କେବଳ ଭୋଟ ଦେଲେ ଗଣତନ୍ତ୍ର ସୁଦୃଢ ହୁଏନାହିଁ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ନିର୍ବାଚନ ଅବାଧ ଓ ନିରପେକ୍ଷ ସହ ଦୁର୍ନୀତିମୁକ୍ତ ହେବା ଦରକାର ବୋଲି ଭାରତ ନିର୍ବାଚନ ଆୟୋଗର ପ୍ରାକ୍ତନ ମୁଖ୍ୟ ଉପଦେଷ୍ଟା ଡ. ଭଗବାନ ପ୍ରକାଶ ସୋମବାର ଦିନ ଗୀତଗୋବିନ୍ଦ ସଦନଠାରେ ଅନୁଷ୍ଠିତ ‘ଗଣତନ୍ତ୍ର ସୁରକ୍ଷା ଓ ନିର୍ବାଚନ ସଂସ୍କାର’ ସମ୍ପର୍କିତ ଆଲୋଚନାଚକ୍ରରେ ଯୋଗଦେଇ ମତବ୍ୟକ୍ତ କରିଥିଲେ । ନିର୍ବାଚନ ଆଚାର ସଂହିତା କଡାକଡି ଲାଗୁ କରିବା, ନିର୍ବାଚନ ଆୟୋଗର ନିଯୁକ୍ତି ଓ କ୍ଷମତାର ସ୍ୱତନ୍ତ୍ରତା, ରାଜନୈତିକ ଦଳ ପାଣ୍ଠିର ଅଡିଟ, ବିରୋଧୀ ଦଳ ନାମ ପରିବର୍ତ୍ତେ ବିକଳ୍ପ ଦଳ, ନିର୍ଦଳୀୟ ଜାତୀୟ ସରକାର ଆଦି ସଂସ୍କାର ଦିଗ ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।ଲୋକନାୟକ ଜୟପ୍ରକାଶ ଅର୍ନ୍ତାଷ୍ଟ୍ରୀୟ ଅଧ୍ୟୟନ ବିକାଶ କେନ୍ଦ୍ର, ନୂଆଦିଲ୍ଲୀ ପକ୍ଷରୁ ଆୟୋଜିତ ବିକଳ୍ପ ଟ୍ରଷ୍ଟ ଓ ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ ଇଣ୍ଡିଆ ମିଳିତ ସହଯୋଗରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଲୋକନାୟକ ଜୟପ୍ରକାଶ ଅନ୍ତର୍ରାଷ୍ଟ୍ରୀୟ ଅଧ୍ୟୟନ ବିକାଶ କେନ୍ଦ୍ର, ନୂଆଦିଲ୍ଲୀର ରାଷ୍ଟ୍ରୀୟ ଅଧ୍ୟକ୍ଷ ବ୍ରଜକିଶୋର ତ୍ରିପାଠୀ କହିଲେ ଯେ, ୧୯୭୫ ମସିହା ଜରୁରୀକାଳୀନ ସମୟ ଭଳି ବର୍ତ୍ତମାନ ମଧ୍ୟ ଅଘୋଷିତ ଜରୁରୀ ପରିସ୍ଥିତି ମଧ୍ୟରେ ଦେଶର ଗଣତନ୍ତ୍ର ଓ ସମ୍ବିଧାନ ସୁରକ୍ଷିତ ନୁହେଁ । ଭୋଟ ଦେବାର ଅଧିକାର ଛଡ଼ା ବ୍ୟକ୍ତିର ସ୍ୱାଧୀନତା ଓ ସମାନତା ଅନ୍ୟ କ୍ଷେତ୍ରରେ ପରିଲକ୍ଷିତ ହେଉନାହିଁ । ବର୍ତ୍ତମାନ ନିର୍ବାଚନ ବ୍ୟବସ୍ଥା ମଧ୍ୟରେ ସାଧାରଣ ଯୋଗ୍ୟ ବ୍ୟକ୍ତିଟିଏ ନିର୍ବାଚନ ଲଢିବା ଅସମ୍ଭବ । ବ୍ୟକ୍ତିତ୍ୱ ଅପେକ୍ଷା ଦଳୀୟ ନିର୍ବାଚନ ଚିହ୍ନର ଗୁରୁତ୍ୱ ଅଧିକ । ମୁକ୍ତ, ଚାପବିହୀନ ଓ ବ୍ୟୟବହୁଳହୀନ ନିର୍ବାଚନ ସଂସ୍କାର ବ୍ୟବସ୍ଥା ଆଜି ଦିନର ଆହ୍ୱାନ ହେବା ଆବଶ୍ୟକ । ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର ରବି ଦାସ କହିଲେ ଯେ, ନିର୍ବାଚନ କମିଶନ ସରକାରଙ୍କ ଚାପରୁ ମୁକ୍ତ ହୋଇ ସମ୍ବିଧାନ ପ୍ରଦତ୍ତ ନିୟମାନୁସାରେ କାର୍ଯ୍ୟ କରିବା ଉଚିତ୍ ଯାହା ଟି.ଏନ୍ ଶେଷାନ ଉଦାହରଣ ସୃଷ୍ଟି କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ମାନବାଧିକାର ପ୍ରବକ୍ତା ମନୋଜ ଜେନା ସ୍ୱାଗତ ଭାଷଣ ସହ ଆଲୋଚନାଚକ୍ରର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ବକ୍ତବ୍ୟ ରଖିବା ସହ ଆଜିର ନିର୍ବାଚନ ବ୍ୟବସ୍ଥାର ଆମୁଳଚୂଳ ପରିବର୍ତ୍ତନ ଉପରେ ଜୋର ଦେଇଥିଲେ । ରାଜନୈତିକ ଦଳକୁ ନିର୍ବାଚନ ପ୍ରକ୍ରିୟାରୁ ଦୂରରେ ରଖି କେବଳ ନିର୍ବାଚନ ଆୟୋଗ ସରକାର ଖର୍ଚ୍ଚରେ ନିର୍ବାଚନ ପରିଚାଳନା କରାଇଲେ ନିର୍ବାଚନ ସ୍ୱଚ୍ଛ ଓ ଅବାଧ ହୋଇପାରିବ ବୋଲି ଶ୍ରୀ ଜେନା ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଖିଳ ଭାରତୀୟ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରର ରାଷ୍ଟ୍ରୀୟ ଅଧ୍ୟକ୍ଷ ରବି ରଥ, ପୂର୍ବତନ ବିଧାୟକ କିଶୋର ଦାଶ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଜରୁରୀକାଳୀନ ସମୟରେ କାରାବରଣ କରିଥିବା ସମାଜବାଦୀ ନେତା ଚିତ୍ତରଞ୍ଜନ ମହାନ୍ତିଙ୍କୁ ତାଙ୍କର ଜୀବନବ୍ୟାପୀ ସଂଘର୍ଷ ଓ ସେବା ପାଇଁ ସମ୍ମାନିତ କରାଯାଇଥିଲା । ଶେଷରେ ଉଷାରାଣୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।


