । ସମୟ ସମୟରେ ଆନ୍ଧ୍ରର ମନ୍ତ୍ରୀ, ପଦାଧିକାରୀ ମାନେ ଗସ୍ତ କରି ବିବାଦିୟ ପରିସ୍ଥିତି ସୃଷ୍ଟି କରିଚାଲିଛନ୍ତି । ଏପରିକି ଆନ୍ଧ୍ରରେ ନିର୍ବାଚନ ସମୟରେ ମଧ୍ୟ ବିବାଦ ସୃଷ୍ଟି କରିଚାଲିଛନ୍ତି । ଅନ୍ୟପକ୍ଷରେ ଗଙ୍ଗାବାଡ ପଞ୍ଚାୟତ ରାୟଗଡ ବ୍ଲକର ଦୁର୍ଗମାଞ୍ଚଳରେ ରହିଥିବାରୁ ପ୍ରଶାସନିକ ନଜରରୁ ଦୂରେଇ ରହିଆସିଛି ବୋଲି ଅଞ୍ଚଳବାସୀ କହିଛନ୍ତି । ତିତିଲି ମହାବାତ୍ୟାପରେ ଏହି ପଞ୍ଚାୟତର କିଛି ମାତ୍ରାରେ ବିକାଶ ଘଟିଛି । ହେଲେ ଅଧିକାରୀ ତଥା କର୍ମଚାରୀମାନଙ୍କ ମରୁଡି ଯୋଗୁଁ ଆନ୍ଧ୍ର ପ୍ରଦେଶ ତାର କାରନାମା କରିଚାଲିଛି । ତେଣୁ ଓଡିଶାର ଏହି ପଞ୍ଚାୟତ ତଥା ଅଞ୍ଚଳ ପାଇଁ ଜଣେ ଅତିରିକ୍ତ ତହସିଲଦାର, ପୋଲିସ ଥାନା କିମ୍ବା ଫାଣ୍ଡି ସ୍ଥାପନ ସହ ଦୈନନ୍ଦିନ ବିଶେଷ କରି ରାଜସ୍ବ ବିଭାଗ, ବନ ବିଭାଗର କର୍ମଚାରୀମାନେ ଉପସ୍ଥିତ ଜାହିର କଲେ ଏପରି ବିବାଦିୟ ପରିସ୍ଥିତି ସୃଷ୍ଟି ହେବ ନାହିଁ ବୋଲି ବୁଦ୍ଧିଜୀବୀଙ୍କ ମହଲରେ ମତ ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ