ଦୃଷ୍ଟିବାଧିତ ଖେଳାଳିଙ୍କ ଗହଣରେ ପାଳିଲେ ନିଜର ବିବାହ ବାର୍ଷିକୀ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆଧୁନିକ ଯୁଗରେ ବିବାହ ବାର୍ଷିକୀ ଉତ୍ସବ ପାଳନକୁ ମନେ ରଖିବା ପାଇଁ ନୂଆ ନୂଆ ତରିକାରେ ପାଳନ କରିଥାନ୍ତି ଦମ୍ପତ୍ତି । ଆମେ ସାଧାରଣତଃ ଦେଖିଥାଉ କେହି ନିଜ ବିବାହ ବାର୍ଷିକୀ ଉତ୍ସବ ଅବସରରେ ପତ୍ନୀକୁ ଖୁସି କରିବା ପାଇଁ ଜହ୍ନ ରାଇଜରେ ଜାଗା କିଣି ଉପହାର ଦେଉଛି ତ ଆଉ କେହି ସୁନା, ଚାନ୍ଦି, ଡାଇମଣ୍ଡ, ଗାଡି, ବଙ୍ଗଳା ଇତ୍ୟାଦି ଦାମୀ ଉପହାର ଦେଇଥାନ୍ତି । ଆଉ କେହି ବିଭିନ୍ନ କ୍ଲବ, ପଞ୍ଚତାରକା ହୋଟେଲରେ ଉତ୍ସବ ଆୟୋଜନ କରି ସାଙ୍ଗ, ସାଥୀ, ବନ୍ଧୁବାନ୍ଧବମାନଙ୍କୁ ଆପ୍ୟାୟିତ କରିଥାନ୍ତି । ଆମ ସମାଜରେ ଏମିତି ଲୋକ ବି ଅଛନ୍ତି ଜାତୀୟତାର ମହାନ୍ ଚିନ୍ତାଧାରାରେ ଉଦ୍‌ବୁଦ୍ଧ ହୋଇ ରକ୍ତଦାନ, ବୃକ୍ଷରୋପଣ, ରୋଗୀସେବା ଇତ୍ୟାଦି କାର୍ଯ୍ୟକୁ ଉତ୍ସବ ଗୁଡିକରେ ସେବା କାର୍ଯ୍ୟ କରି ଅନ୍ୟ ମୁହଁରେ ହସ ଫୁଟାଇଥାନ୍ତି । ଏଭଳି ମହତ୍ ଚିନ୍ତାଧାରାକୁ ଆପଣାଇ ନିଜର ୨୮ ତମ ବିବାହ ବାର୍ଷିକୀ ଉତ୍ସବକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି ରାଜଧାନୀ ଭୁବନେଶ୍ୱରର ଦମ୍ପତ୍ତି ବିଶ୍ୱଜିତ୍ ଦାଶ ଓ ଧର୍ମପତ୍ନୀ ନନ୍ଦିନୀ ଦାଶ । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ସ୍ପେସିଆଲ ଦିନକୁ ଆହୁରି ସ୍ପେସିଆଲ କରିବା ପାଇଁ ଜାତୀୟ ଓ ଅନ୍ତର୍ଜାତୀୟ ଦୃଷ୍ଟିବାଧିତ ଖେଳାଳିଙ୍କ ଗହଣରେ ପାଳନ କରିଛନ୍ତି ନିଜର ଏହି ବିବାହ ବାର୍ଷିକୀକୁ । ଖେଳାଳିଙ୍କ ରହିଥିବା ଅଭାବ ପୂରଣ କରି ଯୋଗାଇ ଦେଇଛନ୍ତି ଅନେକ ଖେଳ ସରଞାମ । କହିଛନ୍ତି ସେବାରେ ମିଳିଥାଏ ଆନନ୍ଦ । ଭୁବନେଶ୍ୱର ସ୍ଥିତ ତିଳତ୍ତୋମା ମଣ୍ଡପଠାରେ ଆୟୋଜିତ ଏହି ଉତ୍ସବରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁବଳ ମହାରଣା, ଦୃଷ୍ଟବାଧିତ ଖେଳାଳିଙ୍କ କୋଚ୍ ତଥା ‘ବୁଲସ୍‌ଆଇ’ର ସଂପାଦକ ତ୍ରିଲୋଚନ ବେଉରା, ସ୍ଥାନୀୟ ସାମାଜିକ କର୍ମୀ ନକୁଳ ହରିଚନ୍ଦନ ପ୍ରମୁଖ ଉପସ୍ଥିତ ରହି ଦମ୍ପତ୍ତିଙ୍କର ଏତାଦୃଶ କାର୍ଯ୍ୟକୁ ପ୍ରଶଂସା କରିବା ସହ ଇଶ୍ୱରଙ୍କ ନିକଟରେ ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ