ଲଗାମହୀନ ଦରବୃଦ୍ଧି ଏବଂ ଉତ୍କଟ ବିଦ୍ୟୁତ ସଙ୍କଟ ପ୍ରତିବାଦରେ ଓଡ଼ିଶା ବଞ୍ଚାଅ ଅଭିଯାନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପନିପରିବା ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀଗୁଡ଼ିକର ଆକାଶଛୁଆଁ ଦରବୃଦ୍ଧି ସାଧାରଣ ମଣିଷଙ୍କ ହାଣ୍ଡିଶାଳକୁ ଅଚଳ କରିଦେଇଛି । ଟାଟା କମ୍ପାନୀ ଦ୍ୱାରା ବିଦ୍ୟୁତ ଗ୍ରାହକମାନଙ୍କୁ ନିର୍ମମ ଶୋଷଣ ଏବଂ ଘନ ଘନ ବିଜୁଳି କାଟ ବା ବିଦ୍ୟୁତ ବିଭ୍ରାଟ ଜନଜୀବନକୁ ଅସ୍ତବ୍ୟସ୍ତ କରିବା ‘ବେଡ଼ି ଉପରେ କୋରଡ଼ା ମାଡ଼’ ସଦୃଶ ହୋଇଛି । ଜୁନ ମାସରେ ହାରାହାରି ବର୍ଷାର ପରିମାଣ ନିଅଣ୍ଟିଆ ଥିବାରୁ କୃଷିକ୍ଷେତ୍ରରେ ସଙ୍କଟ ସୃଷ୍ଟି ହୋଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାସଗୃହ ବଣ୍ଟନରେ ଦୁର୍ନୀତି, ଜାଲିଆତି ଏବଂ ପକ୍ଷପାତିତା କାରବାର ଜାରି ରହିଛି । କୃଷକମାନଙ୍କୁ ସଠିକ ସମୟରେ ବିହନ, ସାର, ଔଷଧ ଏବଂ ବ୍ୟାଙ୍କ ଋଣ ଆଦି ମିଳିବା ପାଇଁ କୌଣସି ଯୋଜନା ନାହିଁ । କୃଷକମାନଙ୍କର ଫସଲର ସହାୟକ ମୂଲ୍ୟ ବିଶେଷକରି ଧାନ କୁଇଣ୍ଟାଲ ପିଛା ୨୯୩୦ ଟଙ୍କା କରିବା ପାଇଁ ଓଡ଼ିଶାର ଦାବିକୁ କେନ୍ଦ୍ର ସରକାର କାର୍ଯ୍ୟକାରୀ କରୁନାହାଁନ୍ତି । ଉଭୟ ସରକାର ଜନଗଣଙ୍କ ଜ୍ୱଳନ୍ତ ସମସ୍ୟାକୁ ଅଣଦେଖା କରି ପ୍ରସଙ୍ଗ ବଦଳାଇବା ରାଜନୀତିରେ ସିଦ୍ଧହସ୍ତ ହୋଇଛନ୍ତି । ଜନଗଣଙ୍କ ଜ୍ୱଳନ୍ତ ସମସ୍ୟାକୁ ସମାଧାନ କରିବା କ୍ଷେତ୍ରରେ କେନ୍ଦ୍ରର ବିଜେପି ଏବଂ ରାଜ୍ୟର ବିଜେଡ଼ି ସରକାର ସମ୍ପୂର୍ଣ୍ଣ ନୀରବଦ୍ରଷ୍ଟା ସାଜିଛନ୍ତି । ଜନସାଧାରଣଙ୍କ ଏହି ଜ୍ୱଳନ୍ତ ଏବଂ ନଗଦ ସମସ୍ୟା ଉପରେ ରାଜ୍ୟର ୧୦ଟି ରାଜନୈତିକ ଦଳକୁ ନେଇ ଗଠିତ ‘ଓଡ଼ିଶା ବଞ୍ଚାଅ ଅଭିଯାନ’ ପକ୍ଷରୁ ରାଜ୍ୟର ପ୍ରତ୍ୟେକ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ସ୍ମାରକପତ୍ର ପ୍ରଦାନ କରିବା ପାଇଁ ଆଜିର ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।ଭୁବନେଶ୍ୱର ୟୁନିଟ୍-୬ସ୍ଥିତ ନେତାଜୀ ଭବନ ଠାରେ ଅନୁଷ୍ଠିତ ଏହି ବୈଠକରେ ଗୃହିତ ପ୍ରସ୍ତାବରେ କୁହାଯାଇଛି ଯେ, ଜନଗଣଙ୍କ ଜ୍ୱଳନ୍ତ ସମସ୍ୟା ଉପରେ ବିଜେପି ବିରୁଦ୍ଧରେ ଥିବା ଓଡ଼ିଶାର ସମସ୍ତ ଅଣବିଜେଡ଼ି ଦଳମାନଙ୍କୁ ଏହି ମଞ୍ଚରେ ଏକାଠି କରି ପ୍ରଚାର ଅଭିଯାନ ଏବଂ ଆନ୍ଦୋଳନର ମୈଦାନକୁ ଓହ୍ଲାଇବା ପାଇଁ ପ୍ରୟାସ ଜାରି ରହିବ । ଏହି ଆଭିମୁଖ୍ୟ ସମ୍ପର୍କରେ କଂଗ୍ରେସ ସମେତ ଅନ୍ୟାନ୍ୟ ସମଭାବାପନ୍ନ ଦଳମାନଙ୍କ ସହିତ ଆଲୋଚନା କରାଯିବ ।ଆଜିକାର ବୈଠକରେ ସମତାକ୍ରାନ୍ତି ଦଳ, ସିପିଆଇ, ସିପିଆଇ(ଏମ୍), ସିପିଆଇ (ଏମ୍-ଏଲ) ଲିବରେସନ, ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକ, ସମାଜବାଦୀ ପାର୍ଟି, ଆରଜେଡ଼ି, ଆରପିଆଇ, ସମୃଦ୍ଧ ଓଡ଼ିଶା, ସିପିଆଇ (ଏମ୍.ଏଲ) ରେଡ଼ଷ୍ଟାର ପ୍ରମୁଖ ଦଳର ରାଜ୍ୟ ନେତୃବୃନ୍ଦ ଯୋଗଦେଇ ବିଭିନ୍ନ ଜନସମସ୍ୟା ଉପରେ ଆଲୋଚନା କରିଥିଲେ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ବୈଠକରେ ସର୍ବଶ୍ରୀ ଅଭୟ ସାହୁ, ଅଳିକିଶୋର ପଟ୍ଟନାୟକ, ଅଶୋକ ପ୍ରଧାନ, ଜ୍ୟୋତି ରଞ୍ଜନ ମହାପାତ୍ର, ରବି ବେହେରା, ହେମନ୍ତ କୁମାର, ଶେଖ ଅବଦୁଲ ଅଲ୍ଲୀ, ନିରାକାର ବେଉରା, ପ୍ରମିଳା, ଆଶିଷ କାନୁନଗୋ, ସୁରେଶ ପାଣିଗ୍ରାହୀ, ମହେନ୍ଦ୍ର ପରିଡ଼ା, ପୂର୍ଣ୍ଣଚନ୍ଦ୍ର ପାଢୀ, ଶରତ ଚରଣ ଜେନା, ତୁଷାର ରଞ୍ଜନ ପଣ୍ଡା ଏବଂ ଅରୁଣ ଜେନା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିବା ସହ ଜନଗଣଙ୍କ ସମସ୍ୟାର ସମାଧାନ ଦିଗରେ ରାଜ୍ୟବ୍ୟାପୀ ଶକ୍ତିଶାଳୀ ଆନ୍ଦୋଳନ ଗଢି ତୋଳିବାକୁ ଆହ୍ୱାନ କରିଥିଲେ ।