ଦିଗପହଣ୍ଡି ରାଜନୀତି ର ପଶାପାଲି ରେ ଗଡିଲା ମୁଣ୍ଡ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ରାଜନୀତି ର ପଶାପାଲି ରେ ପୁଣି ଗଡିଲା ମୁଣ୍ଡ। ପଞ୍ଚାୟତ ନିର୍ବାଚନ ପରେ ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତର ସିନ୍ଧବା ଏବଂ ଆଙ୍କୋରଡ଼ା ପଞ୍ଚାୟତ ର ନବରଙ୍ଗ ପୁର ଗାଁ ରେ ଦୁଇ ଦୁଇ ଟି ଡବଲ ମର୍ଡର ଘଟଣା ମନରୁ ଲିଭିନଥିବା ବେଳେ ପୁଣିଥରେ ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଖମ୍ବାରିଗାଁ ପଞ୍ଚାୟତର ବିଜେଡି ଯୁବନେତା ତଥା ଦିଗପହଣ୍ଡି ବ୍ଲକ ର ପୂର୍ବତନ ବିଜେଡ଼ି ଯୁବ ସଭାପତି ଲଳିତ ମୋହନ ମହାପାତ୍ରଙ୍କୁ ଗାଡ଼ି ଚପାଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଲଳିତ ମୋହନ ଙ୍କ ସ୍ତ୍ରୀ ଗୀତାଞ୍ଜଳି ମହାପାତ୍ର ଗତ ୨୦୦୭ ଠାରୁ ୨୦୧୨ ପର୍ଯ୍ୟନ୍ତ ଖମ୍ବାରୀ ଗାଁ ପଞ୍ଚାୟତର ସରପଞ୍ଚ ଥିଲେ।ଗତ ୨୦୧୭ ରେ ଲଳିତ ମୋହନ ସରପଞ୍ଚ ପଦବୀ ପାଇଁ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ। ଲଳିତ ମୋହନ ଙ୍କ ବାପା ବିଦ୍ୟାଧର ମହାପାତ୍ର ପୂର୍ବରୁ ସରପଞ୍ଚ ଥିବାରୁ ତାଙ୍କ ପରିବାର ଏକ ରାଜନୈତିକ ପରିବାର ଭାବେ ସମ୍ପୃକ୍ତ ଅଞ୍ଚଳରେ ତାଙ୍କ ଦବ ଦବା ରହି ଆସିଛି। ଗତ ପଞ୍ଚାୟତ ନିର୍ବାଚନ ରେ ଲଳିତ ମୋହନ ସରପଞ୍ଚ ପଦବୀ ନିମନ୍ତେ ପ୍ରାର୍ଥୀ ଠିଆ କରାଇଥିଲେ। କିନ୍ତୁ ତାଙ୍କ ସମର୍ଥିତ ପ୍ରାର୍ଥୀ ପରାଜିତ ହୋଇଯାଇଥିଲେ। ତାଙ୍କ ମନ୍ ମାନି କୁ ପଞ୍ଚାୟତର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ସଦା ସର୍ବଦା ବିରୋଧ କରି ଆସୁଥିଲେ। ପଞ୍ଚାୟତ ରେ ୨ ଗୋଷ୍ଠୀ ମଧ୍ୟରେ ତିକ୍ତତା ଲାଗି ରହିଥିଲା। ମୃତକ ଙ୍କ ଭାଇ ରଜତ ମହାପାତ୍ର ଘଟଣା ନେଇ ବୁଧବାର କେ.ନୂଆଗାଁ ଥାନା ରେ ଏତଲା ଦେଇଛନ୍ତି।ଏତଲା କୁ ଭିତ୍ତିକରି ପୋଲିସ ଥାନା ମାମଲା ନଂ.୨୧୧/୨୩ ଅନୁଯାୟୀ ଅଭିଯୁକ୍ତ ଙ୍କ ବିରୋଧରେ ହତ୍ୟା ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛି।ପୋଲିସ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରୁ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ପଠାଇଥିଲେ।ବୁଧବାର ସକାଳେ ମୃତଦେହ ବ୍ୟବଚ୍ଛଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନରେ ମୃତଦେହ ର ଅନ୍ତିମ ସଂସ୍କାର କରାଯାଇଛି। ବ୍ରହ୍ମପୁର ଏସ.ପି ଶ୍ରବଣ ବିବେକ ଏମ ଙ୍କ ସହ ପୋଲିସ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସରଜମିନ ତଦନ୍ତ କରି ଫେରିଛନ୍ତି। ଲଳିତ ମୋହନ ଙ୍କ ବୁଲେଟ ମଟରସାଇକେଲ କୁ ପୋଲିସ ଜବତ କରିଛି। ପ୍ରକାଶ ଯେ, ମଙ୍ଗଳବାର ସନ୍ଧ୍ୟାରେ ଖମ୍ବାରିଗାଁ ଗ୍ରାମ ନିକଟ ଶଙ୍କରଖାଳି ଛକଠାରେ ଲଳିତ ମୋହନ ଏବଂ ଖମ୍ବାରିଗାଁ ଗ୍ରାମର ରାମକୃଷ୍ଣ ମିଶ୍ର ଙ୍କ ମଧ୍ୟରେ କୌଣସି କାରଣରୁ ଗଣ୍ଡଗୋଳ ସୃଷ୍ଟି ହୋଇ ମାରପିଟ ହୋଇଥିଲା।ଉପସ୍ଥିତ କିଛି ବ୍ୟକ୍ତି ଏଥିରେ ହସ୍ତକ୍ଷେପ କରି ଦୁହିଁଙ୍କ ମଧ୍ୟରେ ଗଣ୍ଡଗୋଳ ଛଡାଇଥିଲେ।ସେଠାରୁ ଲଳିତ ମୋହନ ନିଜ ବୁଲେଟ୍ ଗାଡ଼ିରେ ଖମ୍ବାରିଗାଁ ଘରକୁ ଫେରୁଥିଲେ।ତେବେ ଉତ୍ଯକ୍ତ ଅବସ୍ଥାରେ ରହିଥିବା ରାମକୃଷ୍ଣ ହତ୍ୟା ଉଦ୍ଦେଶ୍ୟରେ ନିଜ କାରରେ ଲଳିତ ମୋହନଙ୍କୁ ପିଛା କରିଥିଲେ।ଖମ୍ବାରିଗାଁ ହାଇସ୍କୁଲ ଏବଂ ପଞ୍ଚାୟତ କାର୍ଯ୍ୟାଳୟ ମଧ୍ଯବର୍ତ୍ତୀ ସ୍ଥାନରେ ରାମକୃଷ୍ଣଙ୍କ କାର୍ ମୋହନଙ୍କ ବୁଲେଟକୁ ପଛପଟୁ ଧକ୍କା ଦେବାପରେ ମୋହନ ରାସ୍ତା କଡରେ ଥିବା ଏକ ନଡ଼ିଆ ଗଛରେ ଜୋରରେ ପିଟିହୋଇ ଯାଇଥିଲେ।ଘଟଣା ସ୍ଥଳରୁ ନିଜେ ରାମକୃଷ୍ଣ ଲଳିତ ମୋହନଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ନିଜ କାର ରେ ଆଣି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ରରେ ଭର୍ତ୍ତି କରିଥିଲେ।ତେବେ ଉପସ୍ଥିତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଏହାପରେ ରାମକୃଷ୍ଣ ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ର ବେଡରେ ଲଳିତ ମୋହନଙ୍କୁ ଏକାକୀ ଛାଡି ଦେଇ କାର ଯୋଗେ ଫେରାର ହୋଇଯାଇଥିଲେ।ଘଟଣା ପରେ ଲଳିତ ମୋହନଙ୍କ ସମ୍ପର୍କୀୟ ଓ ବହୁ ବିଜେଡି ନେତା ସ୍ବାସ୍ଥ୍ଯକେନ୍ଦ୍ରରେ ପହଞ୍ଚିଥିଲେ।ଦିଗପହଣ୍ଡି ଆଇଆଇସି ଦିପ୍ତିରଞ୍ଜନ ବେହେରା ସ୍ବାସ୍ଥ୍ଯକେନ୍ଦ୍ରରେ ପହଞ୍ଚି ପ୍ରତ୍ଯକ୍ଷଦର୍ଶୀଙ୍କ ଠାରୁ ସୂଚନା ସଂଗ୍ରହ କରି ନୂଆଗାଁ ଥାନା ଆଇ ଆଇ ସି ମୃତ୍ୟୁଞ୍ଜୟ ସ୍ୱାଇଁ ଙ୍କୁ ଜଣାଇବା ପରେ କେ.ନୂଆଗାଁ ପୋଲିସ ଟିମ୍ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ପହଞ୍ଚି ମୃତଦେହ ଜବତ କରିଥିଲେ। ଘଟଣାକୁ ନେଇ ଖମ୍ବାରି ଗାଁ ରେ ଚାପା ଉତ୍ତେଜନା ଲାଗି ରହିଥିଲେ ମଧ୍ୟ ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବା କେ.ନୂଆଗାଁ ଆଇ ଆଇ ସି କହିଛନ୍ତି।


