କମଳା ନେହେରୁ ମହାବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):କମଳା ନେହେରୁ ମହାବିଦ୍ୟାଳୟରେ ଗୁରୁବାର ଦିନ ବନ ମହୋତ୍ସବ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଜାତୀୟ ସେବା ସଂସ୍ଥାର (ଏନ୍‌ଏସ୍‌ଏସ୍‌) ଅନୁକୂଲ୍ୟରେ ମହାବିଦ୍ୟାଳୟ ପରିସରରେ ଚାରାରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ଯୋଗଦେଇ ବୃକ୍ଷରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । କର୍ପୋରେଟର ଶ୍ରୀମତୀ ଆୟେଶା ବେଗମ ଉପସ୍ଥିତ ରହି ଚାରାରୋପଣ କରିଥିଲେ । ପ୍ରେରଣା ଗ୍ରୀନ ଆର୍ମିର କମାଣ୍ଡାଣ୍ଟ ଇନ୍ ଚିଫ୍ ଡଃ ଦିଲ୍ଲୀପ ଶ୍ରୀଚନ୍ଦନ ଯୋଗଦେଇ ବୃକ୍ଷରୋପଣ କରିବା ସହିତ ପିଲମାନଙ୍କୁ ଅଧିକରୁ ଅଧିକ ଗଛ ଲଗାଇ ପୃଥିବୀକୁ ଆଶୁ ବିପଦରୁ ରକ୍ଷା କରିବା ପାଇଁ ଆଗକୁ ଆସିବାକୁ କହିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଶୋଭା ଦାସ ମହାବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରିଥିଲେ । ଏଥିସହିତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକାବୃନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ କର୍ମମୁଖର କରିଥିଲେ । ଜାତୀୟ ସେବା ସଂସ୍ଥା (ଏନ୍‌ଏସ୍‌ଏସ୍‌)ର କାର୍ଯ୍ୟକ୍ରମ ଅଧିକାରୀ ଡଃ ମଧୁସ୍ମିତା ଦାଶ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିବା ସହ ‘ଇଚ୍ ୱାନ୍ ପ୍ଲାଣ୍ଟ ୱାନ୍‌’ ସ୍ଲୋଗାନକୁ ପାଥେୟ କରି ‘ସମସ୍ତେ ଗୋଟିଏ ଗଛ ଲଗାଇବା ପାଇଁ’ ଅନୁରୋଧ କରିଥିଲେ ଯାହା ସମଗ୍ର ପୃଥିବୀକୁ ଗ୍ଲୋବାଲ ୱାର୍ମିଂ ଓ ଅସହ୍ୟ ଗରମରୁ ରକ୍ଷା କରି ଆଗାମୀ ପିଢିଙ୍କୁ ବଞ୍ଚାଇ ପାରିବା ।ଜାତୀୟ ସେବା ସଂସ୍ଥା (ଏନ୍‌ଏସ୍‌ଏସ୍‌)ର ପିଲାମାନେ ଏକ ରାଲି ମାଧ୍ୟମରେ ଲୋକମାନଙ୍କୁ ବୃକ୍ଷରୋପଣ ଦିଗରେ ସଚେତନ କରାଇଥିଲେ ଏବଂ ପ୍ରତିଟି ପିଲା ବୃକ୍ଷରୋପଣ କରି ନିଜ ନାମରେ ଏକ ପ୍ରତିଫଳକ ଗଛ ଆଗରେ ଲଗାଇଥିଲେ । ଏପରି ଅଭିନବ ଉପାୟରେ ଗଛ ଲଗାଇବାର ଉଦ୍ଦେଶ୍ୟ ହେଉଛି ସେମାନଙ୍କୁ ବୃକ୍ଷରୋପଣ ପ୍ରତି ଉତ୍ସାହିତ କରିବା ଏବଂ ଗଛଟିକୁ ବଞ୍ଚାଇ ରଖିବା ପାଇଁ ଏକ ଦାୟିତ୍ୱବୋଧ ସୃଷ୍ଟି କରିବା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ