ଚତୁର୍ଦ୍ଧାମୂର୍ତ୍ତି ଙ୍କୁ ଦର୍ଶନୀ ବନ୍ତ ଠାରେ ହେଲା ଭୋଗ ସମର୍ପଣ
ନିମାପଡା, (ସନ୍ତୋଷ ଦାଶ):ଆଜି ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତି ଙ୍କ ପ୍ରସିଦ୍ଧ ସୁନା ବେଶ ଅନୁଷ୍ଠିତ ହୋଇଥିଲା। ଏପଟେ ପୁରୀ ଜିଲ୍ଲା କାକଟପୁର ବ୍ଲକ ଗୋଧନପଡ଼ା ଗ୍ରାମ ର ଐତିହାସିକ ସ୍ଥାନ ଦର୍ଶନୀବନ୍ତ ଠାରେ ଜଗନ୍ନାଥ ଭକ୍ତ ମାନେ ଚତୁର୍ଦ୍ଧାମୂର୍ତ୍ତି ଙ୍କୁ ଅହ୍ମୁଣିଆଁ ଭୋଗ ସମର୍ପଣ କରିଛନ୍ତି। ଉକ୍ତ ସ୍ଥାନ ଟି କାକଟପୁର– କୋଣାର୍କ ମୁଖ୍ୟ ରାସ୍ତା ପାଶ୍ୱରେ ଅବସ୍ଥିତ। ଏହି ଗ୍ରାମରେ ଏକ ବିଶାଳ ସୁଦୀର୍ଘ ବାଲିବନ୍ତ ରହିଅଛି। ଯାହାର ନାମ ଦର୍ଶନୀ ବନ୍ତ ଭାବେ ପ୍ରସିଦ୍ଧ। ଏହି ଦର୍ଶନୀ ବନ୍ତ ଏକ ଐତିହାସିକ ସ୍ଥାନ ଅଟେ। ଏହାର ନାମ କରଣ ଏକ ଖାସ କାରଣରୁ ହୋଇଛି। ଐତିହାସିକ ଓ ଗବେଷକ ତଥା ବୟସ୍କ ଲୋକ ମାନଙ୍କ କଥା ଅନୁସାରେ ସେତେବେଳେ ରାଜା ରାଜୁତି ଶାସନ ଚାଲୁଥାଏ। ପୁରୀ ରେ ଗଜପତି ମହାରାଜାଙ୍କ ଶାସନ ସମୟରେ ତାଙ୍କ ପ୍ରଦେଶର ବିଭିନ୍ନ ଗଡ ମାନଙ୍କରେ ସାମନ୍ତ ରାଜା ମାନଙ୍କୁ ନିୟୋଜିତ କରିଥିଲେ। ଗଡ ମଧ୍ୟରେ କୋଣାର୍କ ନିକଟ ଗୋଲରାଗଡ ଅନ୍ୟତମ। ଗୋଲରାଗଡ ରେ ସାମନ୍ତ ରାଜା ରାଜୁତି କରୁଥିଲେ। ପୁରୀ ଶ୍ରୀମନ୍ଦିର ଓ କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମାଣରେ ସେମାନଙ୍କ ନିଷ୍ଠାପର ଓ ଅତୁଳନୀୟ ଅବଦାନ ଅନେକ ଗୁରୁତ୍ଵ ବହନ କରିଥିବା ଐତିହାସିକ ମାନେ ମତ ଦିଅନ୍ତି। ପ୍ରତି ବର୍ଷ ରଥଯାତ୍ରା ଓ ବାହୁଡ଼ା ଯାତ୍ରା ସମୟରେ ସାମନ୍ତ ରାଜା ମାନେ ଘୋଡ଼ା ସାହାର୍ଯ୍ୟରେ ଶ୍ରୀ ଜଗନ୍ନାଥଙ୍କ ପାଇଁ ଅନେକ ଭୋଗ ଭାର ଆଦି ନେଇ ଯାଇଥାନ୍ତି। କୌଣସି ଏକ ବର୍ଷ ବଡ଼ ଏକାଦଶୀ ତିଥିରେ ବାହୁଡ଼ା ଯାତ୍ରା ଦେଖିବାକୁ ଗୋଲରାଗଡରୁ ଘୋଡ଼ା ସାହାର୍ଯ୍ୟରେ ପୁରୀ ଯିବା ସମୟରେ ଗୋଧନପଡା ନିକଟରେ ବର୍ଷା ,ଝଡ ତୋଫାନ ଆରମ୍ଭ ହୋଇଗଲା। ଯାହାଦ୍ବାରା ସାମନ୍ତରାଜା ପୁରୀ ଯାଇପାରିଲେନି ।ବାହୁଡ଼ା ଯାତ୍ରା ଦେଖିବା ଅସମ୍ଭବ ହେଲା। ସେ ସେଠାରୁ ଗୋଲରାଗଡ ଫେରିଗଲେ। ରାତିସାରା ନିର୍ଜଳ ଉପବାସ ରହି ଜଗନ୍ନାଥଙ୍କୁ ଧ୍ୟାନ କରି ଶୋଇ ପଡିଲେ। ରାତିରେ ତାଙ୍କୁ ଭଗବାନ ଶ୍ରୀ ଜଗନ୍ନାଥଙ୍କର ସ୍ୱପ୍ନାଦେଶ ହେଲା। ତୁମେ ଯାଉଥିବା ବାଟରେ ଯେଉଁଠି ଏକ ଶୈବ ମନ୍ଦିର ଅଛି। ଯାହା ମୁକ୍ତେଶ୍ଵର ମହାଦେବ ନାମରେ ପୁଜା ପାଉଥିଲେ। ସେଠାରେ ଏକ ବାଘଡିଆଁ ପୋଖରୀ ଓ ଏକ ବାଲିକୁଦ ଅଛି। ସେହି କୁଦ ଉପରୁ ତୁମେ ମୋର ନୀଳଚକ୍ର କୁ ଦର୍ଶନ କରି ମୋତେ ଦର୍ଶନ କରିବା ସହ ସୌଭାଗ୍ୟ ଅର୍ଜନ କରିପାରିବ। ତା ପରଦିନ ଅର୍ଥାତ୍ ସୁନାବେଶ ଦିନ ରାଜା ଉକ୍ତ କୁଦକୁ ଯାଇ ଜଗନ୍ନାଥଙ୍କ ଶ୍ରୀମନ୍ଦିର ନୀଳଚକ୍ର ଦର୍ଶନ କରି ପୂଜାର୍ଚ୍ଚନା ଓ ଭୋଗ କରି ଜଗନ୍ନାଥଙ୍କ ଆଶୀର୍ବାଦ କୃପା ଲାଭ କଲେ। ଉକ୍ତ ଦିନଠାରୁ ସେହି ବାଲିକୁଦ ଦର୍ଶନୀ ବନ୍ତ ଭାବେ ପ୍ରଖ୍ୟାତ। ପ୍ରତିବର୍ଷ ସୁନାବେଶ ଦିନ ଏହି ବନ୍ତ ଉପରେ ନିକଟ ଅଞ୍ଚଳର ସମସ୍ତ ପରିବାର ଭୋଗ କରିବା ସହିତ ନଡ଼ିଆ ବାଡେଇ ଥାଆନ୍ତି। ଯାହା ଅମୁଣିଆଁ ଭୋଗ ଭାବେ ଜଣା। ଏବେ ମଧ୍ୟ ଏହି ପ୍ରଥା ଚାଲିଆସୁଥିବା କୁହନ୍ତି ସାମାଜିକ କର୍ମୀ ଜ୍ଞାନ ରଞ୍ଜନ ବିଶ୍ବାଳ। ଦର୍ଶନୀ ବନ୍ତ ଏକ ଐତିହାସିକ ଓ ଦର୍ଶନୀୟ ସ୍ଥାନ ଭାବରେ ବେଶ ଖ୍ୟାତି ଅର୍ଜନ କରିଥିବା ବେଳେ ଏହି ସ୍ଥାନ ମହାପ୍ରଭୂ ଶ୍ରୀ ଜଗନ୍ନାଥ ଙ୍କ ଭୋଗ ଅର୍ପଣ ସ୍ଥାନ ଭାବେ ପରିଚିତ ହୋଇ ରହି ଆସିଛି କାହିଁ କେତେ କାଳରୁ । ଆଜି ଦର୍ଶନୀବନ୍ତ ଆଶ୍ରମ ଜଗନ୍ନାଥ
ଭକ୍ତ ଙ୍କ ସମାଗମ ରେ ଚଳଚଞ୍ଚଳ ହୋଇ ପଡ଼ିଥିଲା।