ଡ୍ରେନେଜ୍ ବ୍ୟବସ୍ଥା ନଥିବାରୁ ରାସ୍ତାରେ ଜମୁଛି ପାଣି
ବନ୍ତ, (ଚାନ୍ଦିନୀ ମହାନ୍ତି):କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳର ସାଧାରଣ ଲୋକ ମାନଙ୍କ ଗମନାଗମନର ସୁବିଧା ପାଇଁ ପିଚୁ ଓ ପକ୍କା ରାସ୍ତା ନିର୍ମାଣ କରିବା ସହିତ ରାସ୍ତାର ଉଭୟ ପାଶ୍ୱର୍ରେ ଜଳ ନିଷ୍କାସନ ପାଇଁ ଡ୍ରେନେଜ୍ ବ୍ୟବସ୍ଥା କରିବା ଲକ୍ଷ୍ୟରେ କୋଟି କୋଟି ଟଙ୍କା ମଞ୍ଜୁର କରୁଛନ୍ତି । ମାତ୍ର ସରକାରଙ୍କ ପକ୍ଷରୁ ମଞ୍ଜୁର ହେଉଥିବା ଅର୍ଥର ସଠିକ୍ ବିନିଯୋଗ ହେଉନଥିବା ଦେଖାଯାଉଛି । ଫଳରେ ଗ୍ରାମାଞ୍ଚଳର ସାଧାରଣଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହିପରି ଏକ ସମସ୍ୟା ଦେଖାଯାଇଛି ବନ୍ତ ବ୍ଲକ ନିଳୋକ ଗ୍ରାମର କୁମ୍ଭାରସାହିରେ । ଗତ ୧୦ ବର୍ଷ ତଳେ ଉକ୍ତ ସାହିର କୂଅମୂଳ ଛକ ଠାରୁ ମାଟିଗଢିଆ ପର୍ଯ୍ୟନ୍ତ ପକ୍କା ରାସ୍ତା ନିର୍ମାଣ କରାଯାଇଥିଲା । ମାତ୍ର ସେତେବେଳେ ଉକ୍ତ ରାସ୍ତାର ଉଭୟ ପାଶ୍ୱର୍ରେ ଡ୍ରେନେଜ୍ ବ୍ୟବସ୍ଥା କରାଯାଇନଥିଲା । ଡ୍ରେନେଜ୍ ବ୍ୟବସ୍ଥା କରିବା ପାଇଁ ସେତେବେଳେ ସାହିଲୋକ ମାନେ ଦାବୀ କରିଥିଲେ । ମାତ୍ର ସେତେବେଳେ ରାସ୍ତା ନିର୍ମାଣ କରୁଥିବା ଠିକାଦାର ମାନେ ସେଥିପ୍ରତି ଗୁରୁତ୍ୱ ଦେଇନଥିଲେ । ଫଳରେ ଦୀର୍ଘ ୧୩ ବର୍ଷ ହେବ ଉକ୍ତ ସାହିର ଲୋକେ ଯାତାୟତରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅସରାଏ ବର୍ଷାରେ ରାସ୍ତା ଉପରେ ଆଣ୍ଠୁଏ ପାଣି ଜମି ରହୁଛି । ଫଳରେ ନିକଟସ୍ଥ ବିଦ୍ୟାଳୟ ଓ ଅଙ୍ଗନୱାଡି କେନ୍ଦ୍ରକୁ ପିଲା ମାନେ ଯାଆସ କରି ପାରୁନାହାନ୍ତି । ଏଥିସହିତ ସାଧାରଣ ଲୋକ ମାନେ ଆଣ୍ଠୁଏ ପାଣିରେ ପଶି ଯାତାୟତ କରୁଛନ୍ତି । ଏସଂପର୍କରେ ସାହିଲୋକେ ପଞ୍ଚାୟତ ଠାରୁ ବ୍ଲକ ପର୍ଯ୍ୟନ୍ତ ଅଭିଯୋଗ କରିଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି । ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଉକ୍ତ ରାସ୍ତାର ଉଭୟ ପାଶ୍ୱର୍ରେ ଡ୍ରେନେଜ୍ ବ୍ୟବସ୍ଥା କରିବାକୁ ଦାବୀ ହୋଇଛି ।